ଭୁବନେଶ୍ୱର: ଦିନ କେଇଟା ପରେ ଆସୁଛି ଆଲୋକର ପର୍ବ ଦୀପାବଳି। ମାଟିରେ ସଜେଇ ହୋଇଛି ରଙ୍ଗ ବେରଙ୍ଗର ଦୀପ। ପୁଣି ବର୍ତ୍ତମାନ ମାଟି ନିର୍ମିତ ସାମଗ୍ରୀ ପ୍ରତି ମଧ୍ୟ ଆକର୍ଷଣ ଢେର୍ ବଢ଼ି ଯାଇଛି। ଷ୍ଟାର୍ ହୋଟେଲରୁ ଆରମ୍ଭକରି ଥିମ୍ ରେସ୍ତୋରାଁ ଓ ଲୋକଙ୍କ ଘରଠୁ ହାଣ୍ଡିଶାଳ ସବୁଠି ମାଟି ସାମଗ୍ରୀ ସ୍ବତନ୍ତ୍ର ସ୍ଥାନ ନେଇଛି। ହେଲେ ଏଥିରେ ଟିକିଏ ନିଆରା ତଥା କାରୁକାର୍ଯ୍ୟପୂର୍ଣ୍ଣ ଛାପ ଦେଇଛି ଟେରାକୋଟା ଶୈଳୀ। ଭଳିକି ଭଳି ଏହି ସାମଗ୍ରୀ ଦେଖିବାକୁ ବେଶ୍ ମନଲୋଭା ହୋଇଛି। ଦେଖିବା ମାତ୍ରେ ଲୋକମାନେ ଅଟକି ଏହାକୁ କିଣିବାରେ ଲାଗୁଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଟେରାକୋଟା ହସ୍ତଶିଳ୍ପ ପ୍ରଦର୍ଶନୀ ‘ମୃତ୍ତିକା ୨୦୨୫’ରେ।
ଟେରାକୋଟାରେ ନବକଳେବର ଓ ରାମାୟଣ
ରାମାୟଣର ବିଭିନ୍ନ କାଣ୍ଡ ଯେପରିକି ବାଳକାଣ୍ଡ, ଅଯୋଧ୍ୟା, ଅରଣ୍ୟ କାଣ୍ଡ ଆଦି ପ୍ରଦର୍ଶିତ ହୋଇଛି ଟେରାକୋଟାର ୮ଫୁଟର ଖୁଣ୍ଟରେ। ଏହାର ଚାରିପଟେ ସୁନ୍ଦର ଦୀପ ଲଗାଇବାର ମଧ୍ୟ ବ୍ୟବସ୍ଥା ହୋଇଛି। ଏହାର ମୂଲ୍ୟ ୩ଲକ୍ଷ ଟଙ୍କା ରହିଛି। କେବଳ ରାମାୟଣ ନୁହେଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବରର ସମୂର୍ଣ୍ଣ ଯାତ୍ରାକୁ ମଧ୍ୟ ନିଜର କଳାରେ ଦର୍ଶାଇଛନ୍ତି କେନ୍ଦ୍ରାପଡ଼ାର ଶିଳ୍ପୀ ସରୋଜ କୁମାର ରାଉତ। ସେହିପରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ରୂପକୁ ମଧ୍ୟ ସେ ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନ ଯେତେବେଳେ ଆମ ପ୍ରଥା, ପରମ୍ପରା, ଇତିହାସ ସମ୍ପର୍କିତ ପୁସ୍ତକକୁ ଯୁବ ପିଢ଼ି ବେଶୀ ପଢ଼ୁନାହାନ୍ତି ଏହି ମାଧ୍ୟମରେ ତାଙ୍କୁ ଆକର୍ଷିତ କରାଇବା ପାଇଁ ସେ ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି।
ପୁରୁଣା ଡିଜାଇନ୍ରେ ଆଧୁନିକତାର ଛାପ
ମାଟିରେ କେବଳ ଯେ ଦୀପ କିମ୍ବା ଚିରାଚରିତ ସାମଗ୍ରୀ ପ୍ରସ୍ତୁତ ହୋଇପାରିବ ତାହାକୁ ବର୍ତ୍ତମାନର ଶିଳ୍ପୀମାନେ ଭୁଲ୍ ପ୍ରମାଣିତ କରୁଛନ୍ତି। ପୁରୁଣା ଡିଜାଇନ୍ରେ ଆଧୁନିକତାର ଛାପ ଦେଇ ଲୋକଙ୍କ ଚାହିଦା ମୁତାବକ ଆକର୍ଷଣୀୟ ସାମଗ୍ରୀମାନ ପ୍ରସ୍ତୁତ କରୁଛନ୍ତି। ସେଥିପାଇଁ ପ୍ରଦର୍ଶନୀରେ ହୋଇଥିବା ‘ଥିମ୍ ପ୍ୟାଭିଲିୟନ’ର ଉଭୟ ପାର୍ଶ୍ୱରେ ‘ସେଡାକ୍’ ପକ୍ଷରୁ ଉଭୟ ପାରମ୍ପରିକ ଓ ଆଧୁନିକ ପ୍ରସ୍ତୁତ ସାମଗ୍ରୀ ଦର୍ଶାଯାଇଛି। ଏଥିରେ ମାଟି ଦୀପଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ଓ ଅତ୍ୟାଧୁନିକ ଟେରାକୋଟା ଲ୍ୟାମ୍ପ ପ୍ରଦର୍ଶନ କରାଯାଇଛି। ଏହାବ୍ୟତୀତ ଶିଳ୍ପମାନେ ସାମଗ୍ରୀ ପ୍ରସ୍ତୁତିର ପ୍ରତ୍ୟେକ୍ଷ ପ୍ରଦର୍ଶନ ମଧ୍ୟ କରୁଛନ୍ତି।
ମନମୋହୁଛି ଟେରାକୋଟା ଫାଉଣ୍ଟେନ
ବର୍ତ୍ତମାନ ଘରଠାରୁ ଆରମ୍ଭ କରି କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ସାଜସଜ୍ଜା ପାଇଁ ଵାଟର ଫାଉଣ୍ଟେନ୍ ରଖାଯାଉଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଶିଳ୍ପୀମାନେ ଟେରାକୋଟାରେ ମଧ୍ୟ ଫାଉଣ୍ଟେନ୍ ପ୍ରସ୍ତୁତ କରିଛନ୍ତି। ଏଥିରେ ମହାଦେବଙ୍କ ମସ୍ତକରୁ ଗଙ୍ଗା ମାତାଙ୍କ ପ୍ରବାହର ଦୃଶ୍ୟ ହେଉ ଅଥବା ଜଙ୍ଗଲରେ ଝରଣାର ଦୃଶ୍ୟ, ସବୁ ବେଶ୍ ସଦୃଶ୍ୟ ଭାବେ ନିର୍ମାଣ କରାଯାଇଛି। ଏଥିରେ ବିଦ୍ୟୁତ୍ ସଂଯୋଗ କଲେ ତଳେ ଥିବା ମୋଟର୍ରୁ ପାଣି ଉଠି ପ୍ରବାହ ହେଉଛି। ଏଥିସହିତ ଲାଇଟ୍ ମଧ୍ୟ ଜଳୁଛି। ଆକାର ଅନୁସାରେ ଏଗୁଡ଼ିକର ମୂଲ୍ୟ ୮୦୦ରୁ ଆରମ୍ଭ ହେଉଛି ବୋଲି ଶିଳ୍ପୀ ସୁବଳ ମୁଦୁଲି କହିଛନ୍ତି।