କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ମଡ୍ୟୁଲାର ଓଟି, ଟଙ୍କା ଖର୍ଚ କରିବ ବିମାନବନ୍ଦର ପ୍ରାଧିକରଣ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ୨ଟି ମଡ୍ୟୁଲାର ଓଟି ଖୋଲିବ। ଏହାସହିତ ଆଉ ଏକ ଓଟି ମଧ୍ୟ କାର୍ଯ୍ୟକ୍ଷମ ହେବ। ବିମାନବନ୍ଦର ପ୍ରାଧିକରଣ ବା ଏଏଆଇ ଏଥିପାଇଁ ୫ କୋଟି ଟଙ୍କା ଖର୍ଚ କରିବ ବୋଲି କୁହାଯାଉଛି। ହସ୍ପିଟାଲର ପୁରୁଣା ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଲ୍‌ଡିଂରେ ଏହି ଓଟି ବା ଅସ୍ତ୍ରୋପଚାର ଗୃହ ନିର୍ମାଣ ହେବ ବୋଲି ନିଷ୍ପତ୍ତି ହୋଇଛି। ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲରେ ଏବେ ୨ଟି ଓଟି ଚାଲୁ ରହିଛି। ଗୋଟିଏ ଜେନେରାଲ ଓଟି ଓ ଅନ୍ୟଟି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ରହିଛି। ତେବେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଯୋଗୁଁ ହସ୍ପିଟାଲରେ ଓଟି ସଂଖ୍ୟା ବଢ଼ାଇବାକୁ କର୍ତୃପକ୍ଷ ଦୀର୍ଘଦିନରୁ ନିଷ୍ପତ୍ତି ନେଇଥିଲେ। ଏହାସହ ଜଟିଳ ରୋଗର ଅସ୍ତ୍ରୋପଚାର ପାଇଁ ମଡ୍ୟୁଲାର ଓଟି ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ପୂର୍ବରୁ ହସ୍ପିଟାଲ ନିର୍ଦେଶକ ନାଲ୍‌କୋ ସହିତ ଆଲୋଚନା କରିଥିଲେ। ମାତ୍ର ଏ ଦିଗରେ ବିଶେଷ ଅଗ୍ରଗତି ହୋଇପାରି ନ ଥିଲା। ପରବର୍ତୀ ସମୟରେ ବିମାନବିନ୍ଦର ପ୍ରାଧିକରଣ କର୍ତୃପକ୍ଷଙ୍କ ସହିତ ଏ ସଂପର୍କରେ ଆଲୋଚନା ହୋଇଛି। କର୍ପୋରେଟ୍ ସାମାଜିକ ଦାୟିତ୍ବ ବା ସିଏସ୍‌ଆର ପାଣ୍ଠିରୁ ଏଥିପାଇଁ ୫ କୋଟି ଟଙ୍କା ଖର୍ଚ ହେବ। ମଡ୍ୟୁଲାର ଓଟିରେ ଅତ୍ୟାଧୁନିକ ଯନ୍ତ୍ରପାତି ରହିବ, ଯାହାଫଳରେ ରୋଗୀଙ୍କୁ ଅନ୍ୟତ୍ର ରେଫର କରାଯିବ ନାହିଁ। ଅତ୍ୟାଧୁନିକ ଯନ୍ତ୍ରପାତି ବାବଦରେ ୨ କୋଟି ଟଙ୍କା ଖର୍ଚ ହେବ। ମଡ୍ୟୁଲାର ଓଟିରେ ଅଭିଜ୍ଞ ଡାକ୍ତରଙ୍କ ସହିତ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତ କରାଯିବ। ଅପରପକ୍ଷରେ ଆଉ ଏକ ଜେନେରାଲ ଓଟି ନିର୍ମାଣ ହେବା ପରେ ଅନ୍ୟାନ୍ୟ ଅସ୍ତ୍ରୋପଚାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ହସ୍ପିଟାଲର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ହସ୍ପିଟାଲରେ ଏବେ ୨ଟି ଓଟି ଥିବା ବେଳେ ଆହୁରି ୩ଟି ନୂଆ ଓଟି ନିର୍ମାଣ ହେବ। ମଡ୍ୟୁଲାର ଓଟି ସାଙ୍ଗକୁ ଜେନେରାଲ ଓଟି ଏଏଆଇ ସହାୟତାରେ ନିର୍ମାଣ ହେବାକୁ ଯାଉଛି। ଏଥିପାଇଁ ଆଲୋଚନା ଶେଷ ହୋଇଛି। ଅସ୍ଥିଶଲ୍ୟ ବିଭାଗରେ ଏବେ ଅସ୍ତ୍ରୋପଚାର ହେଉ ନାହିଁ ନୂଆ ଓଟି ନିର୍ମାଣ ହେବା ପରେ ଅସ୍ଥିଶଲ୍ୟର ମଧ୍ୟ ଅସ୍ତ୍ରୋପଚାର ହେବ। ମଡ୍ୟୁଲାର ଓଟି କାର୍ଯ୍ୟକ୍ଷମ ହେବା ପରେ ହସ୍ପିଟାଲରୁ ଅନ୍ୟତ୍ର ରେଫର ହୋଇଥିବା ଜଟିଳ ରୋଗୀମାନଙ୍କ ହସ୍ପିଟାଲରେ ଅସ୍ତ୍ରୋପଚାର ହୋଇପାରିବ। ପୁରୁଣା ସ୍ତ୍ରୀ ଓ ପ୍ରସୂତି ରୋଗ ଉପର ମହଲାରେ ଏହି ଓଟି ନିର୍ମାଣ ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର