ଭୁବନେଶ୍ୱର: ବଲାଙ୍ଗୀରରେ ଦୁଇଟି ସଂସ୍ଥା ଲୋଭନୀୟ ଯୋଜନା କରି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଚଳୁ କରିଥିବା ସମ୍ପର୍କରେ ଆଜି କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ଲିଖିତ ଅଭିଯୋଗ ହୋଇଛି। ପାଟଣାଗଡ଼ର ଲଳିତ ଦୀପ ଅଭିଯୋଗ କରିଛନ୍ତି, ପିଆଇସିଏଲ୍ ରିୟଲ ଇଷ୍ଟେଟ୍ ଇଣ୍ଡିଆ ଲିମିଟେଡ୍ ବଲାଙ୍ଗୀର ସହରରେ ୨୦୧୪ ମସିହାରେ କାର୍ଯ୍ୟାଳୟ ଖୋଲି ୬ ବର୍ଷରେ ଜମାରାଶି ଦୁଇଗୁଣ କରିବା ଭଳି ଲୋଭନୀୟ ସ୍କିମ ଘୋଷଣା କରିଥିଲା। ଏଥିରେ ସେ ୪ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜମା କରିଥିବା ବେଳେ ବିଭିନ୍ନ ଅଞ୍ଚଳରୁ ୨୦ ହଜାର ଜମାକାରୀଙ୍କଠାରୁ ସଂସ୍ଥା ୫୦ କୋଟିରୁ ଊର୍ଦ୍ଧ୍ବ ଜମା ସଂଗ୍ରହ କରିଥିଲା। କିନ୍ତୁ ପରିପକ୍ବ ଜମା ରାଶି ସଂସ୍ଥା ଫେରସ୍ତ କରି ନ ଥିଲା।
ଠକେଇର ଶିକାର ହୋଇଥିବା ଜମାକାରୀ ଏକ ସମାବେଶ କରିଥିଲେ। ଏଥିରେ ୪୨୦୦ ଜମାକାରୀଙ୍କର ରସିଦ ନକଲ ସଂଗ୍ରହ କରାଯାଇ ରାଜ୍ୟପାଳଙ୍କ ନିକଟକୁ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଯାଇଥିଲା। ଏଭଳି ସମାବେଶ ଦେଖି ସଂସ୍ଥାର କର୍ମକର୍ତ୍ତା କହିଥିଲେ, ସମ୍ପତ୍ତି ବିକ୍ରି ହେବା ପରେ ଜମା ଟଙ୍କା ଫେରାଇ ଦିଆଯିବ। କିନ୍ତୁ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନାହିଁ।
ସେହିଭଳି ଧୂମାଭଟାର ପୃଥ୍ବୀରାଜ ସିଂ ବାଗ୍ ଅଭିଯୋଗ କରିଛନ୍ତି ଯେ, ସୋନପୁର ରୋଡ୍ ସୁଦପଡ଼ା ଠାରେ ୨୦୧୫ ମସିହାରେ କେଏମ୍ଜେ ଲ୍ୟାଣ୍ଡ ଡେଭଲପର୍ସ ଇଣ୍ଡିଆ ଲିମିଟେଡ୍ ଖୋଲାଯାାଇଥିଲା। ସଂସ୍ଥା ପକ୍ଷରୁ ବିଭିନ୍ନ ଯୋଜନାରେ ଅର୍ଥ ଜମା ସଂଗ୍ରହ କରାଯାଇଥିଲା। ଶ୍ରୀ ବାଗ୍ ୭୧ ହଜାର ଟଙ୍କା ଜମା କରିଥିବା ବେଳେ ସଂସ୍ଥା ବିଭିନ୍ନ ଜମାକାରୀଙ୍କ ଠାରୁ ୨୫ କୋଟିରୁ ଊର୍ଦ୍ଧ୍ବ ଜମା ନେଇଥିବା ଅଭିଯୋଗ ହୋଇଛି।