ଭୁବନେଶ୍ବର : ରାସ୍ତା କଡ଼ରୁ ହଟିବ ଛେଳି ମାଂସ(ମଟନ୍‌) ଦୋକାନ। ଖୋଲା ସ୍ଥାନରେ ଯାତାୟାତ ବାଟରେ ଆଉ ମାଂସ କଟା ଯିବ ନାହିଁ। ମାଂସ କାଟିବା ପାଇଁ ସ୍ବତନ୍ତ୍ର ଆଧୁନିକ କଂସେଇଖାନା ପ୍ରତିଷ୍ଠା ହେବ। ୨୦୧୧ ମସିହାରୁ ପ୍ରଶାସନ ଏମିତି ବୟାନବାଜି କରି ଆସୁଛି। ହେଲେ ସ୍ଥିତି ବଦଳିନି। ଏବେ ବି ରାସ୍ତାକଡ଼ରେ ମାଂସ କଟା ବେଳେ ବିକଳ ଚିତ୍କାର କାନରେ ପଡ଼ୁଛି। ରାସ୍ତା କଡ଼ରେ ରକ୍ତ ଓ ମାଂସ ବର୍ଜ୍ୟ ଭାସୁଛି। ଏହା କେବଳ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁନାହିଁ, ବରଂ ୨୦୧୪ ଜାନୁଆରିରେ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ଦେଇଥିବା ନିର୍ଦେଶନାମାର ମଧ୍ୟ ଉଲ୍ଲଂଘନ ହେଉଛି। ବିଏମ୍‌ସି ପକ୍ଷରୁ ଏନେଇ ଯେ ଉଦ୍ୟମ ହୋଇନାହିଁ, ସେ କଥା ନୁହେଁ। ମାତ୍ର ଏଗୁଡ଼ିକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବାରେ ପ୍ରଶାସନ ବିଫଳ ହୋଇଛି।

Advertisment

୨୦୧୧ ମସିହାରେ ଆଧୁନିକ କଂସେଇଖାନା ପାଇଁ ଯୋଜନା ହେଲା। ଗୋଟେ କି ଦୁଇଟା ନୁ‌ହେଁ, ୫ଟି ସ୍ଥାନରେ ଆଧୁନିକ କଂସେଇଖାନା ସ୍ଥାପନ ପାଇଁ ନକ୍ସା ପ୍ରସ୍ତୁତ ହେଲା। ଗାଡ଼କଣ, ବାଣୀବିହାର, ପାଣ୍ଡରା, ଡୁମୁଡୁମା ଓ ଘାଟିକିଆରେ ବୃହତ୍‌ କଂସେଇଖାନା ପାଇଁ ଯୋଜନା ହେଲା। ଶେଷରେ ଗାଡ଼କଣରେ ୨ଏକର ଜାଗା‌ରେ ଏହାର ମୂଳଦୁଆ ପଡ଼ିଲା। ତେବେ ପ୍ରାଶାସନିକ ଅବହେଳା ଓ ସ୍ଥାନୀୟ ବାସିନ୍ଦାଙ୍କ ଅସହଯୋଗ ଯୋଗୁଁ ଅନେକ ଦିନ ଧରି ଏହା ନିର୍ମାଣ ହୋଇପାରିଲା ନାହିଁ। ପରବର୍ତୀ ସମୟରେ ପ୍ରଶାସନ ସଫଳ ହେଲା। ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେଲା। ୨୦୧୭ ସେପ୍ଟେମ୍ବରରେ ଏହି କଂସେଇଖାନା ଖୋଲିବ ବୋଲି ଘୋଷଣା କରାଗଲା। ଥିରୁଅନନ୍ତପୁରମ୍‌ର ସେଣ୍ଟର ଫର୍‌ ଏନ୍‌ଭାରନ୍‌ମେଣ୍ଟ୍‌ ଆଣ୍ଡ୍‌ ଡେଭଲପମେଣ୍ଟ୍‌ (ସିଇଡି)ର ବୈଷୟିକ ସହାୟତାକ୍ରମେ ଏହା ମଧ୍ୟରେ ବୈଜ୍ଞାନିକ ପଦ୍ଧତିରେ ମାଂସ କଟା ବ୍ୟବସ୍ଥା କରାଗଲା। ବ‌ର୍ଜ୍ୟଗୁଡ଼ିକୁ ବୈଜ୍ଞାନିକ ପଦ୍ଧତିରେ ନଷ୍ଟ କରିବାର ବ୍ୟବସ୍ଥା ରହିଲା। ଘୋଷଣା ସିନା ହେଲା, କିନ୍ତୁ କାର୍ଯ୍ୟକାରୀ ହେଲା ନାହିଁ। ୨୦୧୧ର ପ୍ରକଳ୍ପ ୨୦୧୭ରେ ଶେଷ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ନହେବା ପ୍ରଶାସନର ଆଭିମୁଖ୍ୟରେ ପ୍ରଶ୍ନବାଚୀ ଲଗାଇଛି।

