ଭୁବନେଶ୍ବର: ପଳାସୁଣିରେ ହେବ ମଡେଲ ହାଟ। ମେଟ୍ରୋ ସହର ଭଳି ନିର୍ମାଣ ହେବାକୁ ଥିବା ଏହି ହାଟ ପାଇଁ ନକ୍ସା ଜାରି କରିଛି ବିଏମ୍‌ସି। ହୋଲ୍‌ସେଲ୍‌ ମାର୍କେଟ୍‌ କେଉଁଠି ରହିବ? ଖୁଚୁରା ମାର୍କେଟ୍‌ କେଉଁଠି ରହିବ? ଆମିଷ ମାର୍କେଟ୍‌ ଓ ପନିପରିବା ଓ ଗ୍ରୋସରି ବଜାର କେଉଁଠି ରହିବ? ଗାଡ଼ି କେଉଁଠି ପାର୍କିଂ ହେବ? କେଉଁପଟେ ପ୍ରବେଶ, କେଉଁ ପଟେ ପ୍ରସ୍ଥାନ ହେବ ତାହାର ଏକ ରେଖାଚିତ୍ର ପ୍ରସ୍ତୁତ କରାଯାଇଛି। ଏହା ଗୃହୀତ ହେବା ପରେ ସେହି ଢଙ୍ଗରେ ବଜାର ନିର୍ମାଣ ହେବ ବୋଲି ସୂଚନା ମିଳିଛି।

Advertisment

ରାସ୍ତାକଡ଼ରୁ ସମସ୍ତ ବ୍ୟବସାୟୀଙ୍କୁ ହଟାଇ ନିଆଯିବ। ହୋଲ୍‌ସେଲ୍‌ ଓ ଖୁଚୁରା ଏଭଳି ପ୍ରାୟ ଦେଢ଼ ହଜାର ବ୍ୟବସାୟୀଙ୍କୁ ଏଠାରେ ଥଇଥାନ କରାଯିବ। ୩ ମହଲା ବିଶିଷ୍ଟ କୋଠାରେ ଏହି ହାଟ ତିଆରି ହେବ। ଆମିଷ ବଜାରକୁ ଶୀତତାପ ନିୟନ୍ତ୍ରିତ କରାଯିବ। ପନିପରିବା ଓ ତେଜରାତି ସାମଗ୍ରୀ ପାଇଁ ପୃଥକ ପୃଥକ ମହଲାରେ ବ୍ୟବସ୍ଥା ହେବ। ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥା କରାଯିବ। ରାଜଧାନୀରେ ଏହା ଏକ ବୃହତ୍‌ ବ୍ୟବସାୟିକ ପେଣ୍ଠସ୍ଥଳୀ ହେବ। ନିକଟ ଅତୀତରେ ଆମିଷ ବଜାର ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଏବଂ ବିଏମ୍‌ସି ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରିବା ସହ ଜମି ଚିହ୍ନଟ କରିଥିଲେ।

ମିଳିଥିବା ସୂଚନା ମୁତାବକ, ବଜାରକୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ଜେନେରେଟର୍‌ ବ୍ୟବସ୍ଥା ସହ ଜଳଅମଳ ପ୍ରକଳ୍ପ ଓ ଶୁଦ୍ଧ ପାନୀୟ ଜଳ ପାଇଁ ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ଗ୍ରାହକମାନେ ବିଭିନ୍ନ ବଜାର ବୁଲି ଜିନିଷ କିଣିବା ପାଇଁ ଯଥେଷ୍ଟ ଖୋଲା ଜାଗା ରହିବ। ଗ୍ରାହକଙ୍କ ବିଶ୍ରାମ ନେବା ପାଇଁ ସ୍ଥାନ ସହ ଶିଶୁମାନଙ୍କ ପାଇଁ ଖେଳିବାକୁ ସରଞ୍ଜାମ ମଧ୍ୟ ରହିବ। ଆମିଷ ପାଣି ଯେଭଳି ତୁରନ୍ତ ନିଷ୍କାସିତ ହୋଇପାରିବ, ସେ ନେଇ ଭୂତଳ ବ୍ୟବସ୍ଥା ହେବ। ବ୍ୟବସାୟୀମାନଙ୍କ ପାଇଁ ଶୀତଳ ଭଣ୍ଡାର ହେବ।