ହାଇକୋର୍ଟରେ ମଡେଲ୍‌ ସୌମ୍ୟରଞ୍ଜନ ଆତ୍ମହତ୍ୟା ମାମଲା: ୩ ସପ୍ତାହରେ ବିହିତ ପଦକ୍ଷେପ ନେବାକୁ ଡିସିପିଙ୍କୁ ନିର୍ଦ୍ଦେଶ

କଟକ : ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ କଳାରାହାଙ୍ଗ ଠାରେ ଘଟିଥିବା ବହୁଚର୍ଚ୍ଚିତ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲାରେ ଆଇନ ଅନୁସାରେ ତିନି ସପ୍ତାହରେ ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ରହିଥିବା ଅଭିଯୋଗ ଉପରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସଂକ୍ରାନ୍ତରେ ଆବେଦନକାରୀଙ୍କୁ ଅବଗତ କରିବାକୁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ତଦନ୍ତରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ‌ସୌମ୍ୟରଞ୍ଜନଙ୍କ ଭଉଣୀଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଜାନୁଆରି ୩୦ ତାରିଖ ଦିନ ସୌମ୍ୟରଞ୍ଜନ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ପୂର୍ବରୁ ସେ କିଛି ଲେଖା ଛାଡ଼ି ଯାଇଥିଲେ। ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ପ୍ରେମିକାଙ୍କୁ ସେ ଦାୟୀ କରିଥିଲେ। ଏହି ଘଟଣାରେ ଗତ ୨ତାରିଖ ଦିନ ସୌମ୍ୟରଞ୍ଜନଙ୍କ ଭଉଣୀ ଇନ୍‌ଫୋସିଟି ଥାନାରେ ଏକ ଏତଲା ଦେଇଥିଲେ। ସେହିପରି ଗତ ୧୯ ତାରିଖରେ ଭୁବନେଶ୍ୱର ଡିସିପିଙ୍କ ପାଖରେ ଅଭିଯୋଗ ମଧ୍ୟ କରିଥିଲେ। ତେବେ ତଦନ୍ତରେ କୌଣସି ଅଗ୍ରଗତି ନ ହେବାରୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର