ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱରର ବାରିକ ସାହିର ବୃଦ୍ଧା ରାଣୀ ସାହୁ। ବୟସ ୧୦୨। ଅସୁସ୍ଥତା ଯୋଗୁଁ ଶଯ୍ୟାରୁ ଉଠିପାରୁନାହାନ୍ତି। ହଠାତ୍ ଜ୍ବର ଆସିବାରୁ ପରିବାର ଲୋକ ଚିନ୍ତିତ ହୋଇଯାଇଥିଲେ। କରୋନା ଲକ୍ଷଣ ଥିବାରୁ ପରୀକ୍ଷା କରିବାକୁ ଚାହୁଁଥିଲେ, କିନ୍ତୁ ହସ୍ପିଟାଲକୁ ନେବା ସମ୍ଭବ ନଥିଲା। ଏହାପରେ ବିଏମ୍ସିକୁ ଖବର ଦେଲେ। ବିଏମ୍ସି କର୍ତ୍ତୃପକ୍ଷ ଘରକୁ ଗାଡ଼ି ପଠାଇ ବୃଦ୍ଧାଙ୍କର କରୋନା ପରୀକ୍ଷା କରାଇଲେ। ଏହିପରି ବହୁ ଅସହାୟ, ବୃଦ୍ଧବୃଦ୍ଧା, ଭିନ୍ନକ୍ଷମଙ୍କ ପାଖରେ ପହଞ୍ଚି ବିଏମ୍ସି କରୋନା ପରୀକ୍ଷା କରୁଛି। ଦୁଇ ମାସ ହେଲା ଚାଲିଥିବା ଏହି ଅଭିଯାନରେ ୨୪୦୦ରୁ ଅଧିକ ଅସହାୟ ଲୋକଙ୍କର କରୋନା ପରୀକ୍ଷା ସରିଲାଣି। ଏଥିରେ ୭୦୦ଜଣ ବରିଷ୍ଠ ନାଗରିକ, ୭୦ଜଣ ଗର୍ଭବତୀ ମହିଳା, ୨୦୦ଜଣ ଭିନ୍ନକ୍ଷମଙ୍କ ସମେତ ବହୁ ଅସହାୟ ଲୋକଙ୍କର ଘରେ କରୋନା ପରୀକ୍ଷା କରାଯାଇଛି। ଅଧିକରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ବିଏମ୍ସି ପକ୍ଷରୁ ସମସ୍ତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରୁ ଆରମ୍ଭ କରି ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା କରାଯାଉଛି। ତଥାପି ବି ଯେଉଁ ଅସହାୟ ବ୍ୟକ୍ତିମାନେ କରୋନା ପରୀକ୍ଷା କରିବାକୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇପାରୁନାହାନ୍ତି ସେମାନଙ୍କ ଘରକୁ ମୋବାଇଲ୍ ଭ୍ୟାନ୍ ପଠାଇ ବିଏମ୍ସି କରୋନା ପରୀକ୍ଷା କରାଉଛି। ଅପରପକ୍ଷେ ବିଏମ୍ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ ଯେଉଁ ଲୋକମାନେ ଅସହାୟତା ଯୋଗୁଁ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ କରୋନା ପରୀକ୍ଷା କରିପାରୁନଥିବେ ସେମାନେ ୧୯୨୯ ନମ୍ବରରେ ଫୋନ୍ କଲେ ତାଙ୍କ ଘରକୁ ମୋବାଇଲ୍ ଟେଷ୍ଟିଂ ଭ୍ୟାନ୍ ପଠାଇ କରୋନା ପରୀକ୍ଷା କରାଯିବ।
ଅସହାୟଙ୍କ ଭରସା ପାଲଟିଛି ମୋବାଇଲ୍ ଭ୍ୟାନ୍, ଘରେ ପହଞ୍ଚି କରୁଛି କରୋନା ପରୀକ୍ଷା
୧୦୨ ବର୍ଷର ମହିଳାଙ୍କର ଘରେ ହେଲା ପରୀକ୍ଷା