ମଡେଲ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପକ୍ଷ ରଖିବାକୁ ଡିସିପିଙ୍କୁ ନିର୍ଦ୍ଦେଶ

କଟକ: ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ କଳାରାହାଙ୍ଗଠାରେ ଘଟିଥିବା ବହୁଚର୍ଚ୍ଚିତ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିବା ଅଭିଯୋଗ ହୋଇଛି। ହାଇକୋର୍ଟ ‌ସୌମ୍ୟଙ୍କ ଭଉଣୀଙ୍କ ତରଫରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଭୁବନେଶ୍ବର ଡିସିପିଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୯କୁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ୍‌ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଗତ ଜାନୁଆରି ୩୦ ତାରିଖ ଦିନ ସୌମ୍ୟ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ପୂର୍ବରୁ ସେ କିଛି ଲେଖା ଛାଡ଼ି ଯାଇଥିଲେ। ସେଥିରେ ତାଙ୍କ ମୃତ୍ୟୁ ପାଇଁ ପ୍ରେମିକାଙ୍କୁ ଦାୟୀ କରିଥିଲେ। ଏହି ଘଟଣାରେ ଗତ ଫେବ୍ରୁଆରି ୨ତାରିଖ ଦିନ ସୌମ୍ୟଙ୍କ ଭଉଣୀ ଇନ୍‌ଫୋସିଟି ଥାନାରେ ଏକ ଏତଲା ଦେଇଥିଲେ। ସେହିପରି ଫେବ୍ରୁଆରି ୧୯ ତାରିଖରେ ଭୁବନେଶ୍ୱର ଡିସିପିଙ୍କ ପାଖରେ ଅଭିଯୋଗ ମଧ୍ୟ କରିଥିଲେ। ତେବେ ତଦନ୍ତରେ କୌଣସି ଅଗ୍ରଗତି ନ ହେବାରୁ ପୁଲିସ ନିଷ୍କ୍ରିୟତା ବିରୋଧରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

୨୦୨୨ ଫେବ୍ରୁଆରି ୨୩ରେ ହାଇକୋର୍ଟ ମାମଲାର ଶୁଣାଣି କରି ଏ ସଂପର୍କିତ ଅଭିଯୋଗ ଉପରେ ତିନି ସପ୍ତାହ ଭିତରେ ଆଇନ ଅନୁସାରେ ନିଷ୍ପତ୍ତି ନେବାକୁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରହଣ କରାଯିବାକୁ ଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଆବେଦନକାରୀଙ୍କୁ ଅବଗତ କରିବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିବା ଦର୍ଶାଇ ସୌମ୍ୟଙ୍କ ଭଉଣୀ ହାଇକୋର୍ଟରେ ଡିସିପିଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର