ଭ୍ରମ ସୃଷ୍ଟି କଲା ମକ୍‌-ଡ୍ରିଲ୍‌ : ଏସ୍‌ପ୍ଲାନେଡ୍‌ ୱାନ୍‌ରେଆତଙ୍କୀ ଆକ୍ରମଣ!

ବିସ୍ଫୋରଣ ଶବ୍ଦରେ ‌ଲୋକ ଛାନିଆ, ଆତଙ୍କବାଦୀ ଆକ୍ରମଣର ମୁକାବିଲା ନେଇ ପ୍ରସ୍ତୁତି

ଭୁବନେଶ୍ବର : ସକାଳ ପ୍ରାୟ ୯ଟା। ହଠାତ୍‌ ଏସ୍‌ପ୍ଲାନେଡ୍‌ ୱାନ୍‌ ମଲ୍‌ରୁ ଲଗାତାର ଦୁଇଟି ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ। ମଲ୍‌ ଭିତରକୁ ଦୁଇଜଣ ଆତଙ୍କବାଦୀ ପଶି ଆସିଥିଲେ। ମଲ୍‌କୁ ପୂରା ଧ୍ବଂସ କରିଦେବା ପାଇଁ ମଲ୍‌ର ବିଭିନ୍ନ ସ୍ଥାନରେ ବୋମା ଖଞ୍ଜିଥିଲେ। କିନ୍ତୁ ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍‌ (ଏଟିଏସ୍‌)ର ଏକ ଦଳ ସେମାନଙ୍କ ଯୋଜନାକୁ ଭଣ୍ଡୁର କରି ଦେଇଥିଲା। ପାଖାପାଖି ଅଧ ଘଣ୍ଟାର ଅପରେସନ୍‌ ପରେ ସ୍କ୍ବାଡ୍‌ ଗୋଟିଏ ଆତଙ୍କବାଦୀଙ୍କୁ ନିହତ କରିବା ସହ ଅନ୍ୟଜଣଙ୍କୁ କାବୁ କରିଥିଲା। ଏହାପରେ ମଲ୍‌ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ମାତ୍ର କିଛି ସମୟ ମଧ୍ୟରେ ଆମ୍ବୁଲାନ୍ସ, ଅଗ୍ନିଶମ ସେବା ସଂସ୍ଥାର ଗାଡ଼ି, ଏନ୍‌ଡିଆର୍‌ଏଫ ଦଳ ପହଞ୍ଚି ଯାଇଥି‌ଲେ। ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ମଲ୍‌ରେ ପହଞ୍ଚି ଖଞ୍ଜାଯାଇଥିବା ବୋମାକୁ ନିଷ୍କ୍ରିୟ କରିଥିଲା।

ଗତକାଲି ପାକିସ୍ତାନର ଯୁଦ୍ଧ ଧମକ ପରେ ଆଜି ହଠାତ୍‌ ମଲ୍‌ ପରିସରରେ ବିସ୍ଫୋରଣ ଓ ଆତଙ୍କବାଦୀ ପଶିବା ଖବର ସ୍ଥାନୀୟ ଲୋକଙ୍କୁ ଚିନ୍ତିତ ଓ ଭୟଭୀତ କରିଥିଲା। କଶ୍ମୀର, ମୁମ୍ବାଇ ଭଳି ଆତଙ୍କବାଦୀ ଆକ୍ରମଣ ସମୟର ଲୋମଟାଙ୍କୁରା ଦୃଶ୍ୟ ମଲ୍‌ ବାହାରୁ ଦେଖୁଥିବା ଲୋକ ହତବାକ୍‌ ହୋଇଯାଇଥିଲେ। ଆଉ କିଛି ଆତଙ୍କବାଦୀ ମଧ୍ୟ ସହର ଭିତରକୁ ପଶି ଆସିଥିବା ସନ୍ଦେହ କରି ସେମାନେ ନିଜ ନିଜ ଘରକୁ ଫୋନ୍‌ କରି ସତର୍କ ରହିବାକୁ ପରାମର୍ଶ ଦେଇଥିଲେ।

ତେବେ ଖବର ବୁଝୁବୁଝୁ ଜଣାପଡ଼ିଥିଲା ଯେ ଏହା ସତସତିକା ଆତଙ୍କବାଦୀ ଆକ୍ରମଣ ନଥିଲା। ଆତଙ୍କବାଦୀ ଆକ୍ରମଣ ହେଲେ ନିଜକୁ, ମଲ୍‌କୁ ଓ ମଲ୍‌ ପରିସର ତଥା ଆଖପାଖ ଅଞ୍ଚଳରେ ଥିବା ଲୋକଙ୍କୁ କିପରି ରକ୍ଷା କରାଯାଇପାରିବ, ବିସ୍ଫୋରଣରେ ଲାଗିଥିବା ନିଆଁକୁ କିପରି ଆୟତ୍ତ କରାଯାଇପାରିବ, ଆତଙ୍କବାଦୀଙ୍କୁ କିପରି କାବୁ କରାଯାଇପାରିବ ଓ ବିସ୍ଫୋରଣରେ ଆହତ ଲୋକଙ୍କ ଡାକ୍ତରଖାନା ନିଆଯିବ, ତାହାର ଏକ ମକ୍‌ ଡ୍ରିଲ ପ୍ରଦର୍ଶିତ ହୋଇଥିଲା। ମଲ୍‌ କର୍ତୃପକ୍ଷ ଓ କମିସନରେଟ୍‌ ପୁଲିସର ମିଳିତ ଉଦ୍ୟମରେ ମଲ୍‌ର କର୍ମକର୍ତ୍ତାମାନଙ୍କୁ ତାଲିମ ଦେବା ପାଇଁ ଏହାର ଆୟୋଜନ କରାଯାଇଥିଲା। ଏଥିରେ କମିସନରେଟ୍‌ ପୁଲିସର ଏକ ବିଶାଳ ଫୋର୍ସ ସହ ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍‌, ଅଗ୍ନିଶମ ବିଭାଗ, ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍ ଓ ସିଭିଲ୍‌ ଡିଫେନ୍ସ ଫୋର୍ସ ସାମିଲ ହୋଇଥିଲେ। ପ୍ରାୟ ଘଣ୍ଟାଏ ଧରି ଆତଙ୍କବାଦୀ ଆକ୍ରମଣର ସମସ୍ତ ସମ୍ଭାବ୍ୟ ପରିସ୍ଥିତିକୁ ଏଠାରେ ସୃଷ୍ଟି କରାଯାଇ ମଲ୍‌ କର୍ତୃପକ୍ଷ ଓ କର୍ମଚାରୀଙ୍କୁ ତାଲିମ୍‌ ପ୍ରଦାନ କରାଯାଇଥିଲା।

ଭୁବନେଶ୍ବର ଉପଅଗ୍ନିସେବା ଅଧିକାରୀ ରମେଶ ଚନ୍ଦ୍ର ମାଝି କହିଛନ୍ତି, ମଲ୍‌, ବସଷ୍ଟାଣ୍ଡ, ଷ୍ଟେସନ୍‌, ସଭାସମିତି, ବଡ଼ ହୋଟେଲ ଭଳି ଜନଗହଳିପୂର୍ଣ୍ଣ ସ୍ଥାନକୁ ଆତଙ୍କବାଦୀମାନେ ଟାର୍ଗେଟ୍‌ କରିଥା’ନ୍ତି। ଏଣୁ ସେହି ସ୍ଥାନର କର୍ତୃପକ୍ଷ ଓ କର୍ମଚାରୀ ଏଥିପାଇଁ ପ୍ରସ୍ତୁତ ରହିବା ଉଚିତ। ଏସ୍‌ପ୍ଳାନେଡ୍‌-ୱାନ୍‌ ମଲ୍‌ରେ ଅହରହ ଲୋକଙ୍କ ଭିଡ଼ ଜମୁଥିବାରୁ ମଲ୍‌ କର୍ତୃପକ୍ଷ ଏନେଇ ଚିନ୍ତା କରିବା ଓ ଏଭଳି ଏକ ମକ୍‌ ଡ୍ରିଲର ଆୟୋଜନ କରିବା ନିହାତି ସ୍ବାଗତଯୋଗ୍ୟ। ବିଭିନ୍ନ ସ୍ଥାନରେ ଏଭଳି ମକ୍‌ ଡ୍ରିଲ କରି ଲୋକଙ୍କୁ ସଚେତନ କରାଯିବା ଉଚିତ ବୋଲି ସେ କହିଛନ୍ତି। ମଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବର୍ଷେ ମଧ୍ୟରେ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ବିଭିନ୍ନ ସୁରକ୍ଷା ଅଧିକାରୀଙ୍କ ସହଯୋଗରେ ୨ଟି ମକ୍‌ ଡ୍ରିଲ୍‌ ହୋଇଥିଲା। ଦେଶରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାରୁ ଏହାର ପ୍ରାସଙ୍ଗିକତାକୁ ନଜରରେ ରଖି ଏହି ତୃତୀୟ ମକ୍‌ ଡ୍ରିଲ୍‌ର ଏହି ବିଷୟବସ୍ତୁ ରଖିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର