‘ମୋଦୀ @୨୦’ରେ ମୋଦୀଙ୍କ ଜୀବନ ଦର୍ଶନ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ଓ ଦର୍ଶନ ଉପରେ ଆଧାରିତ ଏକ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ‘ମୋଦୀ @୨୦ ’ ଭୁବନେଶ୍ୱରସ୍ଥିତ ପ୍ରେସ୍‌କ୍ଲବ୍ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ସୁଭଦ୍ରା ଆର୍ଟ ଗ୍ୟାଲେରି ଅଧ୍ୟକ୍ଷ ସୂର୍ଯ୍ୟ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ଉତ୍ସବରେ ବିଧାୟକ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ସାରା ଭାରତରୁ ୪୦ରୁ ଅଧିକ ପ୍ରବୀଣ ଓ ତରୁଣ ଚିତ୍ରଶିଳ୍ପୀଙ୍କ ଦ୍ବାରା ଅଙ୍କିତ ଚିତ୍ରକୁ ଏହି ପ୍ରଦର୍ଶନୀରେ ସ୍ଥାନ ଦିଆଯାଇଛି।

ସମ୍ମାନିତ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ଲୋକ ସେବକ ମଣ୍ଡଳର ଜାତୀୟ ସମ୍ପାଦକ ପ୍ରଭାସ ଆଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ଓ ବିଶ୍ୱ ମାନବ ଅଧିକାର କମିସନ ନିର୍ଦ୍ଦେଶକ ଅଭିନ୍ନ ହୋତା ଯୋଗଦେଇ ଅନୁଷ୍ଠାନର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଶଙ୍କର ପରିଡ଼ା ସ୍ୱାଗତ ଭାଷଣ ଦେଇଥିଲେ ଓ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ସାମ୍ବାଦିକ କିଶୋର ଦ୍ବିବେଦୀ ‘ମୋଦୀ @୨୦’ ପ୍ରଦର୍ଶନୀର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଚିତ୍ରଶିଳ୍ପୀ ମାନସ ଜେନାଙ୍କ ଦ୍ବାରା ଅଙ୍କିତ ମୋଦୀଙ୍କ ତତ୍‌କାଳ ପ୍ରତିକୃତି କାର୍ଯ୍ୟକ୍ରମର ଆକର୍ଷଣ ପାଲଟିଥିଲା। ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ବହୁ ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ କଳାକୃତିଙ୍କ ଏଥିରେ ସ୍ଥାନ ପାଇଛି ବୋଲି ପ୍ରଦର୍ଶନୀର କ୍ୟୁରେଟର୍‌ ଓ ଗ୍ୟାଲେରିର ନିର୍ଦ୍ଦେଶକ ଅଶୋକ ନାୟକ କହିଥିଲେ। ଗ୍ୟାଲେରିର ପ୍ରତିଷ୍ଠାତା ରବିନାରାୟଣ ରଥ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର