ରାଜଧାନୀରେ ମାଳମାଳ ମୋବାଇଲ୍‌ ଟାୱାର୍‌ : ହୋର୍ଡିଂ ପାଇଁ ଟିକସ ଅଛି, ଟାୱାର ପାଇଁ ନାହିଁ

ଟେଲିକମ୍‌ ସଂସ୍ଥାଙ୍କୁ ବିଏମ୍‌ସିର ଅନୁକମ୍ପା
ବ୍ୟବସାୟୀଙ୍କଠାରୁ ଆଦାୟ ହେଉନି, ଲୋକଙ୍କୁ ଶୋଷଣ

ଭୁବନେଶ୍ବର : ରାଜଧାନୀରେ ଯେଉଁଠି ଆଖି ପଡ଼ିବ ସେଠାରେ ମାଳମାଳ ମୋବାଇଲ୍‌ ଟାୱାର। କେଉଁଠି ଖୋଲା ଜାଗାରେ ତ କେଉଁଠି ଛାତ ଉପରେ। ଏମିତି ରାଜଧାନୀରେ ପ୍ରାୟ ୫୯୩ଟି ମୋବାଇଲ୍‌ ଟାୱାର ବସିଛି। ହେଲେ ବିଏମ୍‌ସି ଏଥିରୁ ଯେତିକି ରାଜସ୍ବ ଆଦାୟ କରିବା କଥା କରୁନି। ଫଳରେ ବର୍ଷକୁ କୋଟି କୋଟି ରାଜସ୍ବ ହରାଉଛି। ଏପରିକି ଯେଉଁ ଘରର ଛାତ ଉପରେ ମୋବାଇଲ୍‌ ଟାୱାର ବା ଓଡିଏସ୍‌ସି ବସିଛି, ସେ ଘରଠାରୁ ବିଏମ୍‌ସି ବ୍ୟାବସାୟିକ ହିସାବରେ ହୋଲଡିଂ ଟିକସ ଆଦାୟ କରୁନି।

ଟେଲିକମ୍‌ ସଂସ୍ଥାକୁ ବିଏମ୍‌ସି ଅନୁକମ୍ପା ଦେଖାଉଥିବା ବେଳେ ଏବେ ସାଧାରଣ ଲୋକଙ୍କୁ ଶୋଷଣ କରୁଛି। ପାର୍କିଂ ଫି’ ଠାରୁ ଆରମ୍ଭ କରି ୟୁଜର୍ସ ଫି’, ପ୍ଲାନ୍‌ ଅନୁମୋଦନ ବେଳେ ଘର ନିର୍ମାଣ ଖର୍ଚ୍ଚର ୧% ଏକ୍ସଟରନାଲ୍‌ ଇନଫ୍ରାଷ୍ଟ୍ରକଚର୍‌ ଡେଭଲପମେଣ୍ଟ ପ୍ଲାନ୍‌ (ଇଆଇଡିପି) ବାବଦକୁ ଆଦାୟ କରୁଛି। ଯେଉଁଠି ନରମ ପଡ଼ୁଛି ବିଏମ୍‌ସି ସେଠାରେ ପ୍ରହାର କରୁଛି। ହେଲେ ଯେଉଁଠୁ ରାଜସ୍ବ ପାଇବାକୁ ହକ୍‌ଦାର, ସେଠାରେ ଆଣ୍ଠଉଛି।

ମିଳିଥିବା‌ ସୂଚନା ଅନୁଯାୟୀ, ରାଜଧାନୀରେ ମୋବାଇଲ୍‌ ଟାୱାର ବସାଇବା ପାଇଁ ବିଏମ୍‌ସି ପୂର୍ବରୁ ବର୍ଷକୁ ଟାୱାର ସ୍ଥାପନ ପାଇଁ ୧ ଲକ୍ଷ ଟଙ୍କା ନେଉଥିଲା। ଏହାବାଦ୍ ନବୀକରଣ ପାଇଁ ତିନି ବର୍ଷରେ ପ୍ରାୟ ୫ ହଜାର ଟଙ୍କା ଲେଖାଏଁ ନେଉଥିଲା। ଏଥିରୁ ମୋଟା ଅଙ୍କର ରାଜସ୍ବ ପାଉଥିଲା। ଏପରିକି କିଛି ସଂସ୍ଥା ନବୀକରଣ କରୁନଥି‌େଲ ବି ବିଏମ୍‌ସି ଧରପଗଡ଼ କରୁନଥିଲା। କିନ୍ତୁ ଗତ ୨ବର୍ଷ ହେଲା ଏହା ଏକରକମ ଠପ୍ ହୋଇଯାଇଛି। ମୋବାଇଲ୍‌ ଟାୱାର ବସାଇ‌େଲ ୧୦ ହଜାର ଟଙ୍କା ବିଏମ୍‌ସି ପାଉଛି। ଆଉ ନବୀକରଣ ଫି’ ଆଦାୟ କରୁନି। ଏ ବାବଦକୁ ବର୍ଷକୁ ପ୍ରାୟ ୩୦ରୁ ୪୦ଲକ୍ଷ ଟଙ୍କା ପାଇବାର ସମ୍ଭାବନା ଥିଲେ ବି ବିଏମ୍‌ସି ଆଦାୟ କରୁନି। ଏପରିକି କିଛି ଟେଲିକମ୍‌ ସଂସ୍ଥା ବିଏମ୍‌ସିର ବିନା ଅନୁମତିରେ ଘର ଉପରେ ଓଡିଏସ୍‌ସି ବସାଉଥିଲେ ବି ବିଏମ୍‌ସି ଟଙ୍କାଟିଏ ବି ଆଦାୟ କରୁନି।

