ହଜାରେ ଟଙ୍କା ଦେଇ ଲୁଟିନେଲା ୪୧ହଜାର

ବାଲିପାଟଣା : ହଜାରେ ଟଙ୍କା ଦେଇ ଆକାଉଣ୍ଟରୁ ଲୁଟିନେଲା ୪୧ହଜାର। ଏପରି ଏକ ଠକେଇର ଶିକାର ହୋଇଛନ୍ତି ବାଲିପାଟଣା ବ୍ଲକ୍‌ ତୁରିନ୍ତିରା ପଞ୍ଚାୟତ ବାଗଲପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ମୀନକେତନ ମହାନ୍ତି।

ସୂଚନାନୁଯାୟୀ, ଗତ ୨୪ ତାରିଖ ଦିନ ଜଣେ ଯୁବକ ମୀନକେତନଙ୍କ ଘରକୁ ଆସିଥିଲା। ନିଜ ନାଁ ସୌମ୍ୟରଂଜନ ପଣ୍ଡା ଓ ସେ ମୀନକେତନଙ୍କୁ ଭଲ ଭାବେ ଜାଣିଛି ବୋଲି କହି ତାଙ୍କ ସହ କଥା ହୋଇଥିଲା। କଥା‌ରେ କଥାରେ ସେ ମୀନକେତନଙ୍କ ପ୍ରଶଂସା କରି ତାଙ୍କ ମନରେ ବିଶ୍ବାସ ଜନ୍ମାଇ ଦେଇଥିଲା। ପରେ ତାଙ୍କୁ ଏକ ଛୋଟିଆ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲା। ଜଣେ ଅସହାୟ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ନଗଦ ଟଙ୍କା ବଦଳରେ ବ୍ୟାଙ୍କ ଚେକ୍‌ର ଆବଶ୍ୟକତା ପଡ଼ୁଛି। ତେଣୁ ସେ ମୀନକେତନଙ୍କୁ ନଗଦ ହଜାରେ ଟଙ୍କା ଦେଇ ତାଙ୍କୁ ଏକ ବ୍ୟାଙ୍କ୍‌ ଚେକ୍‌ ମାଗିଥିଲା। ମୀନକେତନ ବି ତା’ କଥାରେ ରାଜି ହୋଇ ଯାଇଥିଲେ।

ଟେବୁଲ୍‌ ଉପରେ ଚେକ୍‌ ରଖି ସେ ପେନ୍‌ ଆଣିବାକୁ ଭିତରକୁ ଯିବା ବେଳେ ସୌମ୍ୟ ନିଜେ ନିଜେ ଚେକ୍ ପୂରଣ କରିଦେଇଥିଲା। କିନ୍ତୁ ସୌମ୍ୟ ଚଞ୍ଚକତା କରି ଚେକ୍‌ର ବାମପଟୁ କିଛି ଖାଲି ଜାଗା ଛାଡ଼ି ଦେଇଥିଲା। ସେତେବେଳେ ମୀନକେତନ ତା’ର ଏ ଚାଲାକି ବୁଝି ନ ପାରି ଚେକ୍‌ରେ ଦସ୍ତଖତ କରିଦେଇଥିଲେ। ପରେ ଧୂର୍ତ୍ତ ସେହି ଚଞ୍ଚକତା କରି ସେହି ଚେକ୍‌ ଜରିଆରେ ନରଦାସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖା‌ରୁ ୪୧ ହଜାର ଟଙ୍କା ଉଠାଇ ନେଇଥିଲା। ମୋବାଇଲ୍‌କୁ ମେସେଜ୍‌ ଆସିବା ପରେ ମୀନକେତନ ଠକେଇ ହୋଇଥିବା ଜାଣିବାକୁ ପାଇଥିଲେ। ଏ ସଂପର୍କରେ ସେ ବାଲିପାଟଣା ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ବ୍ୟାଙ୍କ ସିସିଟିଭି ଫୁଟେଜ୍‌ରୁ ଠକକୁ ଠାବ କରିଛି। କିନ୍ତୁ ଏହି ଘଟଣାକୁ ସପ୍ତାହରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ହେଁ ତାକୁ ଗିରଫ କରିପାରିନାହିଁ।

ସମ୍ବନ୍ଧିତ ଖବର