କଟକ: ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ କଳାରାହାଙ୍ଗଠାରେ ଘଟିଥିବା ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ତଦନ୍ତ ତିନି ମାସ ଭିତରେ ଶେଷ କରିବାକୁ କ୍ରାଇମବ୍ରାଞ୍ଚକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ‌ସୌମ୍ୟଙ୍କ ଭଉଣୀ ସୌଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏ ସଂପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆବେଦନକାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।

Advertisment

ସୂଚନା ମୁତାବକ, ଗତ ୨୦୨୨ ଜାନୁଆରି ୩୦ ତାରିଖ ଦିନ ସୌମ୍ୟରଞ୍ଜନ ଆତ୍ମହତ୍ୟାକୁ ନେଇ ବିବାଦ ଦେଖାଦେଇଥିଲା। ପୁଲିସ ଅପମୃତ୍ୟୁ ମାମଲା ରୁଜୁକରିଥିବା ବେଳେ ପରିବାରଲୋକ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ। ସୌମ୍ୟଙ୍କ ମୃତ୍ୟୁପାଇଁ ବାନ୍ଧବୀ ସୋନାଲି ନନ୍ଦଙ୍କୁ ଦାୟୀ କରିଥିଲେ। ସୌମ୍ୟ ଓ ସୋନାଲିଙ୍କ ମଧ୍ୟରେ ଥିବା ସମ୍ପର୍କ ବିବାହ ପର୍ଯ୍ୟନ୍ତ ବଢ଼ିଥିବା ବେଳେ କିଭଳି ପ୍ରେମ ସମ୍ପର୍କ ତିକ୍ତତାରେ ପରିଣତ ହୋଇଥିଲା। ସୋନାଲିଙ୍କ ମାନସିକ ନିର୍ଯାତନା ସହିନପାରି ସୌମ୍ୟ ଆତ୍ମହତ୍ୟା କରିଥିଲେ। ଯାହା ସୌମ୍ୟଙ୍କ ସୁଇସାଇଡ୍‌ ନୋଟ୍‌ରୁ ମିଳିଥିବା ତଥ୍ୟ ଧୀରେ ଧୀରେ ସେମାନଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟକୁ ପଦାକୁ ଆଣିଥିଲା। କେବଳ ଏତିକି ନୁହେଁ ସେମାନଙ୍କ ମଧ୍ୟରେ ଥିବା ଅଡିଓ ବାର୍ତ୍ତାଳାପ, ହ୍ବାଟସ୍‌ଆପ୍‌ ମେସେଜ୍‌ ଆଦି ଭାଇରାଲ୍‌ ହୋଇଥିଲା। ଯେଉଁଥିରୁ ପ୍ରେମିକାଙ୍କ ପ୍ରତାରଣା ଓ ନିର୍ଯାତନା କଥା ସ୍ପଷ୍ଟ ହୋଇଥିଲା। ପୁଅର ଆତ୍ମହତ୍ୟା ପାଇଁ ସୋନାଲିଙ୍କ ମା’ଙ୍କୁ ମଧ୍ୟ ଦାୟୀ କରାଯାଇଥିଲା।

ଗତ ଫେବ୍ରୁଆରି ୨ତାରିଖ ଦିନ ସୌମ୍ୟରଞ୍ଜନଙ୍କ ଭଉଣୀ ଇନ୍‌ଫୋସିଟି ଥାନାରେ ସୋନାଲି ଓ ତାଙ୍କ ମା’ଙ୍କ ବିରୋଧରେ ଏକ ଏତଲା ଦେଇଥିଲେ। ସେହିପରି ଫେବ୍ରୁଆରି ୧୯ତାରିଖରେ ଭୁବନେଶ୍ୱର ଡିସିପିଙ୍କ ପାଖରେ ଅଭିଯୋଗ ମଧ୍ୟ କରିଥିଲେ। ତଦନ୍ତରେ କୌଣସି ଅଗ୍ରଗତି ନହେବାରୁ ପୁଲିସ ନିଷ୍କ୍ରିୟତା ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୨ ଫେବ୍ରୁଆରି ୨୩ରେ ହାଇକୋର୍ଟ ମାମଲାର ଶୁଣାଣି କରି ଏ ସଂପର୍କିତ ଅଭିଯୋଗ ଉପରେ ତିନି ସପ୍ତାହ ଭିତରେ ଆଇନ ଅନୁସାରେ ନିଷ୍ପତ୍ତି ନେବାକୁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରହଣ କରାଯିବାକୁ ଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଆବେଦନକାରୀଙ୍କୁ ଅବଗତ କରିବାକୁ ବି କହିଥିଲେ। ମାତ୍ର, ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିବା ଦର୍ଶାଇ ସୌମ୍ୟଙ୍କ ଭଉଣୀ ହାଇକୋର୍ଟରେ ଡିସିପିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ।

ଅନ୍ୟପକ୍ଷରେ, ୨୦୨୨ ଏପ୍ରିଲ ୧୯ରେ ଏ ନେଇ ଇନ୍‌ଫୋସିଟି ଥାନାରେ ଏତଲା ରୁଜୁ ହୋଇଥିଲା। କିନ୍ତୁ ତଦନ୍ତ ପ୍ରକ୍ରିୟାରେ ଅସନ୍ତୋଷବ୍ୟକ୍ତ କରି ସୌମ୍ୟଙ୍କ ଭଉଣୀ ପୁଣି ହାଇକୋର୍ଟରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ଗତ ଜୁଲାଇ୧୧ରେ ମାମଲା ଦାୟର କରିଥିଲେ। ମାମଲାରେ ଗୃହ ବିଭାଗ, ଭୁବନେଶ୍ବର ଡିସିପି ଓ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।