ବିଡ଼ମ୍ବନାର ବିଷୟ, ଯେଉଁ ଲୋକଙ୍କ ଘର ଛାତ ଉପରେ ମୋବାଇଲ୍‌ ଟାୱାର ବସୁଛି, ସେମାନଙ୍କଠାରୁ ବି ବିଏମ୍‌ସି ବ୍ୟାବସାୟିକ ହୋଲଡିଂ ଟିକସ ଆଦାୟ କରୁନି। ଲୋକ ଆବାସିକ ‌ହୋଲଡିଂ ଟିକସ ଦେଉଛନ୍ତି, ଟାୱାର ବସାଉଥିବା ସଂସ୍ଥାରୁ ଭଡ଼ା ପାଉଛନ୍ତି। କିନ୍ତୁ ବିଏମ୍‌ସି ଏ କ୍ଷେତ୍ରରେ ଟଙ୍କାଟିଏ ବି ଟିକସ ଆଦାୟ କରୁନି। ଯେତେବେଳେକି ଘର ଉପରେ ଯଦି କିଏ ହୋର୍ଡିଂଟିଏ ଲଗାଉଛି, ତେବେ ବିଏମ୍‌ସି ଘର ମାଲିକଠାରୁ ଟିକସ ନେଉଛି, ହୋର୍ଡିଂ ଲଗାଉଥିବା ସଂସ୍ଥାଠାରୁ ବି ଟିକସ ନେଉଛି। ବିଏମ୍‌ସିର ହୋର୍ଡିଂ ଓ ମୋବାଇଲ ଟାୱାର କ୍ଷେତ୍ରରେ ପାତରଅନ୍ତର ନୀତି ଦର୍ଶାଉଛି ଯେ ବିଏମ୍‌ସି କିପରି ଟେଲିକମ୍ ସଂସ୍ଥାଙ୍କୁ ଅନୁକମ୍ପା ଦେଖାଉଛି।

ଏନେଇ ବିଏମ୍‌ସିର ରାଜସ୍ବ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଟେଲିକମ୍‌ ନୀତି ଅନୁଯାୟୀ, ଏବେ ମୋବାଇଲ୍‌ ଟାୱାର ପାଇଁ କେବଳ ଥରଟିଏ ୧୦ ହଜାର ଟଙ୍କା ଫି’ ନେଉଛୁ। ନବୀକରଣ ଫି’ ଆଦାୟ ହେଉନି। ବିଏମ୍‌ସିର ରାଜସ୍ବ ବଢ଼ାଇବାକୁ ନଗର ଉନ୍ନୟନ ବିଭାଗ କହୁଛି, ଅଥଚ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମୋବାଇଲ୍‌ ଟାୱାର ପାଇଁ ଥରଟିଏ ଫି’ ଆଦାୟ କରିବାକୁ ନିୟମ କରିଦେଇଛି। ତେଣୁ ଆମେ ଟିକସ ଆଦାୟ କରିପାରୁନୁ। ଏପରିକି ପୂର୍ବରୁ ଯେଉଁ ସଂସ୍ଥାଗୁଡ଼ିକ ଟାୱାର ନବୀକରଣ ଫି’ ଦେଇନାହାନ୍ତି ସେମାନେ ବି ଏବେ ଦେଉନାହାନ୍ତି।

ସେହିପରି ଯେଉଁ ଘରଗୁଡ଼ିକରେ ମୋବାଇଲ୍‌ ଟାୱାର ବସିଛି ସେହି ଘରୁ ବ୍ୟାବସାୟିକ ହୋଲଡିଂ ଟିକସ ଆଦାୟ ହେବା କଥା। କିନ୍ତୁ ୱାର୍ଡ ଅଫିସରମାନେ ଆଦାୟ କରୁନାହାନ୍ତି। ଯଦି ଟାୱାର ବସାଇଥିବା ଲୋକଙ୍କ ଘରୁ ହୋଲଡିଂ ଟିକସ ଆଦାୟ କରାଯାଏ ଏବଂ ଟାୱାର ବସାଇବା ଓ ନବୀକରଣ ଫି’ ବଢ଼ାଯାଏ, ତେବେ ବିଏମ୍‌ସି ବର୍ଷକୁ ପ୍ରାୟ ୨ରୁ ୩କୋଟି ଟଙ୍କା ରାଜସ୍ବ ପାଇବ। ଏନେଇ ବିଏମ୍‌ସି କମିସନର୍‌ ଏବଂ ବିଏମ୍‌ସିର ଡେପୁଟି କମିସନର୍‌ (ରାଜସ୍ବ)ଙ୍କୁ ପଦକ୍ଷେପ ନେବାକୁ ହେବ। ନଚେତ ବିଏମ୍‌ସିର ବ୍ୟାବସାୟିକ ଅନୁଷ୍ଠାନ ପ୍ରୀତିରେ ସାଧାରଣ ଲୋକ ଶେ‌ାଷଣ ହେଉଥିବେ।

ସମ୍ବନ୍ଧିତ ଖବର