ମୋଦୀଙ୍କ ରୋଡ୍‌ ‌ସୋ’ ଘଣ୍ଟାଏ ୧୫ ମିନିଟ୍‌

ଭୁବନେଶ୍ବର: ଆ‌ଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାକୁ ଆସି ଭୁବନେଶ୍ବରରେ ରୋଡ୍‌ ସୋ’ କରିଛନ୍ତି। ସନ୍ଧ୍ୟା‌ ପ୍ରାୟ ୫ଟା ୪୫‌ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇବା‌ ପରେ ସେଠାରୁ ଏକ ସ୍ବତନ୍ତ୍ର ଗାଡ଼ିରେ ରୋଡ୍‌ ସୋ’ କରି ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲେ। ପ୍ରାୟ ୫କିମିର ରାସ୍ତାରେ ପ୍ରଧାନମନ୍ତ୍ରୀ ୧ଘଣ୍ଟା ୧୫ ମିନିଟ୍‌ର ରୋଡ୍‌ ସୋ’ କରିଥିଲେ। ମୋଦୀ ବିମାନବନ୍ଦରରୁ ବାହାରି ନୂଆ ଏୟାରପୋର୍ଟ ଛକ, ଗଙ୍ଗନଗର ଛକ, ସିରିପୁର ଛକ, ସିଟି ଓମେନ୍ସ ଛକ, ବରମୁଣ୍ଡା ନୀଳକଣ୍ଠେଶ୍ବର ମନ୍ଦିର, ଓୟୁଏଟି ଫାର୍ମ ହାଉସ୍‌ ରାସ୍ତା ଦେଇ ବରମୁଣ୍ଡା ଓଭରବ୍ରିଜ୍‌ ନିକଟରେ ପହଞ୍ଚିଥିଲେ। ସେଠାରୁ ରଙ୍ଗରୁଟ୍‌ରେ ଆସି ବରମୁଣ୍ଡା ପଡ଼ିଆରେ ପ୍ରବେଶ କରିଥିଲେ। ରୋଡ୍‌ ସୋ’ ସମୟରେ ମୋଦୀ ଗାଡ଼ିରୁ ଓହ୍ଲାଇନଥିଲେ ହେଁ ହାତ ହଲାଇ ତାଙ୍କ ସମର୍ଥକଙ୍କ ଶୁଭେଚ୍ଛା ଗ୍ରହଣ କରିଥିଲେ। ମୋଦୀଙ୍କ ଗାଡ଼ି ଆଗରେ ଓଡ଼ିଶାର ପାରମ୍ପାରିକ ଘୋଡ଼ା ନାଚ, ଆଦିବାସୀ ନୃତ୍ୟ ସହ ଘଣ୍ଟ, ଢୋଲ ବଜାଇ ତାଙ୍କୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ନିଆଯାଇଥିଲା। ମୋଦୀ ପ୍ରଶଂସକମାନେ ବି ମୋଦୀ ମୁଖା ପିନ୍ଧି ତାଙ୍କ ସହ ରାସ୍ତା କଡ଼କଡ଼େ ଚାଲି ଚାଲି ଯାଇଥିଲେ। ଅପରପକ୍ଷେ କେତେକ ବିଜେପି କର୍ମୀ ଭିଭିଆଇପି ପାସ୍‌ ବେକରେ ଝୁଲାଇ ବାରିକେଡ୍‌ ଡେଇଁ ମୋଦୀଙ୍କ କାର୍‌କେଡ୍‌ ଆଡ଼କୁ ମାଡ଼ି ଆସୁଥିବା ବେଳେ ସେମାନଙ୍କୁ ପୁଲିସ ଅଟକାଇଥିଲା। ସିଟି ମହିଳା ମହାବିଦ୍ୟାଳୟ ଛକରେ କିଛି ସମୟ ଏ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

ଜାମ୍‌ରେ ଫସିଲେ ଲୋକ
ମୋଦୀଙ୍କ ରୋଡ୍‌ ସୋ’ରେ ଶୃଙ୍ଖଳା ପାଇଁ କମିସନରେଟ୍‌ ପୁଲିସ ପୂରା ଦମ୍‌ରେ ଲାଗି ପଡ଼ିଥିଲା। ଗଙ୍ଗନଗରଠାରୁ ସିଟି ମହିଳା ମହାବିଦ୍ୟାଳୟକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ୫ଟାରୁ ସିଲ୍‌ କରି ଦିଆଯାଇଥିଲା। ସେହିଭଳି ସିଟି ମହିଳା ମହାବିଦ୍ୟାଳୟରୁ ଖଣ୍ଡଗିରି ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ସିଲ୍‌ ଥିଲା। ୫ଟାରୁ ୭ଟା ପର୍ଯ୍ୟନ୍ତ ପ୍ରାୟ ୨ଘଣ୍ଟା ଧରି ଏହି ରାସ୍ତା ବନ୍ଦ ରହିବାରୁ ଏହାକୁ ସଂ‌ଯୋଗ କରୁଥିବା ସହରର ଅନ୍ୟ ସମସ୍ତ ରାସ୍ତା ଜାମ୍‌ ହୋଇଯାଇଥିଲା।

