ମଡେଲ ପୁଲିସ ଷ୍ଟେସନ: ଥାନା ଅଛି ଆଦର୍ଶ ନାହିଁ

ଭୁବନେଶ୍ୱର: ସ୍ମାର୍ଟ ହେବ ପୁଲିସ। ଥାନାରେ ଆତିଥ୍ୟତା ମିଳିବ। ନ୍ୟାୟ ପାଇବେ ଅଭିଯୋଗକାରୀ। ଏଭଳି ଏକ ଉଦ୍ଦେଶ୍ୟ ରଖି ଆରମ୍ଭ ହୋଇଥିଲା ଆଦର୍ଶ ଥାନା ଯୋଜନା। ଏୟାରପୋର୍ଟ ଥାନାକୁ ଆଦର୍ଶ ଥାନା ଭାବରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଉଦ୍‌ଘାଟନ ମଧ୍ୟ କରିଥିଲେ। ଏହା ସହିତ ରାଜ୍ୟରେ ୩୫ ଥାନା ମଧ୍ୟ ସମାନ୍ତରାଳ ଭାବରେ କାର୍ଯ୍ୟକ୍ଷମ ହୋଇଛି। ହେଲେ ରାଜଧାନୀରେ ଆଦର୍ଶ ଥାନା ଏକ ବିଚିତ୍ର ସ୍ଥିତିରେ ରହିଛି। ଥାନା ଅଛି, ହେଲେ ଆଦର୍ଶ ଉଭାନ୍‌ ହୋଇଯାଇଛି। ଏକମାତ୍ର ଲ୍ୟାଣ୍ଡ ଲାଇନ୍‌ ନମ୍ବର ଥାନା ଆଇଆ‌ଇସିଙ୍କ ପାଇଁ ରହିଥିବା ବେଳେ ଡିସିଓ (ଡାଇରି ଚାର୍ଜ ଅଫିସର)ଙ୍କ ପାଇଁ ସ୍ବତନ୍ତ୍ର ଟେଲିଫୋନ୍ ସଂଯୋଗ ନାହିଁ। ଥାନାକୁ ଇଣ୍ଟରନେଟ୍‌ ସଂଯୋଗ ନଥିବାରୁ ଅନ୍‌ ଲାଇନ୍‌ରେ ଅଭିଯୋଗପତ୍ର ପ୍ରଦାନ କରାଯାଇ ପାରୁନାହିଁ। ଫଳରେ ଏୟାର‌ପୋର୍ଟ ଭିତରେ କୌଣସି ଯାତ୍ରୀ କିମ୍ବା ସହଯୋଗୀ ଥାନାକୁ ଆସି ନ ପାରି ଅନ୍‌ ଲାଇନ୍‌ରେ ଅଭିଯୋଗ କରିବାକୁ ଚାହିଁଲେ ସମ୍ଭବ ହେଉ ନାହିଁ। ସବୁଠାରୁ କୌତୂହଳ ପ୍ରଦ କଥା ହେଉଛି ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ବଦଳି ପରେ ଏହି ପଦବି ଖାଲି ପଡ଼ିଛି। ଏହି ଆଦର୍ଶ ଥାନାର ଭାରପ୍ରାପ୍ତ ଇନ୍‌ସ୍‌ପେକ୍ଟର ଏବେ ଉଭୟ ଥାନାର ଦାୟିତ୍ବ‌ ନେଇଛନ୍ତି। ଫଳରେ ଆଦର୍ଶ ବାଟବଣା ହୋଇଛି। ଖୋଦ୍‌ ରାଜଧାନୀରେ ଆଦର୍ଶ ଥାନାର ଏଭଳି ଚିତ୍ର ରହିଥିବା ବେଳେ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ଏଭଳି ଥାନାଗୁଡ଼ିକର ଚିତ୍ର କିଭଳି ଥିବ ତାହା ସହଜରେ ଅନୁମେୟ।

ଥାନା ଓ ପୁଲିସ ପ୍ରତି ଲୋକଙ୍କ ମନରେ ଥିବା ନକରାତ୍ମକ ଚିନ୍ତାଧାରାକୁ ବଦଳାଇବା ଲକ୍ଷ୍ୟ ନେଇ ଏହି ଆଦର୍ଶ ଥାନାର ପରିକଳ୍ପନା କରାଯାଇଥିଲା। ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରର ଏୟାରପୋର୍ଟ ଥାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ୨୦୧୮ ନଭେମ୍ବର ୨୬ ତାରିଖ ଦିନ ଏହାକୁ ଉଦ୍‌ଘାଟନ କରିଥିଲେ। ସମାନ୍ତରାଳ ଭାବରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନ୍ୟ ୩୪ ଥାନା ମଧ୍ୟ ଉଦ୍‌ଘାଟନ କରିଥିଲେ। ଥାନାରେ ଅଭିଯୋଗକାରୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେବାକୁ ପ୍ରାଥମିକତା ଦିଆଯିବା ସହ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ ବୋଲି ଘୋଷଣା ହୋଇଥିଲା। ମହିଳାମାନଙ୍କ ସହ ଶିଶୁ ଥିଲେ ସେମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ଯୋଗାଇ ଦିଆଯିବ। ପାନୀୟଜଳ ଓ ଟଏଲେଟ୍‌ ସୁବିଧା ସହ ସ୍ତନ୍ୟପାନ କରାଇବା ପାଇଁ ସ୍ବତନ୍ତ୍ର କକ୍ଷ ରହିବ। ପ୍ରଥମ ମହଲାରେ ଥାନା ସହ ହାଜତ ଓ ମାଲ୍‌ ଖାନା ରହିବ। ଦ୍ବିତୀୟ ମହଲାରେ ପାସ୍‌ପୋର୍ଟ ଯାଞ୍ଚ ସେଲ୍‌ ଓ କନ୍‌ଫରେନ୍‌ସ୍‌ ହଲ ଥିବା ବେଳେ ଉପର ମହଲା ବାରାକ୍‌ ରହିବ। ଅଭିଯୋଗ ନେଇ ଆସିଥିବା ସାଧାରଣ ଲୋକଙ୍କୁ ପ୍ରାଧାନ୍ୟ ଦିଆଯିବା ସହ ଅଭ୍ୟର୍ଥନା ପ୍ରଦାନ ପାଇଁ ପୁଲିସ ସ୍ବତନ୍ତ୍ର ଧ୍ୟାନ ଦେବ ବୋଲି ଯୋଜନା ଥିଲା। ଏବେ ଏହି ଥାନାକୁ ଦୁଇମାସ ପୂରିବାକୁ ବସିଛି। ହେଲେ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି। ଜଣେ ଅଧିକାରୀ ଦୁଇଟି ଥାନା ଦାୟିତ୍ବରେ ଥିବାରୁ ଏହି ଥାନା ପ୍ରତି ଶତପ୍ରତିଶତ ସମୟ ଦେବା ସମ୍ଭବ ହେଉ ନାହିଁ। ନୂଆବର୍ଷର ୧୪ ଦିନରେ ମାତ୍ର ୫ଟି ମାମଲା ହୋଇଛି; ଯେଉଁଥିରେ ୨ଟି ଅପମୃତ୍ୟୁ ମାମଲା ରହିଛି। ଏହି ଥାନା ଅଧୀନରେ ଏୟାରପୋର୍ଟ ରହିଛି। ଏଠାରେ ଅନେକ ଯାତ୍ରୀ ସମୟ ଅଭାବରୁ ଅନ୍‌ଲାଇନ୍‌ରେ ଅଭିଯୋଗ କରନ୍ତି। କିନ୍ତୁ ଇଣ୍ଟରନେଟ୍‌ ସଂଯୋଗ ହୋଇ ନଥିବାରୁ ଅଭିଯୋଗ ପ୍ରଦାନ କରିବା ସମ୍ଭବ ହେଉନାହିଁ। ୱେବ୍‌ସାଇଟ୍‌ରେ ଏହି ଥାନା ସମ୍ବନ୍ଧରେ ତଥ୍ୟ ଥିଲେ ମଧ୍ୟ ଏଥିରେ ଫୋନ୍‌ ନମ୍ବର କିମ୍ବା ଇ-ମେଲ୍‌ ସମ୍ପର୍କରେ ସୂଚନା ନାହିଁ। ତେବେ ଥାନା ଭାରପ୍ରାପ୍ତ ଅଧିକାରୀ ବଳରାମ ନାୟକ କହିଛନ୍ତି, ଇଣ୍ଟରନେଟ୍‌ ପାଇଁ ଆବେଦନ ହୋଇଛି। ସଂଯୋଗ ଆସିବା ପରେ ଅନ୍‌ ଲାଇନ୍‌ ଅଭିଯୋଗ ଗ୍ରହଣ କରାଯିବ। ଏଥିପାଇଁ ନିର୍ଦ୍ଦିଷ୍ଟ ଇମେଲ୍‌ ମଧ୍ୟ କମିସନରେଟ୍‌ ପୁଲିସ ୱେବ୍‌ସାଇଟ୍‌ରେ ପ୍ରଦର୍ଶିତ ହେବ।

ସମ୍ବନ୍ଧିତ ଖବର