publive-image

କେବଳ ସେତିକି ନୁହେଁ, ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ, ଆଧୁନିକ ବ୍ୟବସ୍ଥା ନଥାଇ କିମ୍ବା ଲାଇସେନ୍‌ସ ନଥାଇ କୌଣସି ମଟନ୍‌ ଦୋକାନ ଚାଲି ପାରିବ ନାହିଁ। ତେଣୁ ୨୦୧୬ ମସିହାରେ ବିଏମ୍‌ସି ପକ୍ଷରୁ ମାଂସ ଦୋକାନ ସମ୍ପର୍କରେ ହୋଇଥିବା ସର୍ବେକ୍ଷଣରୁ ୬୩୦ ମଟନ୍‌ ଦୋକାନ ମଧ୍ୟରୁ ୩୧୫ଟି ଦୋକାନ ବିନା ଲାଇସେନ୍‌ସରେ ଚାଲିଛି ବୋଲି ଚିହ୍ନଟ ହୋଇଥିଲା। ସେମାନଙ୍କୁ ତୁରନ୍ତ ଲାଇସେନ୍‌ସ ‌ନେବାକୁ ନିର୍ଦେଶ ଦିଆଯାଇଥିଲା। ମାତ୍ର ଏହା ସଫଳ ହୋଇପାରିଲା ନାହିଁ। ଯେଉଁ ସର୍ତ ରହିଲା, ସେଥିରେ ଅଧିକାଂଶ ମଟନ ବ୍ୟବସାୟୀଙ୍କ ମୁଣ୍ଡ ଘୂରିଗଲା। ନିଜ ଜାଗାରେ ଓ ଆଧୁନିକ ବ୍ୟବସ୍ଥା କରି ବ୍ୟବସାୟ କରିବାକୁ ନିର୍ଦେଶ ଦିଆଯାଇଥିଲେ ହେଁ ଏହା ସମ୍ଭବ ହେଲା ନାହିଁ। ଫଳରେ ରାଜଧାନୀରେ କିଛି ମଟନ୍‌ ଆଉଟ୍‌ଲେଟ୍‌ ବା ଦୋକାନ ଖୋଲିବାର ବନ୍ଦୋବସ୍ତ କରାଗଲା। ୭ଟି ସ୍ଥାନରେ ମଟନ୍‌ ମାର୍କେଟ୍‌ ସ୍ଥାପନ କରିବା ନେଇ ଘୋଷଣା କରାଗଲା। ଏନେଇ ୟୁନିଟ୍‌ ୪ ମାଛ ହାଟ ସଂଲଗ୍ନ ଜାଗାରେ ୧୭ଟି ଦୋକାନ ବିଶିଷ୍ଟ ସ୍ବତନ୍ତ୍ର ମଟନ୍‌ ମାର୍କେଟ୍‌ ପ୍ରଶାସନ ପକ୍ଷରୁ ବର୍ଷେ ତଳୁ ନିର୍ମାଣ ବି ହୋଇ ସାରିଛି। ମାତ୍ର ସେଠାକୁ ମଧ୍ୟ ବ୍ୟବସାୟୀମାନେ ଯିବାକୁ ନାରାଜ।