ଭାଷଣ ଦେଲେ ସାଂସଦ ପ୍ରାର୍ଥୀ
ମୋଦୀ ଆସିବା ପୂର୍ବରୁ ୫ଟି ଲୋକସଭା କ୍ଷେତ୍ରର ସାଂସଦ ପ୍ରାର୍ଥମାନେ ଉଦ୍‌ବୋଧନ ଦେଇଥିଲେ। ଭୁବନେଶ୍ବର ପ୍ର‌ାର୍ଥୀ ଅପରାଜିତା ଷଡ଼ଙ୍ଗୀ, ପୁରୀ ପ୍ରାର୍ଥୀ ସମ୍ବିତ ପାତ୍ର, କେନ୍ଦ୍ରାପଡ଼ା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, କଟକ ପ୍ରାର୍ଥୀ ପ୍ରକାଶ ମିଶ୍ର, ଜଗତସିଂହପୁର ପ୍ରାର୍ଥୀ ବିଭୁ ତରାଇ, ବିଜେପି ପ୍ରଭାରୀ ଅରୁଣ ସିଂହ, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ଓ ରଣପୁର ବିଧାୟକ ପ୍ରାର୍ଥୀ ସୁରମା ପାଢ଼ୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଉପସଭାପତି ସମୀର ମହାନ୍ତି ଓ ଗୋଲକ ମହାପାତ୍ର ସଭା ପରିଚାଳନା କରିଥିଲେ। ବରିଷ୍ଠ ନେତା ତଥା ପାଟକୁରା ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ମଞ୍ଚରେ ଉପସ୍ଥିତ ଥିଲେ। ଏହି ୫ଟି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀମାନେ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ।

ଜୀବନ ସାରା ଭୁଲିପାରିବିନି : ମୋଦୀ
ବରମୁଣ୍ଡା ସଭାରେ ମୋଦୀ ରୋଡ୍‌ ସୋ’ ସମୟର ଅନୁଭୂତି ବର୍ଣ୍ଣନା କରିଥିଲେ। ସେ କହିଥିଲେ, ଏହି ରୋଡ୍‌ ‌େସା’ ବେଳେ ମିଳିଥିବା ଜନସମର୍ଥନ ଅଭୂତପୂର୍ବ। ଓଡ଼ିଶାର ମହାନ ସଂସ୍କୃତି ଓ ମହାନ ପରମ୍ପରା ଆଜି ଦେଖିଲି। ଲୋକମାନଙ୍କ ମୁହଁରେ ଯେଉଁ ଖୁସି ଦେଖିଲି, ତାହାକୁ ଜୀବନ ସାରା ଭୁଲିପାରିବିନି। ଏ ମାଟିକୁ ପ୍ରଣାମ କରୁଛି।

ଅନ୍ଧାରରେ ରୋଡ୍‌ ସୋ’
ମୋଦୀଙ୍କ ରୋଡ୍‌ ସୋ’ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିଲେ ହେଁ ଏହି ସମୟରେ ହଠାତ୍ କିଛି ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ବନ୍ଦ ହୋଇଯାଇଥିଲା। କିନ୍ତୁ ମୋଦୀଙ୍କ ଗାଡ଼ିରେ ଲାଗିଥିବା ଲାଇଟ୍‌ ତାଙ୍କ ମୁହଁରେ ପଡ଼ୁଥିଲା। ଫଳରେ ଅନ୍ଧାର ଭିତରେ ମୋଦୀଙ୍କ ମୁହଁ କେବଳ ଦିଶୁଥିଲା। ମୋଦୀ ଅନ୍ଧାରରେ କିଛି ବାଟ ଯିବା ପରେ ପୁଣି ଷ୍ଟ୍ରିଟଲାଇଟ୍ ଜଳି ଉଠିଥିଲା। ଷ୍ଟ୍ରିଟ୍‌ ଲାଇଟ୍‌ ଲିଭିଯିବା ନେଇ ବିଜେପି ପକ୍ଷରୁ ଆପତ୍ତି ଉଠାଯାଇଛି।

ମୋଦୀଙ୍କ ଆଗରେ ଚାଲିଲେ ଧର୍ମେନ୍ଦ୍ର
ମୋଦୀଙ୍କ ରୋଡ୍‌ ସୋ’ରେ ରାଜ୍ୟର କୌଣସି ବିଜେପି ନେତା ସାମିଲ୍‌ ହୋଇନଥିଲେ। କେବଳ ଧର୍ମେନ୍ଦ୍ର ପ୍ରଧାନ ବିମାନବନ୍ଦରରେ ମୋଦୀଙ୍କୁ ସ୍ବାଗତ କରିବା ପରେ ରୋଡ୍‌ ସୋ’ରେ ଆସିଥିଲେ। ଧର୍ମେନ୍ଦ୍ର ମୋଦୀଙ୍କ ଗାଡ଼ି ଆଗେଆଗେ ଚାଲି ଚାଲି ସିରିପୁର ଛକ ପର୍ଯ୍ୟନ୍ତ ଆସିଥିଲେ।

ସମ୍ବନ୍ଧିତ ଖବର