ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଖୁବଶୀଘ୍ର ନିର୍ମାଣ ହେବ ମଡୁଲାର ଓଟି କମ୍ପ୍ଲେକ୍ସ। ଦୀର୍ଘ ଦିନ ହେବ ଏ ନେଇ ଯୋଜନା ହୋଇଥିବାବେଳେ ବିମାନବନ୍ଦର କର୍ତୃପକ୍ଷ ସିଏସ୍ଆର ପାଣ୍ଠିରୁ ପ୍ରାୟ ୫କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିପାଇଁ ପୂର୍ତ ବିଭାଗ ଏକ କନସଲଟାନ୍ସ ସଂସ୍ଥା ଜରିଆରେ ନକ୍ସା ପ୍ରସ୍ତୁତ କରିସାରିଛି। ଖୁବଶୀଘ୍ର ଏନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ହସ୍ପିଟାଲର ଏକ ଡାକ୍ତରୀ ଟିମ୍ ସାଇଟ୍ ପରିଦର୍ଶନ କରିଥିବାବେଳେ ପ୍ଲାନକୁ ଅନୁମୋଦନ ମିଳିସାରିଥିବା ସୂଚନା ମିଳିଛି।
ମଡୁଲାର ଓଟି ପୁରୁଣା ସ୍ତ୍ରୀ ଓ ପ୍ରସୂତି ବିଭାଗ ଉପର ମହଲାରେ ନିର୍ମାଣ କରିବା ଲାଗି ନିଷ୍ପତ୍ତି ହୋଇଛି। ପ୍ରସ୍ତୁତ ନକ୍ସାରେ ଏହି କମ୍ପ୍ଲେକ୍ସରେ ୫ଟି ଓଟି ବା ଅସ୍ତ୍ରୋପଚାର ଗୃହ ରହିବ। ଯେଉଁଥିରେ ୨ଟି ମଡୁଲାର ଓଟି ଏବଂ ୩ଟି ସେମି ମଡୁଲାର ଓଟି ରହିବ। ଏଥିରେ ମୋଟ ୧୦ଟି ଶଯ୍ୟା ରହିବ। ଅସ୍ତ୍ରୋପଚାର ପୂର୍ବରୁ ରୋଗୀର ଅବସ୍ଥା ଯାଞ୍ଚ କରିବା ପାଇଁ ୬ଟି ଶଯ୍ୟା ସଂରକ୍ଷିତ ରଖାଯିବ ଓ ଅସ୍ତ୍ରୋପଚାର ପରେ ରୋଗୀ ରହିବା ପାଇଁ ୪ଟି ଶଯ୍ୟା ରହିବ। ସମ୍ପୂର୍ଣ୍ଣଭାବେ କମ୍ପ୍ୟୁଟରାଇଜଡ୍ ବ୍ୟବସ୍ଥାରେ ଏହାକୁ ନିର୍ମାଣ କରାଯିବ।
ସେହିପରି ଡାକ୍ତରମାନଙ୍କ ଆଲୋଚନା ପାଇଁ ଏକ କନଫରେନ୍ସ ରୁମ ସହିତ ଆନେସ୍ଥେସିଆ ରୁମ, ସେଟ୍ଅପ୍ ରୁମ ଏବଂ ରିସେପସନ ମଧ୍ୟ ରହିବ ବୋଲି ଜଣାପଡ଼ିଛି। ଏହି କମ୍ପ୍ଲେକ୍ସରେ ଅସ୍ଥିଶଲ୍ୟ ବିଭାଗ ଏବଂ ସ୍ନାୟୁରୋଗ ବିଭାଗର ଦୁଇଟି ମଡୁଲାର ଓଟି ନିର୍ମାଣ ହେବ। ଯେଉଁଥିରେ ସମସ୍ତ ଅତ୍ୟାଧୁନିକ ସରଞ୍ଜାମ ବ୍ୟବସ୍ଥିତ ରହିବ। ଏହାଛଡା ଗୋଟିଏ ସାଧାରଣ ଓଟି ଯେଉଁଥିରେ ନିୟମିତ ଭାବେ ଅସ୍ତ୍ରୋପଚାର କରାଯିବ। ଅନ୍ୟଟି ଇଏନ୍ଟି ବିଭାଗ ପାଇଁ ହେବା ସହିତ ଅନ୍ୟଟି ସେପଟିକ୍ ଓଟି ନିର୍ମାଣ କରାଯିବା। ଓଟି ନିର୍ମାଣ ନେଇ ବିମାନବନ୍ଦର କର୍ତୃପକ୍ଷ ଦେଢ କୋଟି ଟଙ୍କା ପ୍ରଦାନ କରିସାରିଛନ୍ତି। ପରବର୍ତୀ ପର୍ଯ୍ୟାୟରେ ବଳକା ଟଙ୍କା ମିଳିବ। ଏବେ ଓଟି ପାଇଁ କାର୍ଯ୍ୟ ଆଗେଇଛି। ଅତିକମ୍ରେ ଦେଢ଼ମାସ ମଧ୍ୟ ସମସ୍ତ କାର୍ଯ୍ୟ ସରିବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।