ଭୁବନେଶ୍ୱର : ଦଶ ଟଙ୍କା ଦିଅ, ଡଙ୍ଗା ଚିହ୍ନରେ ଭୋଟ୍‌ ବି ଦିଅ। ଭୁବନେଶ୍ବର ମେୟର୍‌ ପଦ ପାଇଁ ପ୍ରାଉଟିଷ୍ଟ ବ୍ଲକ୍‌ ଇଣ୍ଡିଆ (ପିବିଆଇ) ପ୍ରାର୍ଥିନୀ ରାଜଶ୍ରୀ ବିଶ୍ବାଳଙ୍କ ପାଇଁ ପ୍ରଚାର ସମୟରେ ଭୋଟର୍‌ଙ୍କୁ ଏଭଳି ନି‌ବେଦନ କରୁଛନ୍ତି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)ର ଅଧ୍ୟକ୍ଷ ପଦ୍ମଚରଣ ନାୟକ। ଘରକୁ ଘର ବୁଲି ସେ ରାଜଶ୍ରୀଙ୍କ ପାଇଁ ସେ ଏଭଳି ଅଭିନବ ଉପାୟରେ ପ୍ରଚାର କରିବା ସହ ନିର୍ବାଚନ ଖର୍ଚ୍ଚ ପରିଚାଳନା ପାଇଁ ସାହାଯ୍ୟ ଆକାରରେ ମାତ୍ର ୧୦ ଟଙ୍କା ମାଗୁଛନ୍ତି। ଲୋକଙ୍କ ଚିନ୍ତାଧାରା‌ରେ ପରିବର୍ତ୍ତନ ଏବଂ ରାଜନୀତିର ରଙ୍ଗ ଓ ଚରିତ୍ରକୁ ବଦଳାଇବାର ଲକ୍ଷ୍ୟ‌ରେ ଶ୍ରୀ ନାୟକ ଏଭଳି ଅଭିନବ ଉପାୟରେ ପ୍ରଚାର ଚଳାଇଛନ୍ତି। ହାତରେ କମ୍‌ ସମୟ ଥିବାରୁ ତାଙ୍କର ଏଇ ନିଆରା ଚିନ୍ତାଧାରା କମ୍‌ ଲୋକଙ୍କ ପାଖରେ ପହଞ୍ଚି ପାରିଛି ସତ, କିନ୍ତୁ ଏଇ ଧାରାରେ ପ୍ରାର୍ଥୀମାନେ ନିର୍ବାଚନ ଲଢ଼ିଲେ ଦେଶରୁ ଦୁର୍ନୀତି ଓ ଭ୍ରଷ୍ଟାଚାରର ମୂଳୋତ୍ପାଟନ ହୋଇପାରିବ ବୋଲି ଶ୍ରୀ ନାୟକ ଯୁକ୍ତି ବାଢ଼ିଛନ୍ତି।

Advertisment

ଶ୍ରୀ ନାୟକ କହିଛନ୍ତି, ଦେଶ ସ୍ବାଧୀନ ହେବାର ପ୍ରଥମ କେତେ ବର୍ଷ, ପ୍ରତିନିଧି ବାଛିବା ବେଳେ ଭୋଟର୍‌ଙ୍କୁ ଟଙ୍କା ବା ମଦ ଦିଆ ହେଉନଥିଲା। ନିର୍ବାଚନ ଆଇନରେ ଏହା ବେଆଇନ ଥିଲା। କିନ୍ତୁ ଏବେ ସରପଞ୍ଚ ନିର୍ବାଚନରେ ବି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ସେଥିରୁ ଭୋଟର୍‌ଙ୍କୁ ମଦ ପିଆଇବା ଏକ ବଡ଼ ଖର୍ଚ୍ଚ। ଏଇଥିରୁ ଦୁର୍ନୀତି ଆରମ୍ଭ ହେଉଛି। ଦେଶରେ ଆଜି ମହାଦୁର୍ନୀତିରେ ବଡ଼ ବଡ଼ ଲୋକଙ୍କୁ ଦଣ୍ଡ ମିଳୁଛି। କିନ୍ତୁ ଏହି ଦୁର୍ନୀତି ଖାଲି ସେଇ କେତେ ଲୋକଙ୍କ ମଧ୍ୟରେ ସୀମିତ ନୁହେଁ। ଏହାର ମୂଳ ମଞ୍ଜି, ପ୍ରତି ଭୋଟ୍‌ ବେଳରେ ଭୋଟର୍‌ଙ୍କୁ ଟଙ୍କା ଓ ମଦ ଦେବାରୁ ଆରମ୍ଭ। ଦେଶରୁ ଏଇ ଦୁର୍ନୀତି ବନ୍ଦ ନ ହେଲେ, ସବୁଆଡ଼େ ମାଡ଼ି ଯାଇଥିବା ଦୁର୍ନୀତି, ଭ୍ରଷ୍ଟାଚାର କମିବ ନାହିଁ ବୋଲି ସେ କହିଛନ୍ତି।

ଏ ସଂପର୍କରେ ମେୟର୍‌ ପ୍ରାର୍ଥିନୀ ରାଜଶ୍ରୀ କହନ୍ତି, ନିର୍ବାଚନ ଜିତିବା ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ନୁହେଁ, ଅସତ୍‌ ଉପାୟରେ କୋଟିପତିଠାରୁ ଟଙ୍କା ସଂଗ୍ରହ ନ କରି ଲୋକଙ୍କଠାରୁ ଆବଶ୍ୟକ ପାଣ୍ଠି ସଂଗ୍ରହ କରି ନିର୍ବାଚନ କିପରି ଲଢ଼ି ହେବ; ସେନେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ହେଉ, ତାହା ହିଁ ମୋର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଦେଶରେ ନିର୍ବାଚନ ଅଳ୍ପ ଖର୍ଚ୍ଚରେ ହେଉ ଏବଂ ଟଙ୍କା ବା ମଦ ନ ବାଣ୍ଟି ବି ନିର୍ବାଚନ ଲଢ଼ିହେବ, ତାହାର ଏକ ଅନନ୍ୟ ଉଦାହରଣ ସେ ସୃଷ୍ଟି କରିବାକୁ ଚାହାନ୍ତି ବୋଲି ରାଜଶ୍ରୀ କହିଛନ୍ତି।

ତାଙ୍କ ବିଚାରରେ ଦେଶରେ ବ୍ୟାପିଥିବା ଭ୍ରଷ୍ଟାଚାର ଦ୍ରୁମର ମଞ୍ଜି ହେଉଛି ଭ୍ରଷ୍ଟ ନିର୍ବାଚନ। ନିର୍ବାଚନ ଜିତିବା ଲାଗି ଯେଉଁ ହଜାର ହଜାର କୋଟି ଟଙ୍କା ଦରକାର, ତାହା ଅସତ୍‌ ଉପାୟରେ ସଂଗୃହୀତ ହେଉଛି। ଆଉ ଯେଉଁ ଧନୀକ ଶ୍ରେଣୀର ଲୋକ ଏହି ଟଙ୍କା ଯୋଗାଇ ଦେଉଛନ୍ତି, ସେସବୁ ଲୋକଙ୍କ ପାଇଁ ଖର୍ଚ୍ଚ ହେବା ଲାଗି ଅର୍ଥରୁ ଲୁଟ୍‌ ହୋଇଥିବା ଟଙ୍କା। ଏଣୁ ଦେଶରେ ଭ୍ରଷ୍ଟାଚାର ବଢ଼ି ଚାଲିଛି। ଲୋକେ ବି ଏହି ଧାରାରେ ପଡ଼ିଗଲେଣି। ଏମିତି ହିଁ ନିର୍ବାଚନ ହୋଇଥାଏ ବୋଲି ସାଧାରଣରେ ଲୋକେ ଗ୍ରହଣ କରିନେଲେଣି। ତେଣୁ ୫ଶହ, ହଜାରେ ଟଙ୍କା କିମ୍ବା ମଦ ବୋତଲଟିଏ ପାଇଁ ସେମାନେ ନିଜର ଭୋଟ୍‌ ବିକ୍ରି କରି ଦିଅନ୍ତି। ଲୋକଙ୍କ ଏହି ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ବୋଲି ରାଜଶ୍ରୀ କହିଛନ୍ତି। ‌ଭୋଟ୍‌ କାମଟା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ଓ ତାଙ୍କ ଦଳର ନେତାଙ୍କ ଦାୟିତ୍ବ ନ ହୋଇ ସବୁ ଲୋକଙ୍କ କାମ ବୋଲି ଭୋଟର୍‌ମାନଙ୍କ ହୃଦ୍‌ବୋଧ ହେଲେ ଏ ବାବଦରେ ଆବଶ୍ୟକ ହେଉଥିବା ମାମୁଲି ଖର୍ଚ୍ଚ ସାଧାରଣ ଲୋକ ଦେବାକୁ କୁଣ୍ଠାବୋଧ କରିବେ ନାହିଁ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।