‘ଦାନିଦାତା’ ଲୁଟିନେଲା କୋଟି କୋଟି; କହିବେ କାହାକୁ, ଶୁଣିବ କିଏ?

ସାମ୍ବାଦିକ ଓ ପୁଲିସ ବି ବର୍ତ୍ତିନାହାନ୍ତି, ବେଆଇନ ବୋଲି ଅଭିଯୋଗ କରିବାକୁ ଭୟ

ଭୁବନେଶ୍ବର : ମାତ୍ର ହଜାରେ ଟଙ୍କା ନିବେଶ କଲେ, ଦୈନିକ ୦.୭୫ ପ୍ରତିଶତ ସୁଧରେ ମାସ ଶେଷକୁ ୧୯୫୯ ଟଙ୍କା ମିଳୁଥିଲା। ଅର୍ଥାତ୍‌ ମାସକରେ ପଇସା ପାଖାପାଖି ଦୁଇଗୁଣା ହୋଇଯାଉଥିଲା। ଏହି କ୍ରମରେ ହଜାରେ ଟଙ୍କା ନିବେଶ କରି ବର୍ଷେ ଅପେକ୍ଷା କଲେ ୪୧ଲକ୍ଷ ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ପ୍ରଥମେ ପ୍ରଥମେ କିଛି ନିବେଶକ ଏଥି‌ରେ ପୁଞ୍ଜି ନିବେଶ କରି ମାଲାମାଲ ମଧ୍ୟ ହେଲେ। କିନ୍ତୁ ଗତ ୧ ତାରିଖରୁ ଏହି ଆପ୍‌ ବନ୍ଦ ହୋଇଯାଇଛି। ଦୀର୍ଘ ୫ ବର୍ଷ ଧରି ଚାଲିବା ପରେ ଗୁଗୁଲ ପ୍ଲେ-‌ଷ୍ଟୋର୍‌ରୁ ପୂରାପୂରି ଉଭାନ୍‌ ହୋଇଯାଇଛି। ଫଳରେ ଲକ୍ଷଲକ୍ଷ ଟଙ୍କା ନିବେଶ କରିଥିବା ନିବେଶକମାନେ ଏବେ ଟଙ୍କା ପାଇବାକୁ ନେଇ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି।

ଅପରପକ୍ଷେ ଏହା ଏକ ବେଟିଂ ଆପ୍‌ (ବେଆଇନ) ହୋଇଥିବାରୁ ଏ ବାବଦରେ କେହି ଥାନା, ଅଦାଲତ ମଧ୍ୟ ଯାଇ ପାରୁନାହାନ୍ତି। ଏମିତି ଲୋଭନୀୟ ସ୍କିମ୍‌ ଆଳରେ କୋଟି କୋଟି ଟଙ୍କା ଠକି ନେଇଥିବା ‘ଦାନିଦାତା’ ଆପ୍‌କୁ ନେଇ ରାଜଧାନୀ ଭୁବନେଶ୍ବର ସମେତ ଓଡ଼ିଶାର ହଜାର ହଜାର ନିବେଶକଙ୍କ ମଧ୍ୟରେ ଏବେ ଭାଳେଣୀ ପଡ଼ି ଯାଇଛି। ଏ ବାବଦରେ ନା ସେମାନେ କହିପାରୁଛନ୍ତି, ନା ସହିପାରୁଛନ୍ତି। ଅନ୍‌ଲାଇନ୍‌ ଚିଟ୍‌ଫଣ୍ଡ ଭଳି ଏହି ସଂସ୍ଥା ଗତ ୫ବର୍ଷ ଭିତରେ ଯେ କେତେ ଲୋକଙ୍କଠାରୁ କେତେ ଟଙ୍କା ଠକେଇ କରିଛି, ତାହାର ହିସାବ କରିବା ମଧ୍ୟ ମୁସ୍କିଲ ହୋଇପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପୁଲିସଠାରୁ ଆରମ୍ଭ କରି ସାମ୍ବାଦିକଙ୍କ ପର୍ଯ୍ୟନ୍ତ, କେହି ଦାନିଦାତାର ଏହି ଜାଲରୁ ବର୍ତ୍ତି ପାରିନାହାନ୍ତି।

Image Courtesy of Ottawa Citizen

ମିଳିଥିବା ସୂଚନାନୁଯାୟୀ, ହ୍ବାଟ୍‌ସ-ଆପ୍ ଜରିଆରେ ଗ୍ରୁପ୍‌ ତିଆରି କରି ବେଟିଂ ଆପ୍ ‘ଦାନିଦାତା’ରେ ଟଙ୍କା ନିବେଶ ପାଇଁ ପୂରା ଯୋଜନା ତିଆରି କରାଯାଉଥିଲା। ଏହି କ୍ରମରେ କିଛି କିଛି ଟଙ୍କା ମଧ୍ୟ ଲାଭ ଆକାରରେ ଫେରସ୍ତ କରାଯାଇଥିଲା। ଅଧିକ ଲାଭ ପାଇବା ପାଇଁ ନିଜ ଚେନ୍‌ରେ ୩ଜଣ ଲେଖାଁଏ ଲୋକଙ୍କୁ ଦାନିଦାତା ଆପ୍‌ରେ ଯୋଡ଼ି ଦିଆଯାଇଥିଲା। ମାତ୍ର ଏବେ ଆପ୍ ବନ୍ଦ ହୋଇଯିବା ପରେ ନିବେଶକାରୀ ଚିନ୍ତାରେ ପଡ଼ିଛନ୍ତି। ଏହା ଏକ ବେଟିଂ ଆପ୍‌ ହୋଇଥିବା ବେଳେ ନିବେଶ ପାଇଁ ଆର୍‌ବିଆଇ ସ୍ବୀକୃତିପ୍ରାପ୍ତ ନୁହେଁ। ତେଣୁ ଏଥିରେ ଟଙ୍କା ଲଗାଇବା ବେଆଇନ। ତେଣୁ ନିବେଶକାରୀ ବର୍ତ୍ତମାନ କେଉଁଠି ଯାଇ ଠକେଇ ବାବଦରେ ଅଭିଯୋଗ କରିବେ ସେନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

ଏ ସଂପର୍କରେ ସାଇବର୍‌ ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ଦାନିଦାତା ଆପ୍ ୨୦୧୭ ମସିହାରୁ ପ୍ଲେ’ ଷ୍ଟୋର୍‌ରେ ଉପଲବ୍ଧ ଥିଲା। ଇମେଲ୍ ଆଇଡି ଦ୍ବାରା ଆକାଉଣ୍ଟ୍ ଖୋଲି ଟଙ୍କା ବିନିଯୋଗ କରାଯାଉଥିଲା। ନିଜେ ଫୁଟ୍‌ବଲ୍ ଖେଳି ପ୍ରତି ୩ଦିନରେ ୧୧୧୧ଟଙ୍କା ଲାଭ ଜିତିପାରିବ ବୋଲି ନିବେଶକଙ୍କ ପାଇଁ ସ୍କିମ୍ ରଖାଯାଇଥିଲା। ତେବେ ଦୀର୍ଘ ଦିନ ଏହିଭଳି ସ୍କିମ୍ କରି ଲୋକଙ୍କ ଟଙ୍କା ଫେରସ୍ତ କରିବା ପରେ ଅଧିକ ଲୋକେ ଏଥିରେ ଯୋଡ଼ି ହୋଇଥିଲେ। ଏକ ବଡ଼ ପରିମାଣରେ ଟଙ୍କା ସଂଗ୍ରହ କରିବା ପରେ ଜୁନ୍ ୧ରେ ଏହା ପ୍ଲେ ଷ୍ଟୋର୍‌ରେ ଅପଡେଟ୍ କରାଯାଇଥିଲା। ପରେ ଏହାକୁ ‘ଫିଫା’ନାଁରେ ବଦଳାଇ ପ୍ଲେଷ୍ଟୋର୍‌ରେ ଉପଲବ୍ଧ କରାଯାଇଥିବା ସେ କହିଛନ୍ତି। ପୁଣି କିଛି ଲୋକଙ୍କୁ ଲାଭ ଦେବା ଆଳରେ ଠକେଇ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ତେଣୁ ଅନଲାଇନ୍ ଟଙ୍କା ବିନିଯୋଗ ନାଁରେ ଉପଲବ୍ଧ ‘ଦାନିଦାତା’ ଭଳି ସମସ୍ତ ଆପ୍‌ କେବଳ ଲୋକଙ୍କୁ ଠକିବା ପାଇଁ ସାଇବର ଠକ ଖୋଲିଥିବା ସେ କହିଛନ୍ତି। ଆର୍‌ବିଆଇ ପଂଜୀକୃତ ତଥା ବିଶ୍ବସନୀୟତା ଥିବା ଆପ୍‌ରେ ଟଙ୍କା ବିନିଯୋଗ କରିବାକୁ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ସମାନ ଢଙ୍ଗରେ ପୂରା ରାଜ୍ୟରୁ ପ୍ରାୟ ହଜାରେ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଅନଲାଇନ୍‌ ଆପ୍ ମାଧ୍ୟମରେ ଠକେଇ ହୋଇଥିଲା। ଉତ୍ତରାଖଣ୍ଡ ଏସ୍‌ଟିଏଫ୍ ଏହାର ପର୍ଦ୍ଦାଫାସ୍ କରି ସାଇବର ଅପରାଧୀଙ୍କୁ ଗିରଫ କରିଥିଲା। ଗତବର୍ଷ ଅକ୍ଟୋବରରେ ଏଭଳି ଅନ୍ୟ ଏକ ଅନଲାଇନ୍ ଆପ୍ କଟକରୁ ଆରମ୍ଭ କରି ବାରିପଦା ପର୍ଯ୍ୟନ୍ତ ଶହ ଶହ ଲୋକଙ୍କୁ ଠକିଥିଲା। ମାତ୍ର ୪ ମାସ ମଧ୍ୟରେ ରାଜ୍ୟରୁ ୬୦କୋଟି ଟଙ୍କା ଠକି ନେବା ପରେ ହଠାତ୍‌ ଉଭାନ୍‌ ହୋଇଯାଇଥିଲା। ଏ ସଂପର୍କରେ କ୍ଷତିଗ୍ରସ୍ତମାନେ କ୍ରାଇମ୍‌ବ୍ରାଞ୍ଚ୍‌ରେ ଅଭିଯୋଗ କରିଥିଲେ। ମାତ୍ର ଅଭିଯୋଗକୁ ପ୍ରାୟ ୭ ମାସ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କ୍ରାଇମ୍‌ବ୍ରାଞ୍ଚ୍ କୌଣସି ଅଭିଯୁକ୍ତଙ୍କ ସୁରାକ୍ ପାଇନାହିଁ।

ସମ୍ବନ୍ଧିତ ଖବର