ଝାମ୍ପି‌ନେଲେ ମୋବାଇଲ୍‌, ଆପ୍‌ରେ ରେକର୍ଡ ଲୁଟେରାଙ୍କ କାରନାମା

ଭୁବନେଶ୍ୱର: ରାଜଧାନୀରେ ‌ମୋବାଇଲ ଝାମ୍ପିନେବା ଏକ ସାଧାରଣ କଥା ହୋଇଛି। ‌ଚୋରି ହେଲେ ଧରିବା କାଠିକର ପାଠ ହେଉଥିବାରୁ ପୁଲିସ ମଧ୍ୟ ଏଭଳି ଅଭିଯୋଗଠାରୁ ଅନେକ ସମୟରେ ଦୂରରେ ରହୁଛି। ଝାମ୍ପିନେବା ପରିବର୍ତ୍ତେ ହଜିଗଲା ବୋଲି ଲେଖିବା ପାଇଁ ପୁଲିସ ବାଧ୍ୟ କରୁଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଧରିବା ସହଜ ହେଉନଥିବାରୁ ମୋବାଇଲ ଛିନ୍‌ତାଇ ବଢ଼ି ବଢ଼ି ଚାଲିଛି। ଆଜି ଏକାମ୍ର ହାଟ ସମ୍ମୁଖ ରାସ୍ତାରେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କଠାରୁ ଦୁଇଜଣ ଦୁର୍ବୃତ୍ତ ମୋବାଇଲ ଝାମ୍ପି ନେଇଛନ୍ତି। ହେଲେ ଏହି ମୋବାଇଲ୍‌ରେ ଥିବା ଏକ ଅତ୍ୟାଧୁନିକ ଆପ୍‌ ଜରିଆରେ ଛିନ୍‌ତାଇର ସମସ୍ତ ବିବରଣୀ ଅନ୍ୟ ଏକ ମୋବାଇଲ୍‌ରେ ରେକର୍ଡ ହୋଇଛି। ଲୁଟେରାଙ୍କ ମୁହଁ ଚିତ୍ର ସହ ଗାଡ଼ି ନମ୍ବର, ଲୁଟେରାଙ୍କ ଲୋକେସନ ଆଦିର ସମ୍ପୂର୍ଣ୍ଣ ବିବରଣୀ (ଭିଡିଓ ‌ରେକର୍ଡିଂ) ଅଭିଯୋଗକାରୀଙ୍କ ପାଖରେ ରହିଛି। ଏ ସବୁକୁ ଆଧାର କରି ସେ ଅଭିଯୋଗ କରିବା ପରେ ଖାରବେଳ ନଗର ଥାନା ପୁଲିସ ଏକ ମାମଲା ରୁଜୁ କରି ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ଅଭିଯୋଗ ମୁତାବକ, ସସ୍ମିତା ପଣ୍ଡା ବୃତ୍ତିରେ ଓଡ଼ିଶୀ ନୃତ୍ୟଶିଳ୍ପୀ। ରେଭେନ୍‌ସା ବିଶ୍ବବିଦ୍ୟାଳୟରେ ସେ ଓଡ଼ିଶୀ ଉପରେ ଗବେଷଣା କରନ୍ତି। ଆଜି ସନ୍ଧ୍ୟାରେ ସେ ଏକାମ୍ର ହାଟ ସମ୍ମୁଖ ରାସ୍ତାରେ ଯାଉଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କଠାରୁ ମୋବାଇଲ ଝାମ୍ପିନେଇ ଚମ୍ପଟ ମାରିଥିଲେ। ସେ ୧୦୦ ଡାଏଲ କରିଥିଲେ ମଧ୍ୟ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇନଥିଲା। ଏଣୁ ସେ ଘଟଣାସ୍ଥଳରୁ ଟୁଇଟ୍‌ କରି ପୁଲିସକୁ ଅଭିଯୋଗ କରିଥିଲେ। ପରେ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପ୍ରମାଣ ପାଇଁ ସେ ଆଣ୍ଡ୍ରଏଡ୍‌ ଆପ୍‌ରୁ ପାଇଥିବା ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଚୋରି ହୋଇଥିବା ମୋବାଇଲ୍‌ରେ ସେ ଏକ ‘ଆଣ୍ଟି ଥେପ୍ଟ’ ଆପ୍‌ ଲୋଡ୍‌ କରିଥିଲେ। ଚୋରି ହେଲେ ଏଥିରେ ସମସ୍ତ ବିବରଣୀ ରେକର୍ଡ ହୋଇ ରହିବ। କେବଳ ରେକର୍ଡ ହୋଇ ରହିବ ନାହିଁ, ବରଂ ଅନ୍ୟ ଏକ ମୋବାଇଲ୍‌ରେ ଏହି ଆପ୍‌କୁ ପରିଚାଳନା କରିହେବ। ଏହି ସୁବିଧା ବଳରେ ସେ ଅନ୍ୟ ଏକ ମୋବାଇଲ୍‌ରେ ଚୋରି ମୋବାଇଲରେ ଥିବା ଆପ୍‌କୁ ପରିଚାଳନା କରିଥିଲେ। ଫଳରେ ଲୁଟେରାଙ୍କ ଗତିବିଧି ସସ୍ମିତା ଜାଣି ପାରୁଥିଲେ। ଏହି ରେକର୍ଡ ମୁତାବକ, ସେମାନେ ମୋବାଇଲ ଝାମ୍ପି ନେଇ ହାଉସିଂ ବୋର୍ଡ ଛକ ଦେଇ ରାଜଭବନ ଓ ଶିଶୁ ଭବନ ଛକ ହୋଇ ପୁରୁଣା ଭୁବନେଶ୍ବରରେ ପହଞ୍ଚିଥିଲେ। ବାଟରେ ଗୋଟିଏ ଜାଗାରେ ରହି ମୋବାଇଲ୍‌ର ଲକ୍‌ ଖୋଲିବା ପାଇଁ କିଛି ସମୟ ଉଦ୍ୟମ କରିଥିଲେ। ସେଠାରୁ ପୁରୁଣା ଭୁବନେଶ୍ବରର ଏକ ମୋବାଇଲ ଦୋକାନରେ ମଧ୍ୟ ଲକ୍‌ ଖୋଲିବା ପାଇଁ ଉଦ୍ୟମ କରିଥିଲେ। ଏହା ପରେ ସେମାନେ ମୋବାଇଲ୍‌ରୁ ସିମ୍‌କାର୍ଡ କାଢ଼ି ଦେବାରୁ ଆଉ ଆପ୍‌କୁ ଦୂରରୁ ପରିଚାଳନା କରିବା ସମ୍ଭବ ନଥିଲା।

ସମ୍ବନ୍ଧିତ ଖବର