ଭୁବନେଶ୍ବର: ଦିନେ ମନୋରମ ଭୌଗୋଳିକ ସ୍ଥିତି ଯୋଗୁ ରାଜଧାନୀ ଭାବେ ମନୋନୀତ ହୋଇଥିବା ଭୁବନେଶ୍ବର ଆଜି ପର୍ଯ୍ୟଟକଙ୍କୁ ନିରାଶ କରୁଛି। ୨ଦିନ ପାଇଁ ଭୁବନେଶ୍ବରରେ ମନଖୋଲି ଅବସର ବିନୋଦନ ପାଇଁ ଏଠାରେ କୌଣସି ବ୍ୟବସ୍ଥା ନାହିଁ। ସହରର ଦୁଇପାର୍ଶ୍ବରେ ଦୟା ଓ କୁଆଖାଇ ନଦୀ ପ୍ରବାହିତ। ହେଲେ ଏଠାରେ ନୌବିହାର, ଜଳକ୍ରୀଡ଼ା ତ’ ଦୂରର କଥା ପର୍ଯ୍ୟଟନ ଦୃଷ୍ଟିକୋଣରୁ ରାଜଧାନୀକୁ ଅତ୍ୟାଧୁନିକ ସହରରେ ଗଢ଼ି ତୋଳିବାରେ ବି ଆମେ ବିଫଳ ହୋଇଛେ। ଏମିତି ନୁହେଁ ଯେ ଭୁବନେଶ୍ବରର ପର୍ଯ୍ୟଟନ ବିକାଶ ପାଇଁ ସରକାରୀସ୍ତରରେ ଯୋଜନା ପ୍ରସ୍ତୁତ ହୋଇନାହିଁ। ଦୁଃଖର କଥା, ବହୁ ଯୋଜନା ସତ୍ତ୍ବେ ବିଶାଳ ବିଶାଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିନାହିଁ।
ସାବରମତୀ ନଦୀତଟ ଭଳି ହୋଇଥା’ନ୍ତା କୁଆଖାଇ ସୌନ୍ଦର୍ଯ୍ୟୀକରଣ
ନଦୀଶଯ୍ୟା ବାଲିମାଫିଆଙ୍କ ଆଡ଼ା ହୋଇଥିବା ବେଳେ ଏହାର ସୌନ୍ଦର୍ଯ୍ୟୀକରଣ ପାଇଁ ୨୦୧୩ ମସିହାରେ ଅଣ୍ଟା ଭିଡ଼ିଥିଲା ବିଡିଏ। ଗୁଜୁରାଟର ସାବରମତୀ ନଦୀତଟ ସୌନ୍ଦର୍ଯ୍ୟୀକରଣ ଯୋଜନା ଭଳି କୁଆଖାଇ ନଦୀତଟକୁ ମଧ୍ୟ ବିକଶିତ କରାଯିବ ବୋଲି କୁହାଗଲା। ଏଥିପାଇଁ ଜବରଦଖଲ ହୋଇଥିବା ନଦୀପଠାକୁ ଖାଲି କରିବା ସହ ସେଠାରେ ପରିବେଶକୁ ସୁହାଇଲା ଭଳି ଡିଜ୍ନି ୱାର୍ଲ୍ଡ ମଡେଲରେ ଗ୍ରିନ୍ ପାର୍କ, ୱାଟର ପାର୍କ, ସୁପ୍ରଶସ୍ତ ରାସ୍ତା, ମନୋରଞ୍ଜନ ଜୋନ୍ ଓ ସୁସ୍ବାଦୁ ଭୋଜନାଳୟ ନିର୍ମାଣ ହେବ ବୋଲି ଯୋଜନା ହେଲା। ଯୋଜନାକୁ ବାସ୍ତବ ରୂପ ଦେବାକୁ ଅଧିକାରୀମାନଙ୍କର ଏକ ଟିମ୍ ସାବରମତୀ ଯାଇ ବୁଲିବାକୁ ଯାଇଥିଲେ। ହେଲେ ୧୨ ବର୍ଷ ବିତିଗଲା, ସରକାର ଓ ଅଧିକାରୀମାନେ ବଦଳିଗଲେ, ହେଲେ କୁଆଖାଇ ନଦୀତଟ ସୌନ୍ଦର୍ଯ୍ୟୀକରଣ ଯୋଜନାରେ ହିଁ ରହିଗଲା। ବିଡିଏ, ଜଳସମ୍ପଦ ବିଭାଗ ଓ ପର୍ଯ୍ୟଟନ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ରାଜଧାନୀବାସୀ ଏହି ଅତ୍ୟାଧୁନିକ ପର୍ଯ୍ୟଟନ ସୁବିଧାରୁ ବଞ୍ଚିତ ହେଲେ।
ଅଧାରେ ରହିଲା ନୌବିହାର ସ୍ବପ୍ନ
୧୯୯୮ ମସିହାରେ ନିକୋ ଗ୍ରୁପ୍ ସହାୟତାରେ ବିଡିଏ କର୍ତ୍ତୃପକ୍ଷ ନିକୋ ପାର୍କ ନିର୍ମାଣ କରିଥିଲେ। ପ୍ରାକୃତିକ ନାଳ -୧୦ କଡ଼ରେ ପ୍ରାୟ ୨୪ ଏକର ଜାଗାରେ ଏହି ପାର୍କ ଥିଲା। ଶିଶୁ ଓ ବୟସ୍କଙ୍କ ଅବସର ବିନୋଦନ ପାଇଁ ଏଠାରେ ବ୍ୟାପକ ସୁଯୋଗ ରହିଥିଲା। ଏହି କେନ୍ଦ୍ରରେ ନୌବିହାର ସୁବିଧା ସହ ବହୁ ମନୋରଞ୍ଜନର ବ୍ୟବସ୍ଥା ଥିଲା। ନୌବିହାର ପାଇଁ ଖ୍ୟାତି ହାସଲ କରିଥିବା ନିକୋ ପାର୍କରେ ଏବେ ବୋଟିଂ ସୁବିଧା ଯୋଗାଇବା ଦୂର କଥା ଏହା କଡ଼ରେ ଥିବା ଜଳାଶୟଟି ଏକ ଆବର୍ଜନାମୟ ହୋଇଗଲାଣି।
ଏଥି ସହ ଅଧା ରାଜଧାନୀର ଜୀବନରେଖା ପାଲଟିଥିବା ୫୦ ଫୁଟ ଚଉଡ଼ା ବିଶିଷ୍ଟ ୩୮କିମିର ଦୟାୱେଷ୍ଟ କେନାଲରେ କେରଳର ଆଲ୍ଲପି ସହରର କେନାଲ ନୌବିହାର ଢାଞ୍ଚାରେ ନୌବିହାର ହେବ ବୋଲି ପର୍ଯ୍ୟଟନ ବିଭାଗ ସ୍ବପ୍ନ ଦେଖାଇଥିଲା। ପଳାଶୁଣୀରୁ ସାମନ୍ତରାପୁର ପର୍ଯ୍ୟନ୍ତ ଏହି କେନାଲ ପ୍ରାୟ ୨୦ଫୁଟ ଗଭୀର କରାଯାଇଥା’ନ୍ତା। ଏଥିରେ ବର୍ଷତମାମ ସଫା ପାଣି ଚାଲିଥା’ନ୍ତା ଏବଂ ଲୋକଙ୍କୁ ଏଥିରେ ନୌବିହାର କରିବାର ସୁଯୋଗ ମିଳିଥା’ନ୍ତା। ହେଲେ ନା ଜଳସମ୍ପଦ ବିଭାଗ କେନାଲର ଉନ୍ନତୀକରଣ ଦିଗରେ କିଛି ପଦକ୍ଷେପ ନେଲା, ନା ପର୍ଯ୍ୟଟନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଲା। କେନାଲର ପରିସ୍ଥିତି ଏପରି ହୋଇଛି ଯେ ନୌବିହାର ଦୂର କଥା, ଏହି ନାଳ କୂଳରେ ଜଣେ ୫ମିନିଟ୍ ଛିଡ଼ା ହେବା ବି ମୁସ୍କିଲ୍। ସେହିଭଳି ନୟାପଲ୍ଲୀ ହଜ୍ ପୋଖରୀରେ ୪ କୋଟି ଟଙ୍କା ବ୍ୟୟ ବରାଦରେ ବୋଟିଂ ବ୍ୟବସ୍ଥା କରିବାକୁ ବିଏମ୍ସି ୨୦୨୩ ମସିହାରୁ ଯୋଜନା କରିଥିଲେ ସୁଦ୍ଧା ଏଯାଏଁ ଏହା ଫଳପ୍ରଦ ହୋଇପାରିନାହିଁ। ଏକାମ୍ରକାନନର ବୋଟିଂ କେବେଠାରୁ ବନ୍ଦ ଅଛି ଯେ ତାହା କେବେ ଖୋଲିବ ତା’ର ଉତ୍ତର କାହା ପାଖେ ନାହିଁ।
ପରିତ୍ୟକ୍ତ ଧଉଳି କ୍ରାଫ୍ଟ ବଜାର
୨୦୧୩ ମସିହାରେ ଉଦ୍ଘାଟିତ ହୋଇଥିଲା ଧଉଳି କ୍ରାଫ୍ଟ୍ ବଜାର। ୧.୨ କୋଟି ଟଙ୍କାରେ ନିର୍ମିତ ଏହି କ୍ରାଫ୍ଟ୍ ବଜାରରେ ୧୬ଟି ଦୋକାନ ଘରର ବ୍ୟବସ୍ଥା କରାଯାଇଥିଲା। ଲକ୍ଷ୍ୟ ରହିଲା, ରାଜ୍ୟର ବିଭିନ୍ନ ପାରମ୍ପରିକ କଳା ଓ ହସ୍ତଶିଳ୍ପର ପ୍ରଦର୍ଶନୀ ସହ ବଜାର ସୁବିଧା ପ୍ରଦାନ। ଦେଢ଼ ଏକର ପରିମିତ ଏହି ସ୍ଥାନରେ କାରିଗରମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଦେଖାଇବା ପାଇଁ ଯୋଜନା କରାଯାଇଥିଲା। ମାତ୍ର ଏବେ ତାହା ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛି। ଏବେ ଏହି କ୍ରାଫ୍ଟ ବଜାର ଶ୍ରୀହୀନ ହୋଇପଡ଼ିଥିବା ବେଳେ ଧଉଳି ଶାନ୍ତିସ୍ତୂପକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିଲେ ମଧ୍ୟ ଏହା ଉଦ୍ଦେଶ୍ୟଠାରୁ ବହୁ ଦୂରରେ ରହିଛି।