ଭୁବନେଶ୍ୱର: ରାଜଧାନୀର କେନ୍ଦ୍ର ସ୍ଥଳ ହେଉଛି ମାଷ୍ଟର୍‌ କ୍ୟାଣ୍ଟିନ୍‌ ଛକ। ଏଠାରୁ ସିଧା ରାଜ୍ୟ ଶାସନର ମୁଖ୍ୟାଳୟ ବିଧାନସୌଧକୁ ସଂଯୋଗ କରୁଥିବା ରାସ୍ତାଟିକୁ ସହରର ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଭାବେ ବିବେଚନା କରାଯାଏ। ‘ମହାତ୍ମା ଗାନ୍ଧୀ ମାର୍ଗ’ ନାମରେ ପରିଚିତ ଏହି ୭୦୦ ମିଟର ରାସ୍ତା ତା’ର ସୌନ୍ଦର୍ଯ୍ୟ, ପ୍ରଶସ୍ତତା ଓ ସବୁଜିମା ପାଇଁ ବେଶ୍‌ ଲୋକପ୍ରିୟ। କିନ୍ତୁ ଏଇ କିଛି ବର୍ଷ ହେବ ମହାତ୍ମା ଗାନ୍ଧୀ ମାର୍ଗ ଉପରେ ଉଭୟ ସରକାରୀ ଓ ବେସରକାରୀ ଅତ୍ୟାଚାର ଏପରି ସୀମା ଲଂଘିଛି ଯେ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡ଼ିଲାଣି। ଅଧିକାଂଶ ସମୟ ରାସ୍ତାଟି ଯାତାୟାତ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହୁଥିଲା ବେଳେ ଅନ୍ୟ ସମୟରେ ଏହାର ବିକୃତ ରୂପ ସହରବାସୀଙ୍କୁ ବ୍ୟଥିତ କରୁଛି। ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗ କେବଳ ସହର ଭିତରେ ନୁହେଁ, ସାରା ଓଡ଼ିଶାରେ ବେଶ୍‌ ପରିଚିତ। କାରଣ ଏହା ହେଉଛି ସରକାରୀ ଭାବେ ଘୋଷିତ ଧାରଣା ସ୍ଥଳ। ସରକାରଙ୍କ ନିକଟରେ ଯାହାର ଯେଉଁ ପ୍ରକାର ଦାବି ରହିଛି, ତାହାକୁ ପୂରଣ ପାଇଁ ସମସ୍ତେ ଛୁଟି ଆସନ୍ତି ଏହି ରାସ୍ତା ଉପରକୁ। ହଜାର ହଜାର ସମାବେଶ, ପୁଲିସ୍‌-ବିକ୍ଷୋଭକାରୀ ସଂଘର୍ଷ, ଅନଶନ, ବିଧାନସଭା ସମୟରେ ବିକ୍ଷୋଭ ଓ ନାରାବାଜିର ମୂକ ସାକ୍ଷୀ ମହାତ୍ମା ଗାନ୍ଧୀ ମାର୍ଗ। ସାଧାରଣତଃ ବିଧାନସଭା ସମୟରେ ଏଠାରେ ବହୁ ସଂଖ୍ୟାରେ ସଂଗଠନ ଧାରଣା ଓ ବିକ୍ଷୋଭ ଆୟୋଜନ କରନ୍ତି। ସେହି ସମୟରେ ସୁରକ୍ଷା ଦୃଷ୍ଟିକୋଣରୁ ପୁଲିସ୍‌ ରାସ୍ତା ଉପରେ ତିନି ଥାକିଆ ବ୍ୟାରିକେଡ୍‌ର ବ୍ୟବସ୍ଥା କରିଥାଏ। ରାସ୍ତାର ଦୁଇ କଡ଼ରେ ଥିବା ସରକାରୀ କ୍ୱାର୍ଟର୍ସ ସାମ୍ନାରେ ମଧ୍ୟ ବାଉଁଶର ଲମ୍ବା ବ୍ୟାରିକେଡ୍‌ ପଡ଼େ। ବିଧାନସଭା ସମୟ ବାଦ୍‌ ଅଗଷ୍ଟ ୧୫ ଓ ଜାନୁଆରି ୨୬ରେ ରାଜ୍ୟସ୍ତରୀୟ ପରେଡ୍‌ ଏଠାରେ ଆୟୋଜନ କରାଯାଉଥିବାରୁ ସେହି ସମୟରେ ଏଠାରେ ବ୍ୟାରିକେଡ୍‌ ନିର୍ମାଣ କରାଯାଏ।

Advertisment

ଏତିକି ସମୟ ବାଦ୍‌ ଅନ୍ୟ ସମୟରେ ରାସ୍ତାଟି ତା’ର ଚିରାଚରିତ ସୌନ୍ଦର୍ଯ୍ୟ ଫେରିପାଇଥାଏ। ଲୋକମାନେ ବେଶ୍‌ ସୁରୁଖୁରୁରେ ଯା’ଆସ କରନ୍ତି। କିନ୍ତୁ ଗତ ଦୁଇ ତିନି ବର୍ଷ ହେବ ମହାତ୍ମା ଗାନ୍ଧୀ ମାର୍ଗରେ ବର୍ଷତମାମ ବ୍ୟାରିକେଡ୍‌ ରହୁଥିବାର ଦେଖାଯାଉଛି। ଯଦିଓ ମୁଖ୍ୟ ରାସ୍ତା ଉପରୁ ସାମୟିକ ଭାବେ ହଟାଇ ଦିଆଯାଉଛି, ତେବେ ରାସ୍ତାର ଦୁଇ କଡ଼ରେ ବ୍ୟାରିକେଡ୍‌ ରହୁଛି। ବ୍ୟାରିକେଡ୍‌ରେ ଲାଗିଥିବା ବାଉଁଶ ନଷ୍ଟ ହୋଇ ଭାଙ୍ଗିଗଲାଣି। କିନ୍ତୁ ତାହାକୁ ଉଠାଇବାକୁ କେହି ଉଚିତ ମଣୁ ନାହାନ୍ତି। ଏହା ସହ ବିଧାନସଭା ସମୟରେ ସେଠାରେ ପୁଲିସ୍‌ର ଅସ୍ଥାୟୀ ତମ୍ବୁ ପଡ଼େ। ଏବେ ସେହି ତମ୍ବୁ ଉପରୁ ପାଲ ଉଠାଇ ଦିଆଯାଇଥିଲେ ବି ବାଉଁଶ ସେମିତି ବନ୍ଧା ହୋଇ ରହିଛି। ରାସ୍ତା ଉପରେ ଅତ୍ୟାଚାର ଏତିକିରେ ଶେଷ ହୋଇ ନାହିଁ। ଯେହେତୁ ପୁଲିସ୍‌ ଅନାବଶ୍ୟକ ଭାବେ ବାଉଁଶ ପୋତି ରାସ୍ତାକୁ ବିକୃତ କରିଦେଇଛି, ତାହାର ସୁଯୋଗ ବି ଅନ୍ୟମାନେ ନେଉଛନ୍ତି। ରାସ୍ତା କଡ଼ରେ ଘରର ଭଗ୍ନାବଶେଷ ଗଦା କରିଦିଆଯାଇଛି। ଏପରି ଆବର୍ଜନା ଗଦା ସଚେତନ ନାଗରିକମାନଙ୍କୁ ବ୍ୟଥିତ କରୁଛି। ମହାତ୍ମା ଗାନ୍ଧୀ ମାର୍ଗ ସହରର କେନ୍ଦ୍ର ସ୍ଥଳରେ ଥିବାରୁ ଧାରଣା ଓ ବିକ୍ଷୋଭ ପାଇଁ ସରକାରଙ୍କ ପକ୍ଷରୁ ଅନ୍ୟ ଏକ ସ୍ଥାନ ଚିହ୍ନଟ ହେବ ବୋଲି ଦୀର୍ଘ ବର୍ଷ ହେଲା ଘୋଷଣା ହୋଇଛି। କିନ୍ତୁ ଜାଗା ଚିହ୍ନଟ ହୋଇପାରିନି କି ଧାରଣାସ୍ଥଳ ଉଠି ପାରୁନି। ସ୍ଥାୟୀ ପ୍ରତିକାର ହେବା ପର୍ଯ୍ୟନ୍ତ ବିଧାନସଭା ସମୟ ବାଦ୍‌ ଅନ୍ୟ ସମୟରେ ପୁଲିସ୍‌ ଏହି ରାସ୍ତାକୁ ସ୍ୱାଭାବିକ କରିବା ପାଇଁ ଦାବି ଉଠୁଛି। ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇଲା ପରେ ଜନପଥର ଭିତ୍ତିଭୂମି ବିକାଶ କାର୍ଯ୍ୟ ତ୍ୱରିତ ବେଗରେ ଜାରି ରହିଛି। ତେଣୁ ଜନପଥକୁ ଲାଗି ରହିଥିବା ମହାତ୍ମା ଗାନ୍ଧୀ ମାର୍ଗ ସେହି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏ ଦିଗରେ ପ୍ରଶାସନ ଗୁରୁତର ସହ ଚିନ୍ତା କରିବା ଉଚିତ ବୋଲି ସଚେତନ ନାଗରିକମାନେ ମତ ଦେଇଛନ୍ତି।