ସିଡବ୍ଲ୍ୟୁସିରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ

ଭୁବନେଶ୍ବର : କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ରେ ଚାକିରି କରାଇଦେବା ନାଁରେ ଜଣେ ଧୂର୍ତ୍ତ ୩ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛି। ଠକେଇର ଶିକାର ହୋଇଥିବା ଯୁବକମାନେ ଗୁରୁବାର ଏ ସଂପର୍କ‌ରେ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ପାଖାପାଖି ୮ ମାସ ତଳେ ଯୁବକମାନେ ଏକ ବିଜ୍ଞାପନରୁ ଜାଣିବାକୁ ପାଇଥିଲେ ଯେ ଏକ ଆଉଟସୋର୍ସିଂ ସଂସ୍ଥା ସିଡବ୍ଲ୍ୟୁସିରେ ନିଯୁକ୍ତି ଦେଉଛି। ତେଣୁ ଯୁବକମାନେ ସଂସ୍ଥା ସହ ଯୋଗଯୋଗ କରିଥିଲେ। ରିଙ୍କୁ ନାମକ ଜଣେ ଯୁବକ ନିଜକୁ ସଂସ୍ଥାର ମୁଖ୍ୟ ବୋଲି କହିବା ସହ ସଂସ୍ଥାର ଆଚାର୍ଯ୍ୟବିହାରସ୍ଥିତ ଅଫିସ୍‌କୁ ଡାକିଥିଲା। ଆୟୋଗରେ ସମସ୍ତଙ୍କ ଚାକିରି ହୋଇଯିବ ଓ ଏଥିପାଇଁ ଜଣକ ପିଛା ସେ ଏକ ଲକ୍ଷ ଟଙ୍କା ନେବ ବୋଲି କହିଥିଲା। ପ୍ରଥମେ ଅଗ୍ରିମ ଆକାରରେ ୫୦ହଜାର ଟଙ୍କା ନେବ ଓ ନିଯୁକ୍ତିପତ୍ର ପାଇବା ପରେ ସମ୍ପୂର୍ଣ୍ଣ ଟଙ୍କା ଦେବାକୁ ହେବ ବୋଲି କହିଥିଲା। ବିଭିନ୍ନ ଜାଲ୍ କାଗଜପତ୍ର ଦେଖି ବି ଯୁବକମାନେ ତାକୁ ବିଶ୍ବାସ କରି ତାକୁ ଏକ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ। ଏହାର କିଛି ଦିନ ପରେ ରିଙ୍କୁ ସେମାନଙ୍କୁ ଜାଲ୍‌ ନିଯୁକ୍ତିପତ୍ର ଦେଇଥିଲା। କିନ୍ତୁ ଯୁବକମାନେ ଉକ୍ତ ନିଯୁକ୍ତିପତ୍ର ନେଇ ସିଡବ୍ଲ୍ୟୁସିକୁ ଯିବା ପରେ ସେଠାରେ ସତ ପଦାକୁ ଆସିଥିଲା। ସେମାନେ ଠକେଇର ଶିକାର ହୋଇଥିବା ଜାଣିବା ପରେ ରିଙ୍କୁକୁ ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ ଟଙ୍କା ଫେରାଇବା ବଦଳରେ ରିଙ୍କୁ ସେମାନଙ୍କୁ ଧମକଚମକ ଦେଇଥିଲା। ଟଙ୍କା ଫେରାଇବ ନାହିଁ ବୋଲି ରୋକ୍‌ଠୋକ ମନା କରିଥିଲା। ଯୁବକମାନେ ଆଜି ସହିଦନଗର ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର