ନିଶା ନିବାରଣ ଆଇନ ଲାଗୁ ପାଇଁ ଦାବି ଦୋହରାଇଲା ମୋନା

ଭୁବନେଶ୍ୱର: ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଧାନସଭା ସମ୍ମୁଖରେ ଥିବା ପ୍ରତିମୂର୍ତ୍ତିରେ ସଂଗଠନର କାର୍ଯ୍ୟକର୍ତ୍ତାମାନେ ମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସଂଗଠନ ପକ୍ଷରୁ ତାଙ୍କ ଦ୍ୱାରା ପାରିତ ୧୯୫୬ ଓଡ଼ିଶା ନିଶା ନିବାରଣ ଆଇନକୁ ତୁରନ୍ତ ଲାଗୁ କରିବା ପାଇଁ ଦାବି କରାଯାଇଥିଲା।

ମୋନାର ସଭାପତି ପଦ୍ମଚରଣ ନାୟକ କହିଥିଲେ ଯେ ସ୍ବର୍ଗତ ଚୌଧୁରୀ ରାଜନୀତି, ପଦପଦବୀ, ସାମନ୍ତବାଦୀ ବିରୋଧରେ ଏବଂ ଲୋକଙ୍କ ଅଧିକାର ପକ୍ଷରେ ସର୍ବଦା ଲଢ଼ୁଥିବା ଏକ ଅନନ୍ୟ ଜନନେତା ଥିଲେ। ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ପାଇଁ ସେ ନେଇଥିବା ଅନେକ ନିର୍ଣ୍ଣୟ ଆଧୁନିକ ଓଡ଼ିଶା ଗଠନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଓଡ଼ିଶାର ବିକାଶରେ ମଦ ଏକ ମୁଖ୍ୟ ବାଧକ ବୋଲି ସେ ବୁଝିଥିଲେ, ତେଣୁ ତାଙ୍କ କାର୍ଯ୍ୟକାଳରେ ୧୯୫୬ ନିଶା ନିବାରଣ ଆଇନ ବିଧାନସଭାରେ ପାରିତ କରାଇଥିଲେ। କିନ୍ତୁ ତାଙ୍କ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀମାନେ ତାହାକୁ କାର୍ଯ୍ୟକାରୀ ନ କରିବା ଅତି ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଳୟ ତ୍ରିପାଠୀ, ଖଗେଶ୍ୱର ବଳ, ପ୍ରିୟନାଥ ଆଚାର୍ଯ୍ୟ, ଶଭେନ୍ଦୁ ରାଉତରାୟ, ଅପର୍ଣ୍ଣା ନାୟକ, ବାସନ୍ତୀ ଆଚାର୍ଯ୍ୟ, ଲକ୍ଷ୍ମୀକାନ୍ତ ଆଚାର୍ଯ୍ୟ, ଶାନୁଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର