ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ ତାରିଖରେ ଭୁବନେଶ୍ବର ଆସି ସୁଭଦ୍ରା ଯୋଜନା ଆରମ୍ଭ କରିବେ। ଏଥି ପାଇଁ ଜନତା ମଇଦାନରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ, ସାଂସଦ, ବିଧାୟକ ଯୋଗଦେବେ। ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ କମିସନରେଟ୍‌ ପୁଲିସ୍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥି ପାଇଁ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଛି। ୧୭ ତାରିଖ ଦିନ ପାଖାପାଖି ୧୧ଟାରେ ପ୍ରଧାନମନ୍ତ୍ରୀ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି‌ବେ। ସେଠାରୁ ସିଧା ଗାଡ଼କଣ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ୨ଟି ଗୃହ ପ୍ରବେଶ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ୩୫ଜଣ ହିତାଧିକାରୀଙ୍କ ସହ ଆଲୋଚନା କରିବେ। ପାଖାପାଖି ୧୧ଟା ୪୫ରୁ ସେଠାରୁ ବାହାରି ୧୨ଟାରେ ଜନତା ମଇଦାନରେ ପହଞ୍ଚିବେ। ଜନତା ମଇଦାନରେ ୧ଘଣ୍ଟାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମ ସରିବା ପରେ ୧ଟାରେ ବିମାନବନ୍ଦର ଫେରି ସେଠାରୁ ନୂଆଦିଲ୍ଲୀ  ଯାତ୍ରା କରିବେ। 

Advertisment

ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ଜନତା ମଇଦାନ ଓ ଗାଡ଼କଣ ଯିବା ବାଟରେ ରୋଡ୍‌ ‌ସୋ’ର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଦଳୀୟ କର୍ମୀ ସାଙ୍ଗକୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ। ଯଦିଓ ରେଡ୍‌ ସୋ’ ନେଇ କୌଣସି ସ୍ପ‌ଷ୍ଟ ବିବରଣୀ ଆସିନାହିଁ, ହେଲେ କମିସନରେଟ୍‌ ପୁଲିସ ସମସ୍ତ ଦିଗ ପାଇଁ ନିଜକୁ ପ୍ରସ୍ତୁତ ରଖିଛି। ପୁଲିସ କମିସନର ସଞ୍ଜୀବ ପଣ୍ଡା, ଡିସିପି ପ୍ରତୀକ ସିଂ ଓ ବରିଷ୍ଠ ଅଧିକାରୀ ଘନ ଘନ ବୈଠକ କରି ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରୁଛନ୍ତି। ଏନେଇ ଆଜି ପୁଲିସ କମିସନରଙ୍କ ଅଧ୍ୟକ୍ଷତାରେ ବାଣୀବିହାର ଦୀକ୍ଷାନ୍ତ ଭବନରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।

ସୁରକ୍ଷାକୁ ଦୃଷ୍ଟିରେ ରଖି ସମଗ୍ର ଅଞ୍ଚଳ ଏସ୍‌ପିଜି ନିୟନ୍ତ୍ରଣରେ ରହିବ। ଟ୍ରାଫିକ ରୁଟ୍ ଲାଇନ୍‌ରେ ଆଇଜି(କ୍ରାଇମ୍ ବ୍ରାଞ୍ଚ୍‌) ସଫିନ୍ ଅହମ୍ମଦ, ଆଇଜି (ଇଓଡବ୍ଲୁ) ପଙ୍କଜ କୁମାର ଦାୟିତ୍ୱରେ ଥିବା ବେଳେ ଜନତା ମଇଦାନରେ ଆଇଜି (ପର୍ସୋନେଲ) ପ୍ରବୀଣ କୁମାର ଦାୟିତ୍ୱ ନେଇଛନ୍ତି। ଏନେଇ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ଅନ୍ୟ ୧୦ଜଣ ଡିସିପି ଓ ୨୧ଜଣ ଅତିରିକ୍ତ ଡିସିପିଙ୍କ ସହ ୮୬ଜଣ ଏସିପି, ୧୨୦ଜଣ ଇନସ୍ପେକ୍ଟର ଓ ୩୨୯ଜଣ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ୮୧ପ୍ଲାଟୁନ ପୁଲିସ ଓ ୨ କମ୍ପାନି ସିଆର୍‌ପିଏଫ ମଧ୍ୟ ନିୟୋଜିତ ରହିବେ। କୌଣସି ପ୍ରକାର ଆତଙ୍କୀ ଆକ୍ରମଣକୁ ମୁକାବିଲା ଓ ପ୍ରତିହତ ପାଇଁ ୩ଟି ୟୁନିଟ ଏସ୍‌ଟିୟୁ(ସ୍ପେଶାଲ ଟାକ୍ଟିକାଲ ୟୁନିଟ) ମଧ୍ୟ ନିୟୋଜିତ କରାଯାଇଛି। 

ବିମାନବନ୍ଦରରୁ ଗାଡ଼କଣ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟାରିକେଡ୍‌ କରାଯିବା ସହ ପୁଲିସ ଛାଉଣି କରାଯିବ। ଉଭୟ ପାର୍ଶ୍ବର ସମସ୍ତ ବଡ଼ବଡ଼ ବିଲ୍ଡିଂ ଠାରୁ ଆରମ୍ଭ କରି ମାର୍କେଟ୍‌ କମ୍ପ୍ଲେକ୍ସ ପାଇଁ ସ୍ବତନ୍ତ୍ର କଟକଣା ଜାରି ହୋଇଛି। ସେମାନେ ଛାତ ଉପରେ କୌଣସି ପ୍ରକାର କାର୍ଯ୍ୟକ୍ରମ କରିବେ ନାହିଁ। ଏହା ଛଡ଼ା କେଉଁ କେଉଁ ଉଚ୍ଚ ଅଟ୍ଟାଳିକାରେ ପୁଲିସ ଜଗି ରହିବ ‌ତା’ର ମଧ୍ୟ ତାଲିକା କରାଯାଇଛି। ବିମାନବନ୍ଦର ଓ ଭୁବନେଶ୍ୱରକୁ ‘ନୋ ଫ୍ଲାଇଙ୍ଗ ଜୋନ୍‌’ ଘୋଷଣା କରାଯିବା ସହ ବ୍ଲୁ-ବୁକ୍ ସୁରକ୍ଷା ନେଇ ସମସ୍ତ ବନ୍ଦୋବସ୍ତ କରାଯାଉଛି। ବିମାନବନ୍ଦରରୁ ଆରମ୍ଭ କରି ଗାଡ଼କଣ ଓ ଉତ୍ସବ ସ୍ଥଳ ସମଗ୍ର ଅଞ୍ଚଳ ସିସିଟିଭି ନଜରରେ ରହିଛି। କାର୍ଯ୍ୟକ୍ରମ ପାଇଁ ଜନତା ମଇଦାନକୁ ଡଗ୍‌ ସ୍କ୍ବାର୍ଡ ଓ ବମ‌୍ ସ୍କ୍ବାର୍ଡ ଦ୍ବାରା ତନତନ ଯାଞ୍ଚ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏସ୍‌ପିଜି ଟିମ୍ ସହ ଆର୍‌ ଆଣ୍ଡ ବି, ବିଏମ୍‌ସିର ଅଧିକାରୀ, ଟ୍ରାଫିକ୍‌ ଵିଙ୍ଗ୍‌, ସିକ୍ୟୁରିଟି ଵିଙ୍ଗ୍‌, ଇଣ୍ଟେଲିଜେନ୍ସ ଵିଙ୍ଗ୍‌ ଓ କାରକେଡ୍‌ ସହ ରହିବାକୁ ଥିବା ବାଟାଲିୟନ୍‌ର ଅଫିସର ପୂରା ପ୍ରସ୍ତୁତି ଉପରେ ନଜର ରଖିଛନ୍ତି। ସେହିପରି ଅଗ୍ନିଶମ ବିଭାଗ ମଧ୍ୟ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ସୋମବାର ପୂର୍ବାହ୍ନରେ ବିମାନବନ୍ଦରରୁ ଗାଡ଼କଣ ପର୍ଯ୍ୟନ୍ତ କାର୍‌କେଡ୍‌ ରିହର୍ସାଲ୍‌ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।