ଇତିହାସର ଶ୍ରୀବୃଦ୍ଧି ପାଇଁ ମୋଦୀ ସରକାର ଚେଷ୍ଟାରତ: ଧର୍ମେନ୍ଦ୍ର

ଭୁବନେଶ୍ବର ଷ୍ଟେସନ୍‌‌ରେ ବିଭାଜନ ବିଭୀଷିକା ସ୍ମୃତି ଦିବସ

ଭୁବନେଶ୍ୱର: ଇତିହାସର ପୁନଃ ରଚନା ପାଇଁ ନୁହେଁ, ବରଂ ଅନାଲୋଚିତ ବୀର ସଂଗ୍ରାମୀମାନଙ୍କୁ ଲିପିବଦ୍ଧ କରି ଭାରତବର୍ଷର ଗୌରବମୟ ଇତିହାସର ଶ୍ରୀବୃଦ୍ଧି କରିବା ପାଇଁ ମୋଦୀ ସରକାର ପ୍ରଚେଷ୍ଟାରତ। ଭୁବନେଶ୍ବର ରେଳଷ୍ଟେସନ୍‌ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳନ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହା କହିଛନ୍ତି।

ସେଠାରେ ଏକ ଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ଯେଉଁମାନଙ୍କ ତ୍ୟାଗ, ତପସ୍ୟା ବଳରେ ଆମକୁ ସ୍ୱତନ୍ତ୍ରତା ଆମକୁ ମିଳିଲା, ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଇତିହାସ ପୃଷ୍ଠାରୁ ବଞ୍ଚିତ କରି ଦିଆଯାଇଛି। ସହିଦ ବାଜି ରାଉତ, ବୈଷ୍ଣବ ଚରଣ ପଟ୍ଟନାୟକ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ଲକ୍ଷ୍ମଣ ନାୟକ, ଚକରା ବିଶୋଇ, ଡୋରା ବିଶୋଇ, ମାଧୋ ସିଂହ, ଓଡ଼ିଶାର ଜାଲିଆନାୱାଲାବାଗ ଆମକୋ ସିମକୋ ଗୁଳିକାଣ୍ଡ, ବିପ୍ଳବୀ ନିର୍ମଳ ମୁଣ୍ଡାଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କୁ ଇତିହାସ ପୃଷ୍ଠାରେ ସଗୌରବେ ଲିପିବଦ୍ଧ କରିବା ପାଇଁ ମୋଦୀ ସରକାର ଅଣ୍ଟା ଭିଡ଼ିଛନ୍ତି। ଅଜଣା ନାୟକଙ୍କୁ ଇତିହାସ ପୃଷ୍ଠାରେ ସ୍ଥାନ ଦେବା ଦିଗରେ ମୋଦୀ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ କହିଥିଲେ। ଏହାବ୍ୟତୀତ ଏହି ଚିତ୍ର ପ୍ରଦର୍ଶନୀରେ ସ୍ଥାନ ପାଇଥିବା ଭାରତ ବିଭାଜନ ସମୟର କରୁଣ ଫଟୋଚିତ୍ରକୁ ଦେଖିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ଉଲ୍ଲେଖଯୋଗ୍ୟ, ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରାମହରି ଗୋସ୍ୱାମୀ ଏବଂ ଶ୍ୟାମସୁନ୍ଦର ବେହେରାଙ୍କୁ ତ୍ରିରଙ୍ଗା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ମାନିତ କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର