ମଡେଲ୍‌ ସୌମ୍ୟରଞ୍ଜନ ଆତ୍ମହତ୍ୟା ପ୍ରସଙ୍ଗ: କଣ୍ଠଶିଳ୍ପୀ ସୋନାଲିଙ୍କ ନାଁରେ ମାମଲା ରୁଜୁ

ଚନ୍ଦ୍ରଶେଖରପୁର: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ‌ମଡେଲ୍ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲା ଏବେ ନୂଆ ମୋଡ଼ ନେଇଛି। ସୌମ୍ୟଙ୍କ ଆତ୍ମହତ୍ୟାର ପ୍ରାୟ ଅଢ଼େଇ ମାସ ପରେ ଇନ୍‌ଫୋସିଟି ଥାନା ପୁଲିସ୍ କଣ୍ଠଶିଳ୍ପୀ ସୋନାଲି ଓ ତାଙ୍କ ମା’ଙ୍କ ନାମରେ ମାମଲା ରୁଜୁ କରିଛି। ତେଣୁ ଏବେ ସୋନାଲି ଓ ତାଙ୍କ ମା’ଙ୍କ ପାଇଁ ଅଡ଼ୁଆ ବଢ଼ିଲା ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ସୌମ୍ୟ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ। ସେଥିରେ ସେ ତାଙ୍କ ପ୍ରେମିକା କଣ୍ଠଶିଳ୍ପୀ ସୋନାଲିଙ୍କୁ ଧୋକା ଦେଇଥିବା ନେଇ ଉଲ୍ଲେଖ କରିଥିଲେ। ଉକ୍ତ ଚିଠି ଅନୁସାରେ ସୌମ୍ୟ ଭଲ ପାଇବା ପାଇଁ ସୋନାଲିଙ୍କ ପିଛା ବହୁ ଅର୍ଥ ବ୍ୟୟ କରିଥିଲେ। ମାତ୍ର ପରେ ସୋନାଲି ତାଙ୍କୁ ପ୍ରତାରଣା କରି ଅନ୍ୟ ଜଣଙ୍କୁ ଭଲ ପାଇବସିଲେ। ସୌମ୍ୟ ପଚାରିବାରୁ ସୋନାଲି ତାଙ୍କୁ ବହୁ ଧିକ୍କାର କରିଥିଲେ। ଏମିତିକି ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେବା ପରେ ମଧ୍ୟ ସୋନାଲି କର୍ଣ୍ଣପାତ କରିନଥିଲେ।

ବରଂ ସୌମ୍ୟ ଆତ୍ମହତ୍ୟା କଲେ, ତାଙ୍କ ପାଇଁ କିଛି ଫରକ ପଡ଼ିବନି ବୋଲି ସୋନାଲି ରୋକଠୋକ୍ କହିଥିଲେ। କେବଳ ସେତିକି ନୁହେଁ, ଏନେଇ ସୌମ୍ୟ ସୋନାଲିଙ୍କ ମା’ଙ୍କ ସହ ଯୋଗାଯୋଗ କରିବାରୁ ସେ ମଧ୍ୟ ତାଙ୍କୁ ତାଙ୍କ ଝିଅ ପିଛା ଛାଡ଼ିଦେବାକୁ କହିଥିଲେ। ଏହି ଫୋନ୍‌ କଲ୍‌ ମଧ୍ୟ ଭାଇରାଲ୍‌ ହୋଇଥିଲା। ତେଣୁ ମାନସିକ ଚାପର ବଶବର୍ତ୍ତୀ ହୋଇ ସୌମ୍ୟ ଆତ୍ମହତ୍ୟା କରିଥିଲେ। ଏସବୁ ପ୍ରମାଣ ହାତରେ ଲାଗିବା ପରେ ସୌମ୍ୟଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା।

ସୌମ୍ୟଙ୍କ ଆତ୍ମହତ୍ୟା ପାଇଁ ସୋନାଲି ଓ ତାଙ୍କ ମା’ ଦାୟୀ ବୋଲି ଥାନାରେ ଅଭିଯୋଗ ହୋଇଥିଲା। ମାତ୍ର ପୁଲିସ ଏହି ଅଭିଯୋଗକୁ ଗୁରୁତ୍ବ ଦେଇନଥିଲା। ସବୁ ପ୍ରମାଣ ଥିବା ସତ୍ତ୍ବେ ପୁଲିସ ସୋନାଲି ଓ ତାଙ୍କ ମା’ଙ୍କ ନାଁରେ ମାମଲା ରୁଜୁ ନକରିବାରୁ ସୌମ୍ୟଙ୍କ ଭଉଣୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିବା ସହ ଭୁବନେଶ୍ବର ଡିସିପିଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବେ ପୁଲିସ ସୋନାଲି ଓ ତାଙ୍କ ମା’ଙ୍କ ନାଁରେ ମାମଲା ରୁଜୁ କରିଛି। ତେଣୁ ଆଗକୁ ମାମଲା କି ମୋଡ଼ ନେଉଛି, ତାହା ସାଧାରଣରେ ଉତ୍କଣ୍ଠା ବଢ଼ାଇଛି।

ସମ୍ବନ୍ଧିତ ଖବର