ଏକାମ୍ର କ୍ଷେତ୍ରରେ କାର୍ତ୍ତିକ ସୋମବାର ଭିଡ଼, ଶିବ ଦର୍ଶନ କଲେ ୩୦ ହଜାର ଶ୍ରଦ୍ଧାଳୁ

ପୁରୁଣା ଭୁବନେଶ୍ୱର: ଆଜି କାର୍ତ୍ତିକ ସୋମବାର ପାଇଁ ଏକାମ୍ର କ୍ଷେତ୍ରରେ ପ୍ରବଳ ଭିଡ଼ ଜମିଥିଲା। ଶିବ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା। ଆଜି ପୁରୁଣା ଭୁବନେଶ୍ବରର ବିଭିନ୍ନ ଶିବ ମନ୍ଦିରକୁ ପ୍ରାୟ ୩୦ ହଜାର ଶ୍ରଦ୍ଧାଳୁ ଆସିଥିବା ଆକଳନ କରାଯାଇଛି।

ଆଜି ସକାଳୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିରହିଥିଲା। ସିଂହଦ୍ବାରରୁ ଗର୍ଭଗୃହ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ମନ୍ଦିର ଭିତରେ ଲମ୍ବା ଧାଡ଼ି ଲାଗିଥିଲା। ଆଜି ଭୋର୍‌ ପ୍ରାୟ ୬ଟାରେ ମନ୍ଦିର ଖୋଲିବା ବେଳକୁ ସିଂହଦ୍ବାରରେ ଭକ୍ତମାନଙ୍କର ଲମ୍ବା ଧାଡ଼ି ହୋଇସାରିଥିଲା। ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏଭଳି ଭିଡ଼ ଜମିରହିଥିଲା। ଏମିତିକି ହବିଷ ପ୍ରସାଦ ସେବନ ପାଇଁ ମଧ୍ୟାହ୍ନ ଯାଏ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ସେହିଭଳି ଶ୍ରୀଅନନ୍ତ ବାସୁଦେବ ମନ୍ଦିର, ତୀର୍ଥେଶ୍ବର, ନାଗେଶ୍ୱର, ଯମେଶ୍ୱର, କୁକ୍କୁଟେଶ୍ୱର, ଖରାଖିଆ ବୈଦ୍ୟନାଥ, ଡାକରା ବିଭୀଷଣେଶ୍ୱର, ତାଳେଶ୍ୱର, ମୈତ୍ରେଶ୍ୱର, ସିଦ୍ଧେଶ୍ୱର, ଭାସ୍କରେଶ୍ୱର, ଚିନ୍ତାମଣିଶ୍ୱର, ଅଲାବୁକେଶ୍ବର, କେଦାରେଶ୍ୱର, ଉତ୍ତରେଶ୍ୱର, କେଦାରଗୌରୀ ଓ ବେଲେଶ୍ୱର ଆଦି ମନ୍ଦିରରେ ମଧ୍ୟ ଶିବ ଦର୍ଶନ କରିବା ସହ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଥିଲେ।

ସମ୍ବନ୍ଧିତ ଖବର