‘ମୋଦୀଙ୍କ ଶାସନରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି’

୧୭ଜଣିଆ ମହିଳା ଶାନ୍ତି ଯାଥାକୁ ସମ୍ବର୍ଧନା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ବିଜେପି ସରକାର ଶାସନ କାଳରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି। ନାରୀ ନିର୍ଯାତନା କ୍ଷେତ୍ରରେ ପ୍ରଥମ ୧୦ଟି ରାଷ୍ଟ୍ର ତାଲିକାରେ ଭାରତ ସ୍ଥାନ ପାଇଛି। ଦେଶରେ ଦଳିତ, ସଂଖ୍ୟାଲଘୁ, ମହିଳାମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ସର୍ବଭାରତୀୟ ମିଳିତ ମହିଳା ଶାନ୍ତି ଯାଥାର ନେତୃତ୍ବ ନେଇ ଓଡ଼ିଶା ଅ‌ାସିଥିବା ଭାରତୀୟ ଜାତୀୟ ମହିଳା ଫେଡେରେସନ୍‌ର ସମ୍ପାଦିକା ନିଶା ସିଦ୍ଧୁ ଉତ୍କଳ ମହିଳା ସମିତି ପକ୍ଷରୁ ଆୟୋଜିତ ଏକ ସମ୍ବର୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି। ଆଜି ସନ୍ଧ୍ୟାରେ ୧୭ ଜଣିଆ ମହିଳା ଶାନ୍ତି ଯାଥାକୁ ରାଜମହଲ ଛକଠାରୁ ଏକ ଶୋଭାଯାତ୍ରାରେ ମାଷ୍ଟରକ୍ୟାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ନିଆଯାଇଥିଲା। ସେଠାରେ ଉତ୍କଳ ମହିଳା ସମିତି ପକ୍ଷରୁ ଅନୁଷ୍ଠିତ ଏକ ସଭାରେ ଏହି ଦଳକୁ ସମ୍ବର୍ଧିତ କରାଯାଇଥିଲା। ସମିତିର ରାଜ୍ୟସଭା ନେତ୍ରୀ ପ୍ରମୋଦିନୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମନୁ ଦେବୀ, ପ୍ରେମଲତା, ଶିଲା ଭାରତୀ ଓ ମାଧନୀ କାନେ ପ୍ରମୁଖ ଯୌନ ଶୋଷଣ, ମହିଳା ଚାଲାଣ ଓ ଗଣ ଦୁଷ୍କର୍ମ ଉପରେ ନିଜସ୍ବ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମିତିର ଉପଦେଷ୍ଟା ବନଲତା ଜେନା, ସାଧାରଣ ସମ୍ପାଦକ ପ୍ରଭାବତୀ ଦାସ, ଭାନୁମତି ରେଡି, ସୁବାସିନୀ ଭଦ୍ର, ଜିନ୍ମୟୀ ସାହାଣୀ ଓ ମନୋରମା ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ। ନାରୀନେତ୍ରୀ ବାସନ୍ତୀ ପ୍ରଧାନ, ସାଗରିକା ଦାସ, ରୀତା ସେଠୀ, ସୁଜାତା ପାଇକରାୟ, ସୀତା ସ୍ବାଇଁ, ରୁକ୍ମିଣୀ ପୂଜାରୀ, ସୂର୍ଯ୍ୟମଣି ନାୟକ ଓ ଦୟାମଣି ବଲ୍ଲରୀ ପ୍ରମୁଖ ଶେ‌ାଭାଯାତ୍ରା ଓ ସମ୍ବର୍ଧନା ସଭାର ନେତୃତ୍ବ ନେଇଥିଲେ।

ଉଲ୍ଲେଖଯୋଗ୍ୟ, ଲିଙ୍ଗଗତ ବୈଷମ୍ୟ, ହିଂସା ଏବଂ ସାମ୍ପ୍ରଦାୟିକତାକୁ ବିରୋଧ କରି ସମ୍ବିଧାନର ସୁରକ୍ଷା, ନାରୀମାନଙ୍କୁ ସମାନ ଅଧିକାର ଏବଂ ହିଂସାମୁକ୍ତ ଭାରତ ଗଠନର ବାର୍ତ୍ତା ନେଇ ୧୨୫ଟି ଜାତୀୟ ଓ ଆଞ୍ଚଳିକ ମହିଳା ସଙ୍ଗଠନ ପକ୍ଷରୁ ଗତ ‌େସପ୍ଟେମ୍ବର ୨୨ରୁ କନ୍ୟାକୁମାରୀରୁ ଯାତ୍ରା ଆରମ୍ଭ କରିଛନ୍ତି। ଏହି ମିଳିତ ଶାନ୍ତି ଯାଥା ଅକ୍ଟୋବର ୧୩ ତାରିଖରେ ଏହି ଯାତ୍ରା ଦିଲ୍ଲୀରେ ଶେଷ ହେବ।

ସମ୍ବନ୍ଧିତ ଖବର