ଅଗ୍ନିଶମ ବିଭାଗରେ ସାମିଲ ହେବ ଆଧୁନିକ ପ୍ଲାଜ୍‌ମା କଟର୍, ୧୦ କୋଟି ବ୍ୟୟରେ ଆସିବ ୧୦ଟି କଟର୍

ବଡ଼ବଡ଼ ମୋବାଇଲ୍ ଓ ବିଦ୍ୟୁତ୍ ଟାଵାର୍‌କୁ ସହଜରେ କାଟିବ, ପ୍ରାକୃତ୍ରିକ ବିପର୍ଯ୍ୟୟ ପର ସମସ୍ୟାର ସମାଧାନ କରିବ

ଭୁବନେଶ୍ବର: ଓଡ଼ିଶା ଅଗ୍ନିଶମ ସେବା ବିଭାଗ ନିଜକୁ ଅଧିକ ସମୃଦ୍ଧ କରିବା ପାଇଁ ଆଗକୁ ପାଦେ ଆଗେଇଛି। ବାତ୍ୟା ଓ ବନ୍ୟା ତଥା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବଡ଼ ବଡ଼ ବିଦ୍ୟୁତ୍ ଟାଵାର୍, ମୋବାଇଲ୍ ଟାଵାର୍ ଉପୁଡ଼ି ରାସ୍ତା ଅବରୋଧ କରୁଥିବାରୁ ଏ ଗୁଡ଼ିକୁ କାଟି ରାସ୍ତାରୁ ହଟାଇବା ପାଇଁ ବିଭାଗରେ ଆଧୁନିକ ପ୍ଲାଜ୍‌ମା କଟର୍‌କୁ ସାମିଲ୍ କରିବା ପାଇଁ ପ୍ରସ୍ତାବ ଆଣିଛି। ପ୍ରାୟ ୧୦ କୋଟି ଟଙ୍କା ବିନିମୟରେ ୧୦ଟି ପ୍ଲାଜମା କଟର୍‌ କିଣିବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ଯୋଜନା କରିଛି। ଏବେ ଏହାର ଟେଣ୍ଡର୍‌ ପ୍ରକିୟା ଶେଷ ପର୍ଯ୍ୟାୟରେ ରହିଛି । କିଛି ଦିନ ମଧ୍ୟରେ ଟେଣ୍ଡର୍ ପ୍ରକ୍ରିୟା ଶେଷ ହୋଇଗଲେ ଏହା ରାଜ୍ୟକୁ ଆସିବ। ପ୍ଲାଜ୍‌ମା କଟର୍‌ ଅଗ୍ନିସେବା ବିଭାଗରେ ସାମିଲ୍ ହେଲେ କେବଳ ଯେ ଏହା ରାଜ୍ୟରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ପରର ସମସ୍ୟାକୁ ସମାଧାନ କରିବ ତାହା ନୁହେଁ, ଏହା ସହିତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ବାତ୍ୟା ଓ ବନ୍ୟା ସମୟରେ ବିଶେଷ ସହାୟକ ହୋଇପାରିବ ବୋଲି ବିଚାର କରାଯାଉଛି।

ଏ ନେଇ ଅଗ୍ନିସେବା ବିଭାଗର ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ କହିଛନ୍ତି, ଭାରତରେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ଅଗ୍ନିସେବା ଓ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ କାହା ଉପରେ ନିର୍ଭରଶୀଳ ନୁହେଁ। ରାଜ୍ୟ ଅଗ୍ନିଶମ ପ୍ରଶମନ ବିଭାଗ ବିଭିନ୍ନ ବିପର୍ଯ୍ୟୟ ପାଇଁ ଜେସିବିଠାରୁ ଆରମ୍ଭ କରି ଇନ୍‌ଭର୍ଟର ପର୍ଯ୍ୟନ୍ତ ନିଜ ପାଖରେ ରଖିଛି। ଆଗକୁ ଏହି ଅତ୍ୟାଧୁନିକ ଯନ୍ତ୍ର ପ୍ଲାଜ୍‌ମା କଟର୍‌ ଆସିବା ଦ୍ବାରା ବଡ଼ବଡ଼ ଟାଵାର ଗୁଡ଼ିକୁ କାଟିବା ପାଇଁ ଆମକୁ ଆଉ ବେଶି ଦିନ ଲାଗିବ ନାହିଁ। ଅନ୍ୟପକ୍ଷ‌ରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୋବାଇଲ୍ ଟାଵାର୍ ଗୁଡ଼ିକ ଉପୁଡ଼ି ପଡ଼ିଥିବା ଯୋଗୁଁ ସେଠାକୁ ଯାଇଥିବା ଓଡ୍ରାଫ୍ ଟିମ୍ ସହିତ ଯୋଗାଯୋଗ ହୋଇପାରେ ନାହିଁ। ସେଥିପାଇଁ ପ୍ଲାଜ୍‌ମା କଟର୍‌ କିଣା ସରିବା ପରେ ମୋବାଇଲ୍ ଟାଵାର୍ ବିନା ବିପର୍ଯ୍ୟୟ ସ୍ଥଳରେ ଥିବା ଓଡ୍ରାଫ୍ କର୍ମଚାରୀମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଏକ ଅତ୍ୟାଧୁନିକ ମୋବାଇଲ୍ ଆଣ୍ଟିନା ବା ଯନ୍ତ୍ରାଂଶକୁ ମଧ୍ୟ କିଣାଯିବା ପାଇଁ ଯୋଜନା କରାଯାଉଛି। ଖୁବ୍ ଶୀଘ୍ର ଯୋଗାଯୋଗ ପାଇଁ ଏହି ଅତ୍ୟାଧୁନିକ ମୋବାଇଲ୍ ସାମଗ୍ରୀ କ୍ରୟ କରାଯିବ ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

ପ୍ଲାଜ୍‌ମା କଟର୍ କ’ଣ?
ପ୍ଲାଜ୍‌ମା କଟର୍ ର୍ବୈଦ୍ୟୁତିକ କଣ଼୍ଡକ୍ଟିଭ୍ ଦ୍ବାରା ଯେକୌଣସି ସାମଗ୍ରୀ କାଟିପାରେ। ଏଥିରେ ଲାଗିଥିବା ଉତ୍ତପ୍ତ ପ୍ଲାଜ୍‌ମାର ଜେଟ୍ ଏତେ ଶକ୍ତିଶାଳୀ ଯେ ଏହା ଅତି କମ୍ ସମୟରେ ଅଧିକ ମୋଟେଇ ଯୁକ୍ତ ଧାତୁଗୁଡ଼ିକୁ କାଟି ଅଲଗା କରିପାରେ। ପ୍ଲାଜମା କଟର ବିଶେଷ କରି ଇସ୍ପାତ, ଷ୍ଟେନ୍‌ଲେସ୍ ଷ୍ଟିଲ୍, ଆଲୁମିନିୟମ୍, ପିତ୍ତଳ, ତମ୍ବା, ଲୁହା ଭଳି ଧାତୁ କାଟିବା ପାଇଁ ବ୍ୟବହାର କରାଯାଇଥାଏ। ପ୍ରାକୃତିକ ବିପର୍ଯ୍ୟୟ ବା ଅଘଟଣ ଯୋଗୁଁ ବଡ଼ ବଡ଼ ମୋବାଇଲ୍ ଟାଵାର୍, ବିଦ୍ୟୁତ୍ ଟାଵାରଗୁଡ଼ିକୁ କାଟିବା ପାଇଁ ବେଶ୍ ଉପଯୋଗୀ। ଓଡ଼ିଶା ଅଗ୍ନିସେବା ବିଭାଗ ପକ୍ଷରୁ ଅଣାଯାଉଥିବା ପ୍ଲାଜ୍‌ମା କଟର୍‌ରେ ଅତ୍ୟାଧୁନିକ ଓ ଶକ୍ତିଶାଳୀ। ଏହାକୁ ଚଳାଇବା ପାଇଁ ବିଦ୍ୟୁତ୍‌ର ଆବଶ୍ୟକତା ପଡ଼ୁଥିବାରୁ ଏକ ୨୦ କେଭି ଜେନେରେଟର୍‌କୁ ଏକ ଗାଡ଼ିରେ ଖଞ୍ଜାଯାଇଛି। ଯାହା ଦ୍ବାରା ଏହା ଯେକୌଣସି ସ୍ଥାନକୁ ଯାଇ ବ୍ୟବହାର କରାଯାଇ ପାରିବ। ଏହା ସହିତ ଏକ କମ୍ପ୍ରେସର୍‌ ଲଗାଯାଇଛି। ଯାହା ଉତ୍ତପ୍ତ ପ୍ଲାଜ୍‌ମା ଜେଟ୍‌ ବା ଗ୍ୟାସ୍‌ର ଚାପକୁ ବଢ଼ାଇଥାଏ। ଗ୍ୟାସ ଚାପ ବଢ଼ିବା ଦ୍ବାରା ଧାତୁମାନ ସହଜରେ କଟିଥାଏ। ଏହା ସହିତ ବାୟୁ ପ୍ରବାହ ମଧ୍ୟ ନିୟନ୍ତ୍ରିତ ହୋଇଥାଏ।

ସମ୍ବନ୍ଧିତ ଖବର