ଅଲ୍‌ ଇଣ୍ଡିଆ ଜମିଆତୁଲ କୁରେସ୍‌ (ଏଆଇଜେକ୍ୟୁ)ର ସମ୍ପାଦକ ତଥା ମଟନ ବ୍ୟବସାୟୀ ସଂଘର ସମ୍ପାଦକ ସର୍ଜନଙ୍କ କହିବା ମୁତାବକ, ଯେଉଁ ମାର୍କେଟ୍‌ଟି ମାଛ ମାର୍କେଟ୍‌ ମଧ୍ୟରେ ହୋଇଛି, ମାଛ ମାର୍କେଟ୍‌ ଅତିକ୍ରମ କରି ସେଠାକୁ ଯିବା ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ। ଗାଡ଼କଣର କଂସେଇଖାନାରୁ ମାଂସ କାଟି ଆଣି ଏଠାରେ ବିକ୍ରି କରିବା ମଧ୍ୟ ଆମ ପକ୍ଷେ ସମ୍ଭବ ନୁହେଁ। ରାଜଧାନୀରେ ଦିନକୁ ଦେଢ଼ ହଜାରରୁ ୨ ହଜାର ଛେଳି ମାଂସ ଆବଶ୍ୟକତାକୁ ମେଣ୍ଟାଉଥିବା ବେଳେ ଏହି ଆଧୁନିକ କଂସେଇଖାନା ଆବଶ୍ୟକତାକୁ ପୂରଣ କରିପାରିବ ନାହିଁ। ପ୍ରଶାସନ ଯଦି ଚାହୁଁଛି, ଆମକୁ ରାସ୍ତାକଡ଼ରୁ ଦୂରରେ କୌଣସି ସ୍ଥାନରେ ଦୋକାନ ଘର ପାଇଁ ଜାଗା ଯୋଗାଇ ଦେଲେ ଆମେ ସେଠାରେ ଦୋକାନ କରିବୁ। ଏନେଇ ପ୍ରଶାସନ ସହ ବାରମ୍ବାର କଥା ହୋଇଥିଲେ ହେଁ କିଛି ନିଷ୍କର୍ଷ ବାହାରି ପାରିନି। ଅନ୍ୟପକ୍ଷରେ ୨୦୧୬ ମସିହାରେ ରୁଦ୍ରପୁରରେ ଅତ୍ୟାଧୁନିକ କଂସେଇଖାନା ନିର୍ମାଣ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଥିଲା। ସାଧାରଣ ପ୍ରଶାସନ ବିଭାଗ(ଜିଏ) ଏଥିପାଇଁ ରୁଦ୍ରପୁରରେ ୫ ଏକର ଜାଗା ଦେଇଥିଲା। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ନିର୍ମାଣ କାମ ପାଇଁ ସମ୍ମତି ଦେଇ ସାରିଥିଲା। ତାହା ବି ଶୀତଳ ଭଣ୍ଡାରରେ ରହିଗଲା। ଏନେଇ ବିଏମ୍‌ସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି, ଆମେ ଗାଡ଼କଣସ୍ଥିତ ଆଧୁନିକ କଂସେଇଖାନା ଚଳାଇବା ପାଇଁ ଗତବର୍ଷ ପର୍ଯ୍ୟାୟକ୍ରମେ ୩ଥର ଟେଣ୍ଡର୍‌ ଡାକିଲୁ, କିନ୍ତୁ ବ୍ୟବସାୟୀମାନେ ସେଠାରୁ ମାଂସ କାଟି ଆଣି ବିକ୍ରି କରିବା ପାଇଁ ରାଜି ହେଲେ ନାହିଁ। ରବିବାର, ବୁଧବାର ଓ ଶୁକ୍ରବାର ଛଡ଼ା ଅନ୍ୟ ଦିନରେ ଦୋକାନ ବନ୍ଦ ରହୁଥିବାରୁ ଟେଣ୍ଡର୍‌ ପ୍ରକ୍ରିୟାରେ ସାମିଲ୍‌ ହୋଇ ଦେୟ ଦେବାକୁ ବ୍ୟବସାୟୀମାନେ ରାଜି ହେଲେନି। ତେଣୁ ଏକ ବୈଠକ ଡାକି କଂସେଇଖାନା ନିର୍ମାଣ କରିଥିବା ଏନ୍‌ବିସିସିକୁ ଏହି କଂସେଇଖାନା ବର୍ଷେ ପର୍ଯ୍ୟନ୍ତ ଚଲାଇବାକୁ ଅନୁରୋଧ କରିଛୁ। ଏନ୍‌ବିସିସି ମଧ୍ୟ ବର୍ଷେ ପର୍ଯ୍ୟନ୍ତ ଏହି କଂସେଇଖାନା ଚଳାଇବାକୁ ରାଜି ହୋଇଛି ବୋଲି ସେ କହିଛନ୍ତି।