ଭୁବନେଶ୍ବର: କବକ ସଂକ୍ରମଣ (ଫଙ୍ଗସ୍ ଇନ୍ଫେକ୍ସନ୍) କେତେ ଗୁରୁତର ହୋଇପାରେ, ମହାମାରୀ କରୋନା ସମୟରେ ବହୁଳ ଭାବରେ ଦେଖାଯାଇଥିବା ମ୍ୟୁକର୍ମାଇକୋସିସ୍(ବ୍ଲାକ୍ ଫଙ୍ଗସ୍) ରୂପରେ ସମସ୍ତେ ଅବଗତ ଅଛନ୍ତି। ସାଧାରଣ ଜୀବନରେ ପ୍ରତିଦିନ ଲୋକେ ଏହିଭଳି ବିଭିନ୍ନ ପ୍ରକାର କବକ ସଂକ୍ରମଣର ଶିକାର ହେଉଥିଲେ ମଧ୍ୟ ଏହାକୁ ଗୁରୁତ୍ବ ଦିଅନ୍ତି ନାହିଁ। ମାତ୍ର ସାମାନ୍ୟ ଅବହେଳା ଯୋଗୁଁ ଏହା ସେମାନଙ୍କୁ ଭିନ୍ନକ୍ଷମ କରିପାରେ। ଏପରିକି ଜୀବନ ମଧ୍ୟ ନେଇପାରେ। ଭୁବନେଶ୍ବର ଏମ୍ସ ପକ୍ଷରୁ ୫ବର୍ଷ ହେଲା ବିଭିନ୍ନପ୍ରକାର କବକ ସଂକ୍ରମଣକୁ ନେଇ ଗବେଷଣା କରାଯାଉଛି। ଦୀର୍ଘ ବର୍ଷର ପ୍ରଚେଷ୍ଟା ପରେ କବକ ଗବେଷଣା ପାଇଁ ଏମ୍ସ ଭୁବନେଶ୍ୱରରେ ଅତ୍ୟାଧୁନିକ ମଲିକ୍ୟୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି।
ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର୍ ଆଶୁତୋଷ ବିଶ୍ୱାସଙ୍କ ଉପସ୍ଥିତିରେ ବିଶ୍ୱପ୍ରସିଦ୍ଧ ମେଡିକାଲ ମାଇକ୍ରୋଲୋଜିଷ୍ଟ ପ୍ରଫେସର୍ ଅରୁଣାଲୋକ ଚକ୍ରବର୍ତ୍ତୀ ଏହାକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଏମ୍ସ ଡିନ୍ (ଏକାଡେମିକ୍) ପ୍ରଫେସର୍ ପି.ଆର୍ ମହାପାତ୍ର, ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ବୈଜୟନ୍ତୀମାଳା ମିଶ୍ର ଏବଂ ଆଇସିଏମ୍ଆର୍ ବୈଜ୍ଞାନିକ ଡ. ମଧୁଛନ୍ଦା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏମ୍ସ ମାଇକ୍ରୋବାୟୋଲୋଜି ବିଭାଗ ଏବଂ ଆଇସିଏମ୍ଆର୍ ଆଡ୍ଭାନ୍ସ ମଲିକ୍ୟୁଲାର ଏବଂ ଡାଇଗ୍ନୋଷ୍ଟିକ୍ ରିସର୍ଚ୍ଚ ସେଣ୍ଟରର ମିଳିତ ପ୍ରୟାସରେ ଏହି କାର୍ଯ୍ୟ କରାଯାଉଛି। ଏହି କେନ୍ଦ୍ର ଜରିଆରେ କବକ ଚିହ୍ନଟ, ସଂକ୍ରମଣ ଏବଂ ଏହାର ନିରାକରଣ ଦିଗରେ କାର୍ଯ୍ୟ କରାଯିବ। ଓଡ଼ିଶା ସମେତ ପୂର୍ବ ଭାରତର କବକ ଗବେଷଣା ଏଠାରେ ହେବ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ଏହି ଅବସରରେ ପ୍ରଫେସର ଅରୁଣାଲୋକ ଚକ୍ରବର୍ତ୍ତୀ କହିଛନ୍ତି ଯେ କୋଭିଡ୍ ଏବଂ ପରବର୍ତ୍ତୀ ସମୟରେ ଅନେକ ମାରାତ୍ମକ କବକ ସଂକ୍ରମଣ ସାମ୍ନାକୁ ଆସିଛି। ଏଥିମଧ୍ୟରୁ ମ୍ୟୁକରମାଇକୋସିସ୍ ଏବଂ କ୍ୟାଣ୍ଡିଡା ଆରିସ୍ ପ୍ରମୁଖ ଅଟେ। ପ୍ରଫେସର ଆଶୁତୋଷ ବିଶ୍ୱାସଙ୍କ ମତରେ ନିକଟରେ କବକ ସଂକ୍ରମଣର ବ୍ୟାପକତା ବୃଦ୍ଧି ପାଇଛି। ବ୍ୟାପକ ବ୍ୟବସ୍ଥା ସତ୍ତ୍ବେ ଏହାର ଚିହ୍ନଟ ଏବଂ ଗବେଷଣାରେ ଅଭାବ ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ମଲିକ୍ୟୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।
ପ୍ରଫେସର୍ ଅରୁଣାଲୋକ ଚକ୍ରବର୍ତ୍ତୀ ଏବଂ ଡ. ମଧୁଛନ୍ଦା ଦାସ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଓଡ଼ିଶାରେ କବକ ସଂକ୍ରମଣର ଅତ୍ୟାଧୁନିକ ବ୍ୟବସ୍ଥା ନିରାକରଣରେ ଏହି କେନ୍ଦ୍ର କାର୍ଯ୍ୟ କରିବ। ଚିକିତ୍ସା ପାଇଁ ଓଡ଼ିଆ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ତାଲିମ ଦିଆଯିବ। କବକ ସଂକ୍ରମଣ ରୋଗୀଙ୍କ ପାଇଁ ଏକାଧିକ ସେରୋଲୋଜିକାଲ୍, ମଲିକ୍ୟୁଲାର୍ ଏବଂ ଆଣ୍ଟିଫଙ୍ଗାଲ୍ ସମ୍ବେଦନଶୀଳତା ପରୀକ୍ଷା ସେବା ପ୍ରଦାନ କରି ମେଡିକାଲ୍ କବକ ଚିହ୍ନଟ କରିବାରେ ସହାୟତା କରିବ। ଏହି କେନ୍ଦ୍ରରେ ମାଇକ୍ରୋବାୟୋଲୋଜି ଟ୍ରେନିଂ କିମ୍ବା ମାଇକ୍ରୋବାୟୋଲୋଜିଷ୍ଟମାନଙ୍କୁ ଅଭ୍ୟାସ କରୁଥିବା ପର୍ଯ୍ୟବେକ୍ଷକଙ୍କୁ ତାଲିମ ସୁଯୋଗ ପ୍ରଦାନ କରିବ। ଫଙ୍ଗାଲ ସଂକ୍ରମଣର ଶିକାର ବ୍ୟକ୍ତି ଏବଂ ଚିକିତ୍ସା କରୁଥିବା ଡାକ୍ତରଖାନାଗୁଡ଼ିକ ଏହି କେନ୍ଦ୍ରର ସହାୟତା ନେଇପାରିବେ।।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/64-6.jpg)