ଭୁବନେଶ୍ବର: ମାଂସ ବ୍ୟବସାୟରେ ଟଙ୍କା ନିବେଶ କର, ମାସିକ ୧୫ପ୍ରତିଶତରୁ ଅଧିକ ସୁଧ ମିଳିବ। ଲୋକଙ୍କ ମନରେ ବିଶ୍ବାସ ଆଣିବା ପାଇଁ ପ୍ରଥମେ କିଛି ଲୋକଙ୍କୁ ସୁଧ ଦେଇଥିଲା। ପରେ ସୁଧ ତ ଦୂରର କଥା ମୂଳ ବି ମିଳିନଥିଲା। ଲୋକଙ୍କଠାରୁ ଠକେଇ କରି ବିଦେଶ ଭ୍ରମଣରେ ଟଙ୍କା ଉଡ଼ାଉଥିଲା। ଏଭଳି ଜଣେ କୁଖ୍ୟାତ ଠକକୁ ଖାରବେଳନଗର ଥାନା ପୁଲିସ କଟକରୁ ଗିରଫ କରିଛି। ସେ ହେଲା କଟକ ଦରଗାବଜାର ଥାନା ଓଡ଼ିଆ ବଜାର ଅଞ୍ଚଳର ସେକ୍ ମୁସ୍ତାକୁଦ୍ଦିନ(୫୦)।
ସୂଚନା ମୁତାବକ, ବହୁଦିନ ହେବ ୟୁନିଟ୍-୧ ଓ ୟୁନିଟ୍-୪ ଅଞ୍ଚଳରେ ଖାସି ମାଂସ ବ୍ୟବସାୟ କରୁଥିବା ମୁସ୍ତାକୁଦ୍ଦିନ୍ ଅଧିକ ଟଙ୍କା ରୋଗାର ପାଇଁ ଲୋକଙ୍କୁ ଚୂନ ଲଗାଇବାକୁ ଯୋଜନା କରିଥିଲା। ମାଂସ ପାଇଁ ଦୋକାନକୁ ଆସୁଥିବା ହେମନ୍ତ ସାହୁଙ୍କୁ ପୁଞ୍ଜି ନିବେଶ ପାଇଁ କହିଥିଲା। ହେଲେ ତାଙ୍କ ପାଖରେ ଏତେ ଟଙ୍କା ନଥିବାରୁ ଜଣେ ବନ୍ଧୁ ପୁଞ୍ଜିନିବେଶ କରିପାରିବେ ବୋଲି କହିଥିଲେ। କିଛିମାସ ତଳେ ହେମନ୍ତ ତାଙ୍କ ବନ୍ଧୁ ଅବସରପ୍ରାପ୍ତ ସୈନିକ ବାସେନ୍ଦ୍ର କଅଁରଙ୍କୁ ମୁସ୍ତାକୁଦ୍ଦିନ ସହ ପରିଚିତ କରାଇଥିଲେ। ପରିଚୟ ହେବା ପରେ ଠକ ମୁସ୍ତାକୁଦ୍ଦିନ୍ ତାଙ୍କୁ ପାଲରେ ପକାଇବା ପାଇଁ ଲାଗିପଡ଼ିଥିଲା। ତାଙ୍କୁ ମାଂସ ବ୍ୟବସାୟରେ ପୁଞ୍ଜିନିବେଶ ପାଇଁ ପ୍ରବର୍ତ୍ତାଇଥିଲା। ଯେତେ ଟଙ୍କା ନିବେଶ କରିବେ ମାସିକ ୧୫ ପ୍ରତିଶତରୁ ଅଧିକ ସୁଧ ଦେବ ବୋଲି କହିଥିଲା। ବାସେନ୍ଦ୍ର ସହଜରେ ବିଶ୍ବାସ କରିପାରି ନଥିଲେ। ତେଣୁ ପ୍ରଥମେ ଅଳ୍ପ କିଛି ଟଙ୍କା ଲଗାଇଥିଲେ। ଠକ ମୁସ୍ତାକୁଦ୍ଦିନ୍ ବିଶ୍ବାସ ଭାଜନ ପାଇଁ ତାଙ୍କୁ ପ୍ରଥମେ ପ୍ରଥମେ ମୋଟା ଅଙ୍କର ସୁଧ ଦେଇଥିଲା।
ଟଙ୍କା ପାଇବା ପରେ ହେମନ୍ତ ଅଧିକ ପୁଞ୍ଜିନିବେଶ ପାଇଁ ମନ ବଳାଇଥିଲେ। ତେଣୁ ସେ ହେମନ୍ତ ସାହୁ ଓ ଅନ୍ୟ କିଛି ବନ୍ଧୁଙ୍କ ଉପସ୍ଥିତିରେ ଏଗ୍ରିମେଣ୍ଟ କରି ବିଭିନ୍ନ ପର୍ଯ୍ୟାୟରେ ପାଖାପାଖି ୫୩ଲକ୍ଷ ଟଙ୍କା ନିବେଶ କରିଥିଲେ। ମୁସ୍ତାକୁଦ୍ଦିନ୍ ୨/୩ଲକ୍ଷ ଟଙ୍କା ଦେଇଥିବା ବେଳେ ବାକି ଟଙ୍କା ଫେରାଇ ନଥିଲା। ଟଙ୍କା ମାଗିବାରୁ ସେ ପାଲଟା ଧମକଚମକ ଦେଇଥିଲା। ଏନେଇ ବାସେନ୍ଦ୍ର ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକିଥିବା ମୁସ୍ତାକୁଦ୍ଦିନ ପୁଲିସକୁ ଚକ୍ମା ଦେବା ପାଇଁ କେତେବେଳେ ବିଦେଶ ପଳାଉଥିଲା ତ କେତେବେଳେ ରାଜ୍ୟ ବାହାରକୁ ଯାଇ ତାରକା ହୋଟେଲ୍ରେ ସମୟ ବିତାଉଥିଲା। ବିଭିନ୍ନ ସମୟରେ ସ୍ଥାନ ବଦଳାଉଥିବାରୁ ତାକୁ ଧରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଗତକାଲି ରାତିରେ ସେ କଟକରେ ଥିବା ଜାଣିବା ପରେ ଖାରବେଳନଗର ଥାନା ପୁଲିସର ଏକ ଟିମ୍ କଟକସ୍ଥିତ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଜେରା ପରେ ତାକୁ ଆଜି କୋର୍ଟଚାଲାଣ କରାଯାଇଛି। ତେବେ ସେ ପୂର୍ବରୁ କଟକର ଅନେକ ଲୋକଙ୍କଠାରୁ ଏଭଳି ଠକେଇ କରିଥିବା ଜଣାପଡ଼ିଛି। ସେ ଦିଗରେ ପୁଲିସ ଅଧିକ ଖୋଳତାଡ଼ କରୁଛି।