ଭୁବନେଶ୍ବର: ‘ସୁଭଦ୍ରା ଆର୍ଟ ଗ୍ୟାଲେରି’ ଭୁବନେଶ୍ବରର ବର୍ଷବ୍ୟାପୀ ଚାଲିଥିବା ‘ମୋଦୀ@୨୦ ଚିତ୍ରକଳା ପ୍ରଦର୍ଶନୀ’ ଭୋପାଳର ରବୀନ୍ଦ୍ର ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାରା ଭାରତରୁ ୫୦ଜଣ ପ୍ରଖ୍ୟାତ ଓ ତରୁଣ ଚିତ୍ରଶିଳ୍ପୀଙ୍କ ଦ୍ବାରା ଅଙ୍କିତ ଚିତ୍ରକଳା ଏଥିରେ ପ୍ରଦର୍ଶନୀ କରାଯାଇଥିଲା। ଏହାକୁ ମଧ୍ୟପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ପଟେଲ ଉଦ୍‌ଘାଟନ କରି କରିଥିଲେ। ସମ୍ମାନିତ ଅତିଥି ଭାବେ ଭୋପାଳର ଲୋକସଭା ସଦସ୍ୟ ସ୍ବାଧୀପ୍ରଜ୍ଞାସିଂ ଠାକୁର ମୋଦିଙ୍କ ବିକାଶଶୀଳ କାର୍ଯ୍ୟର ପ୍ରଶଂସା କରିଥିଲେ।

Advertisment

ଅନ୍ୟତମ ଅତିଥି ଭୋପାଳର ମେୟର ମାଳତୀ ରାୟ କହିଲେ, ଏହି ପ୍ରଦର୍ଶନୀ ଭୋପାଳ ସହରର କଳା, ସଂସ୍କୃତିକୁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରାଇବାରେ ସହାୟକ ହେବ। ଅନୁଷ୍ଠାନର ଅଧ୍ୟକ୍ଷ ସୂର୍ଯ୍ୟ ରଥ ପ୍ରଦର୍ଶନୀରେ ଅଧ୍ୟକ୍ଷତା କରିବା ସହ ଏହାର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ। ଆୟୋଜକ ସମିତିର ଅଧ୍ୟକ୍ଷ ଏଲ୍‌.ଏନ୍‌ ମାଲବ୍ୟ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ‘ମୋଦୀ@୨୦ ଚିତ୍ରକଳା ପ୍ରଦର୍ଶନୀ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଆର୍ଟ ଗ୍ୟାଲେରିର ନିର୍ଦ୍ଦେଶକ ଅଶୋକ ନାୟକ ପ୍ରଦର୍ଶନୀକୁ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ। ଏହି ପ୍ରଦର୍ଶନୀ ଆଗାମୀ ଦିନରେ ଅହମ୍ମଦାବାଦ, ବନାରସ ଓ ଶେଷ‌ରେ ସେପ୍ଟେମ୍ବର ମାସରେ ଦିଲ୍ଲୀରେ G20 ସମ୍ମିଳନୀରେ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।