ରାଜଧାନୀରେ ମଡେଲଙ୍କ ଆତ୍ମହତ୍ୟା ଘଟଣା: କାହା ନିର୍ଦ୍ଦେଶକୁ ଅପେକ୍ଷା କରିଛି ପୁଲିସ?

ଚାରିଆଡ଼ୁ ଶୁଭିଲାଣି ପ୍ରତିବାଦର ସ୍ବର, ସୁଇସାଇଡ୍ ନୋଟ୍‌ରେ ପ୍ରେମିକାଙ୍କ ନିର୍ଯାତନା ସ୍ପଷ୍ଟ ଭାବେ ଉଲ୍ଲେଖ

ଭୁବନେଶ୍ବର: ‘ପ୍ରେମିକା ପାଇଁ ମୁଁ ମୋ ଜୀବନକୁ ଉତ୍ସର୍ଗ କଲି। ଆଜି ସେ ମୋତେ ଧୋକା ଦେଲା। ମୁଁ ଏତେ ସହଜରେ ହାର ମାନିବା ପିଲା ନୁହେଁ। ସେମିତି ନିର୍ଯାତନା(ଟର୍ଚର୍‌) ଦେଇଛି ବୋଲି ମୁଁ ଆଜି ଏତେ ବଡ଼ ନିଷ୍ପତ୍ତି ନେଲି।’ ଏ ହେଉଛି ଇନ୍‌ଫୋସିଟି ଥାନା ନନ୍ଦନବିହାରରେ ଆତ୍ମହତ୍ୟା କରିଥିବା ମଡେଲ୍ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ହାତଲେଖା ସୁଇସାଇଡ୍ ନୋଟ୍‌ର କିଛି ଅଂଶ। ଯେଉଁଥିରେ ସେ ନିଜ ଆତ୍ମହତ୍ୟା ପାଇଁ ସିଧାସଳଖ ନିଜ ପ୍ରେମିକାଙ୍କୁ ଦାୟୀ କରିଛନ୍ତି। ଖାଲି ସେତିକି ନୁହେଁ, ସୌମ୍ୟଙ୍କର ପ୍ରେମିକା ଓ ତାଙ୍କ ମା’ଙ୍କ ସହ ମୋବାଇଲ ଫୋନ୍‌ରେ ହୋଇଥିବା ବାର୍ତ୍ତାଳାପର ଅଡିଓ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି। ଅଡିଓରେ ସୌମ୍ୟ କାନ୍ଦିବା ସହ ତାଙ୍କ ମା’ଙ୍କୁ ଆତ୍ମହତ୍ୟା କରିବା ପାଇଁ ମଧ୍ୟ କହୁଥିବା ଶୁଣିବାକୁ ମିଳୁଛି। ପରିବାରଲୋକ ମଧ୍ୟ ସମ୍ପୃକ୍ତ ଯୁବତୀ ଓ ତାଙ୍କ ମା’ଙ୍କ ବିରୋଧରେ ପୁଅ ମୃତ୍ୟୁ ପାଇଁ ଦାୟୀ ବୋଲି ବାରମ୍ବାର ଅଭିଯୋଗ ଆଣିଛନ୍ତି।

