ଅଚଳ ହୋଇ ପଡ଼ି ରହିଛି ଭ୍ରାମ୍ୟମାଣ ଶୌଚାଳୟ: ହିନସ୍ତା ହେଉଛନ୍ତି ଟ୍ରାଫିକ କର୍ମଚାରୀ

ପାଣିରେ ପଡ଼ିବ ୧୦ ଲକ୍ଷ ଟଙ୍କା

ଭୁବନେଶ୍ବର: ଟ୍ରାଫିକ୍ ପୋଷ୍ଟରେ ରହି ଡ୍ୟୁଟି କରୁଥିବା ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ସୁବିଧା ପାଇଁ ରାଜଧାନୀର ପ୍ରମୁଖ ଛକମାନଙ୍କରେ କମିସନରେଟ ପୁଲିସ ପକ୍ଷରୁ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ବର୍ଷେ ନ ପୂରୁଣୁ, ସେଗୁଡ଼ିକର ଅବସ୍ଥା ଶୋଚନୀୟ ହେବାକୁ ବସିଲାଣି। ସବୁଗୁଡ଼ିକ ଅଚଳ ହୋଇ ପଡ଼ି ରହିଛି। ଫଳରେ ପାନୀୟ ଜଳ ଓ ଶୌଚ ପାଇଁ ହିନସ୍ତା ହେଉଛନ୍ତି ଟ୍ରାଫିକ୍ କର୍ମଚାରୀ। ନୂଆ ବେଳେ ସବୁ ଠିକ୍‌ଠାକ୍ ଚାଲିଥିଲା କିନ୍ତୁ କିଛି ଦିନ ପରେ ବିଭିନ୍ନ ସମସ୍ୟା ନେଇ ଶୌଚାଳୟରେ ତାଲା ଝୁଲିଲା। ଉକ୍ତ ଶୌଚାଳୟ ଅଚଳ ହୋଇ ପଡ଼ି ରହିଥିବା ବେଳେ ଆଉ କିଛି ଦିନ ପରେ କବାଡ଼ିଆକୁ ଯିବା ସୁନିଶ୍ଚିତ ବୋଲି କୁହାଯାଉଛି। ଅନ୍ୟପଟେ କମିସନରେଟ ପୁଲିସ ଓ ବିଏମ୍‌ସି ନିଜର ଦୋଷ ଖସାଇବାକୁ ଯାଇ କୌଣସି ଉତ୍ତର ଦେଇପାରୁ ନାହିଁ। ଫଳରେ ସବୁ ଟଙ୍କା ପାଣିରେ ପଡ଼ିଲା ବୋଲି କୁହାଯାଉଛି।
ରାଜଧାନୀର ପ୍ରମୁଖ ଛକ ମାନଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୮ଟି ଅତ୍ୟାଧୁନିକ ଶୌଚାଳୟ ୧୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ସ୍ଥାପନ କରାଯାଇଥିଲା। ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ନାଲକୋ ଛକ, ଶିରିପୁର ଛକ, ମହର୍ଷି କଲେଜ ଛକ, ଏଜି ଛକ, ନିକୋ ପାର୍କ ଛକ, କ୍ୟାପିଟାଲ ହସ୍ପିଟାଲ ଛକରେ ଅତ୍ୟାଧୁନିକ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କରାଯାଇଥିଲା।

୨୦୧୯ ମସିହାରେ ତତ୍‌କାଳୀନ ଟ୍ରାଫିକ ଡିସିପି ସାଗରିକା ନାଥ ଆଚାର୍ଯ୍ୟବିହାର ଛକରେ ଭ୍ରାମ୍ୟମାଣ ଶୌଚାଳୟ ଉଦ୍‌ଘାଟନ କରିଥିଲେ। ଯାହାକୁ ନେଇ ଟ୍ରାଫିକ୍ ପରିଚାଳନା କରୁଥିବା କର୍ମଚାରୀ ଖୁସି ହୋଇଥିଲେ। ପାନୀୟ ଜଳ ଓ ଶୌଚ ପାଇଁ ଯେଉଁ ଅସୁବିଧା ହେଉଥିଲା, ତାହା ଦୂର ହେବ ବେଲି ଧାରଣା ସଷ୍ଟି ହୋଇଥିଲା। କିନ୍ତୁ ଉଦ୍‌ଘାଟନର କିଛି ଦିନ ପରେ ଗୋଟେ ପରେ ଗୋଟେ ଭ୍ରାମ୍ୟମାଣ ଶୌଚାଳୟରେ ତାଲା ଝୁଲିବା ଆରମ୍ଭ ହୋଇଥିଲା। ବର୍ଷକ ଭିତରେ ସବୁ ଭ୍ରାମ୍ୟମାଣ ଶୌଚାଳୟରେ ତାଲା ଝୁଲିଲା। ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକର ବ୍ୟବହାର ନ ହେବାରୁ ଅଚଳ ହୋଇ ପଡ଼ିରହିଲା। ଅଚଳାବସ୍ଥାରେ ଅଧିକ ଦିନ ପଡ଼ି ରହିବା ଫଳରେ ବର୍ତ୍ତମାନ କେଉଁଠି ଶୌଚାଳୟର ଛପର ଭାଙ୍ଗି ଗଲାଣି ତ ଆଉ କେଉଁଠି ପାଣି ଟ୍ୟାପି ଭାଙ୍ଗି ବା ସହ ବେସିନ୍‌ ପାନ ଛେପରେ ଭର୍ତ୍ତି ହୋଇ ରହିଛି। ଆଉ ଅନେକ ଶୌଚାଳୟରେ ଘାସ ଉଠିଗଲାଣି। ବର୍ଷା ଦିନ ଚାଲିଥିବା ସରୀସୃପଙ୍କ ବାସସ୍ଥାନ ପାଲଟି ଗଲାଣି।

ଏ ସମ୍ପର୍କରେ କମିସନରେଟ୍‌ ଟ୍ରାଫିକ ପୁଲିସର ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ କହିଛନ୍ତି, ଭୁବନେଶ୍ବରରେ ୮ଟି ଛକରେ ଭ୍ରାମ୍ୟମାଣ ଶୌଚାଳୟ ରହିଛି। ସେଗୁଡ଼ିକ ଅନେକ ଦିନ ହେଲା ଖରାପ ହୋଇ ପଡ଼ି ରହିଥିବା ବେଳେ ବର୍ତ୍ତମାନ ତାଲା ପକାଇ ରଖାଯାଇଛି। ସେହିପରି ବିଏମସିର ଅଧିକାରୀ ଏ ବିଷୟରେ କିଛି କହିପାରିବେନି ବୋଲି ସିଧାସଳଖ ମନା କରିଦେଇଛନ୍ତି। ତେବେ ଉଭୟଙ୍କ ଖାମଖିଆଲ ନୀତି ପାଇଁ ଟ୍ରାଫିକ୍ କର୍ମଚାରୀ ହଟହଟା ହେଉଛନ୍ତି। ଏନେଇ ଆଚାର୍ଯ୍ୟବିହାର ଜଣେ ଟ୍ରାଫିକ୍ କର୍ମଚାରୀ କହନ୍ତି, ଖରା, ବର୍ଷାରେ ଡ୍ୟୁଟି କରୁଛୁ। ପାଖରେ କୌଣସି ଶୌଚାଳୟ ବ୍ୟବସ୍ଥା ନାହିଁ। ପାନୀୟ ଜଳ ଓ ଶୌଚ ପାଇଁ ବହୁତ ଅସୁବିଧା ହେଉଥିଲା। ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରି ଆସିଥିଲୁ। ପରେ ପରେ ଆମ ପାଇଁ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କରାଗଲା ହେଲେ ନୂଆ ନୂଆ ଠିକ୍ ଠାକ୍ ଥିଲା, କିଛି ଦିନ ପରେ ଠିକ୍ ଭାବେ ପାଣି ଆସିଲାନି ତେଣୁ ସେ ବନ୍ଦ ହୋଇ ପଡ଼ିଛି। ପୁଣି ଆମେ ସେହିଭଳି ଅସୁବିଧାରେ ସମ୍ମୁଖୀନ ହେଉଛୁ।

ସମ୍ବନ୍ଧିତ ଖବର