ଭୁବନେଶ୍ବର: ପାଣ୍ଡରାରେ ହେବ ଆଧୁନିକ ମାଛ ମାର୍କେଟ୍। ଏହି ପ୍ରସ୍ତାବକୁ ମୋହର ମାରିଛି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ମନ୍ତ୍ରାଳୟ। ୫.୮୦ ଏକର ଜାଗାରେ ହେବାକୁ ଥିବା ଏହି ପ୍ରକଳ୍ପରେ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏ ନେଇ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ଦେବା ପରେ ରାଜନୀତି ଜୋର୍ ଧରିଛି। ସାଂସଦ ସମସ୍ତ ଶ୍ରେୟ ନେବାକୁ ଡବଲ୍ ଇଞ୍ଜିନ୍ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ଯୋଜନା ଡବଲ୍ ଇଞ୍ଜିନ ସରକାରର ନୁହେଁ, ବରଂ ୨୦୨୩ ମସିହାରୁ ବିଜେଡି ସରକାର ଏହାର ଯୋଜନା କରିଥିଲେ ଏବଂ ବିଏମ୍ସି ଜମି ଚିହ୍ନଟ କରିବା ସହ ଡିପିଆର୍ ମଧ୍ୟ ପ୍ରସ୍ତୁତ କରିଛି ବୋଲି କହିଛନ୍ତି ମେୟର ସୁଲୋଚନା ଦାସ। ଯାହାକୁ ନେଇ ଏହି ‘ଶ୍ରେୟ ରାଜନୀତି’ ଏବେ ରୋଚକ ମୋଡ଼ ନେଇଛି।
ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଲେଖିଛନ୍ତି, “ମୁଁ ଏହା ଜଣାଇ ଖୁସି ଯେ ଆଜି ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ମନ୍ତ୍ରାଳୟ ଭୁବନେଶ୍ୱର ପାଇଁ ୫୦ କୋଟି ଟଙ୍କାର ଆଧୁନିକ ମାଛ ବଜାର ପ୍ରକଳ୍ପକୁ ଅନୁମୋଦନ କରିଛି। ୨୦୨୪ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲି। ଆଲୋଚନାର ନିଷ୍ପତ୍ତି ଅନୁଯାୟୀ ଡିପିଆର୍ ପ୍ରସ୍ତୁତ କରାଯାଇଥିଲା। ରାଜ୍ୟ ସରକାର ଉତ୍ତର ଭୁବନେଶ୍ୱରର ପାଣ୍ଡରାରେ ୫.୮୦ ଏକର ଜମି ଚିହ୍ନଟ କରିଥିଲେ। ସବୁ କାମ ସରିବା ପରେ ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ମନ୍ତ୍ରାଳୟ ସହ ଡିପିଆର୍ ଅନୁମୋଦନ ପାଇଁ ଆଲୋଚନା କରିଥିଲି। ଏଣୁ ଡବଲ୍ ଇଞ୍ଜିନ୍ ସରକାରଙ୍କ ନିକଟରେ ମୁଁ କୃତଜ୍ଞ।”
ସାଂସଦଙ୍କ ଘୋଷଣା ପରେ ଜୋର୍ ଧରିଲା ରାଜନୀତି
ପୂର୍ବ ସରକାର ନିଷ୍ପତ୍ତି ନେଇଥିଲେ, ଡିପିଆର୍ ସରିଥିଲା
ଏପଟେ ମେୟର ଶ୍ରୀମତୀ ଦାସ କହିଛନ୍ତି, “ବିଜେଡି ସରକାର ଏହି ଆଧୁନିକ ମାଛ ବଜାର ସ୍ଥାପନ କରିବା ପାଇଁ ୨୦୨୩ରେ ବିଏମ୍ସିକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଆଧାରରେ ପାଣ୍ଡରାରେ ଜମି ଚିହ୍ନଟ ହେବା ସହ ଡିପିଆର୍ ମଧ୍ୟ ପ୍ରସ୍ତତ ହୋଇଥିଲା। ସରକାର ଏଥିପାଇଁ ପାଣ୍ଠି ମଧ୍ୟ ଆବଣ୍ଟନ କରିଥିଲେ। କିନ୍ତୁ, ୨୦୨୪ ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ଯୋଗୁଁ ଡିପିଆର୍କୁ ମଞ୍ଜୁରି ମିଳି ନଥିଲା। ବିଜେଡି ସରକାରଙ୍କ ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଥିବାରୁ ଆମେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଉଛୁ। କିନ୍ତୁ ସାଂସଦ ଯେଭଳି ସମସ୍ତ ଶ୍ରେୟ ନେବାକୁ ଚାହୁଛନ୍ତି ତାହା ଦୁର୍ଭାଗ୍ୟଜନକ। ତାଙ୍କୁ ତାଙ୍କ କାମ ପାଇଁ ଶ୍ରେୟ ନେବା ଉଚିତ। ଅନ୍ୟର କାମକୁ ନିଜର ବୋଲି କହି ଶ୍ରେୟ ନେବା ଗ୍ରହଣୀୟ ନୁହେଁ।
ସୂଚନାଯୋଗ୍ୟ, ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନାରେ ପଳାସୁଣିଠାରେ ହୋଲ୍ସେଲ୍ ମାଛ ବଜାର ହେବାକୁ ସ୍ଥିର ହୋଇଥିଲା। ୨୦୨୩ ମାର୍ଚ୍ଚରେ ୬ଷ୍ଠ ରାଜ୍ୟସ୍ତରୀୟ ମଞ୍ଜୁରି ଓ ଅନୁଧ୍ୟାନ କମିଟିରେ ଏହି ପ୍ରକଳ୍ପ ପାଇଁ ୫୦ କୋଟି ମଞ୍ଜୁର ହୋଇଥିଲା। ଏଥିରେ କେନ୍ଦ୍ରର ୬୦% ଓ ରାଜ୍ୟର ୪୦ % ଭାଗ ରହିଥିଲା। ଏଥିପାଇଁ ପ୍ରଥମ କିସ୍ତିରେ ୧୨.୫୦ କୋଟି(୭.୫୦ କୋଟି କେନ୍ଦ୍ର ଓ ୫ କୋଟି ରାଜ୍ୟ ସରକାର) କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲା। ତଳ ମହଲା ଓ ପ୍ରଥମ ମହଲାରେ ୬୪ ବ୍ୟବସାୟୀଙ୍କ ପାଇଁ ବ୍ୟବସ୍ଥା ହୋଇଥିଲା। ୪ ନମ୍ବର ମାଛ ମାର୍କେଟ୍ର ୩୯ ଜଣ ହୋଲ୍ସେଲ୍ ବେପାରୀ ଓ ନୂଆ ବେପାରୀଙ୍କୁ ଏଥିରେ ସ୍ଥାନ ଦିଆଯାଇଥାନ୍ତା। ଆମିଷ ଛଡ଼ା ୩୮ଟି ଦୋକାନ ନିର୍ମାଣ ହେବାକୁ ଥିଲା ଯେଉଁଥିରେ ସମସ୍ତ ପ୍ରକାରର ଜିନିଷ ଉପଲବ୍ଧ ହୋଇଥାନ୍ତା। ଘଟଣାସ୍ଥଳରେ ବିଏମ୍ସି ଓ ମତ୍ସ୍ୟ ଓ ପଶୁସମ୍ପଦ ନିର୍ଦ୍ଦେଶାଳୟର ଯୁଗ୍ମ ସର୍ବେକ୍ଷଣ ପରେ ବିଏମ୍ସି ଡିପିଆର୍ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। କିନ୍ତୁ ଏକାଧିକ ବାର ତାଗିଦା ସତ୍ବେ ବିଏମ୍ସି ବିଭିନ୍ନ ବାହାନା ଦେଖାଇ ଡିପିଆର୍ କରୁନଥିବା ଅଭିଯୋଗ ହୋଇଥିଲା। ସେବେଠାରୁ ଏହି ଅର୍ଥ ମତ୍ସ୍ୟ ଓ ପ୍ରାଣୀପାଳନ ନିର୍ଦ୍ଦେଶାଳୟରେ ପଡ଼ିରହିଥିଲା।