ସୁଇସାଇଡ୍ ନୋଟ୍, ମୋବାଇଲ ଫୋନ୍ ବାର୍ତ୍ତାଳାପର ଅଡିଓ, ପରିବାର ଲୋକଙ୍କ ଅଭିଯୋଗ; ଆତ୍ମହତ୍ୟା ପାଇଁ ପ୍ରେମିକା ଦାୟୀ ବୋଲି ଏ ସବୁ ତଥ୍ୟ ପ୍ରମାଣ ଯଥେଷ୍ଟ ବୋଲି କହିଛନ୍ତି ଆଇନଜୀବୀ ବନ ମହାନ୍ତି। ସେ କହିଛନ୍ତି, ମାମଲାର ନିର୍ଯାସରେ ପହଞ୍ଚିବା ପାଇଁ ପୁଲିସକୁ ଆଉ କେତେ ପ୍ରମାଣ ଦରକାର। ସୁଇସାଇଡ୍ ନୋଟ୍, ଅଡିଓ-ଟେପ୍‌‌‌ରେ ପ୍ରମାଣ ରହିଛି। କେଉଁ କାରଣ ପାଇଁ ଆତ୍ମହତ୍ୟା କରୁଛନ୍ତି, ତାହା ଅଭିଯୋଗ ହୋଇଥିବା ବେଳେ ଅନେକ ତଥ୍ୟ ମଧ୍ୟ ରହିଛି। ଅଭିଯୋଗ ପାଇବା ପରେ ପୁଲିସ ଆଇପିସି ଦଫା-୩୦୬ (ଆତ୍ମହତ୍ୟା ପାଇଁ ଉସୁକାଇବା)ରେ ମାମଲା ରୁଜୁ କରିବା କଥା। କିନ୍ତୁ ପୁଲିସ ସେଭଳି ନ କରି କେବଳ ଅପମୃତ୍ୟୁ ମାମଲାରେ ତଦନ୍ତ ଜାରି ରଖିଛି। ଆଉ କେତେ ଓ କେଉଁ ପ୍ରମାଣକୁ ଅପେକ୍ଷା କରିଛି? ଘଟଣାକୁ ୮ ଦିନ ବିତି ଯାଇଥିଲେ ମଧ୍ୟ କାହିଁକି ଏଯାଏ ପ୍ରେମିକା ଓ ତାଙ୍କ ମା’ଙ୍କ ବୟାନ ରେକର୍ଡ କରୁନାହିଁ ପୁଲିସ? ପୁଲିସ ଉପରେ କୌଣସି ଅଦୃଶ୍ୟ ଚାପ ରହୁଛି କି? ସାଧାରଣରେ ଏଭଳି ପ୍ରଶ୍ନ ସୃଷ୍ଟି ହୋଇଛି।

ଅପରପକ୍ଷେ ସୋସିଆଲ୍ ମିଡିଆରେ ସୌମ୍ୟ ଓ ତାଙ୍କ ପ୍ରେମିକା, ମା’ଙ୍କ ସହ ବାର୍ତ୍ତାଳପର ଅଡିଓ ଭାଇରାଲ୍ ହେବା ପରେ ଚାରିଆଡ଼ୁ ପ୍ରତିବାଦର ସ୍ବର ଶୁଭିଲାଣି। ଯଦି ସୌମ୍ୟଙ୍କ ସ୍ଥାନରେ ଜଣେ ଝିଅ ଆତ୍ମହତ୍ୟା କରିଥା’ନ୍ତେ ଓ ସୁଇସାଇଡ୍‌ ନୋଟ୍‌ରେ ଜଣଙ୍କ ବିରୋଧରେ ଲେଖିଥା’ନ୍ତେ, ତାହେଲେ ପୁଲିସ କ’ଣ ଏଯାଏ ଚୁପ୍ ବସିଥା’ନ୍ତା ବୋଲି ପ୍ରଶ୍ନ ଉଠିଛି। ଖାଲି ସେତିକି ନୁହେଁ, ଏହି ଘଟଣାକୁ ନେଇ ଆଇଜି ପାର୍କ ନିକଟରେ ଆଜି କେତେକ ଯୁବକ, ଯୁବତୀ ଏକାଠି ହୋଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ସହ ଯେଉଁମାନେ ସୌମ୍ୟଙ୍କ ଆତ୍ମହତ୍ୟା ପାଇଁ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଇନଫୋସିଟି ଥାନା ପୁଲିସ ସୌମ୍ୟଙ୍କ ମା’, ଭଉଣୀଙ୍କ ବୟାନ ରେକର୍ଡ କରିଛି। ସେହିପରି ସୁଇସାଇଡ୍‌ ନୋଟ୍‌କୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି। ଖୁବଶୀଘ୍ର ସୌମ୍ୟଙ୍କ ପ୍ରେମିକା ଓ ତାଙ୍କ ମାଙ୍କ ବୟାନ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ଯଦି ଆତ୍ମହତ୍ୟା ପାଇଁ କେହି ଦାୟୀ ଥିବାର ପ୍ରମାଣ ମିଳେ, ତାହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ କହିଛନ୍ତି, ଏଭଳି ସମ୍ବେଦନଶୀଳ ଘଟଣାରେ ପୁଲିସକୁ ନିରପେକ୍ଷ ତଦନ୍ତ ପାଇଁ ସମୟ ଦିଆଯାଉ। କୌଣସି ଚାପ ସୃଷ୍ଟି କରାଯିବା କଥା ନୁହେଁ।

ସୁଇସାଇଡ୍ ନୋଟ୍‌ରେ ପ୍ରେମିକାଙ୍କ ନିର୍ଯାତନା ସ୍ପଷ୍ଟ ଭାବେ ଉଲ୍ଲେଖ, ଫୋନ୍ କରି ପ୍ରେମିକାଙ୍କ ମା’ଙ୍କୁ ଆତ୍ମହତ୍ୟା କଥା କହିଥିଲେ ସୌମ୍ୟ

ଭାଇରାଲ୍‌ ଅଡିଓର କିଛି ଅଂଶ…
ସୌମ୍ୟ ତାଙ୍କ ପ୍ରେମିକାଙ୍କ ସହ ମୋବାଇଲ ଫୋନ୍‌ରେ କଥାବାର୍ତ୍ତାର ଅଡିଓ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ସୌମ୍ୟ କାନ୍ଦୁଥିବା ବେଳେ ପ୍ରେମିକା ତାଙ୍କ ସହ କର୍କଶ ସ୍ବରରେ କଥାବାର୍ତ୍ତା କରୁଥିବା ଶୁଣିବାକୁ ମିଳିଛି। ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ଥିବା ପ୍ରସଙ୍ଗକୁ ସୌମ୍ୟ ଉଠାଉଥିବା ବେଳେ ପ୍ରେମିକା କିନ୍ତୁ ଆଉ ଫୋନ୍ ନ କରିବା ପାଇଁ କହୁଛନ୍ତି। କେବଳ ସେହି ଯୁବକ ନୁହେଁ, ଏକାଧିକ ଯୁବକଙ୍କ ସହ ଫୋନ୍‌ରେ କଥା ହେବି ବୋଲି ମଧ୍ୟ କହୁଛନ୍ତି। ସେହିପରି ପ୍ରେମିକାଙ୍କ ମାଙ୍କ ସହ ଫୋନ୍‌ କଥାବାର୍ତ୍ତାର ଅଡିଓ ମଧ୍ୟ ଭାଇରାଲ୍ ହେଉଛି। ତମେ ଯଦି ଜାଣିଛ, ସବୁ କିଛି ତା ପଛରେ କାହିଁକି ପଡ଼ିଛ ବୋଲି କହୁଛନ୍ତି ପ୍ରେମିକାଙ୍କ ମା। ମୁଁ ସୁଇସାଇଡ୍ କରିବି ସେ ଜାଣିବ ପୁଅ ଖେଳଘର ନୁହେଁ ବୋଲି ସୌମ୍ୟ କହୁଥିବା ଶୁଣିବାକୁ ମିଳୁଛି। ଏଭଳି ନିଷ୍ପତ୍ତି ନ ନେବା ପାଇଁ ପ୍ରେମିକାଙ୍କ ମା’ ତାଙ୍କୁ ଯଥେଷ୍ଟ ବୁଝାଉଛନ୍ତି। ଘରେ ବାପା, ମା’ ଅଛନ୍ତି ତେଣୁ ତାଙ୍କ କଥା ବୁଝିବା ପାଇଁ କହୁଛନ୍ତି। ସେହିପରି ସୌମ୍ୟଙ୍କ ମା ଗଣମାଧ୍ୟମ ଆଗରେ କହିଛନ୍ତି ଯଦି ସୌମ୍ୟ ସୁଇସାଇଡ୍ କରିବ ବୋଲି ସେମାନଙ୍କୁ କହିଥିଲା ତାହେଲେ ଜଣାଇଥିଲେ ହୁଏତ ପୁଅର ଜୀବନ ବଞ୍ଚାଇ ପାରିଥାନ୍ତେ। ଘଟଣା ପାଇଁ ସୌମ୍ୟଙ୍କ ପ୍ରେମିକା ଓ ତାଙ୍କ ମା’ଙ୍କୁ ଦାୟୀ କରିଛନ୍ତି।

ସମ୍ବନ୍ଧିତ ଖବର