ଟଙ୍କା ଦେଲେ କାମରେ ଲାଗିଲାନି, ମରାମତି କାମ ପାଇଁ ୱାର୍ଡ ପିଛା ମିଳିଥିଲା ୫ଲକ୍ଷ, କାମ ହେଲାନି

ଏସ୍ଆରସିଙ୍କୁ ମାଗିଥିଲେ ୧୫କୋଟି ଟଙ୍କାଟେ ମିଳିଲାନି

ଭୁବନେଶ୍ବର: ପ୍ରତିବର୍ଷ ଦଶହରା ପୂର୍ବରୁ ରାଜଧାନୀ ରାସ୍ତା ମରାମତି ହୁଏ। ଗଳିକନ୍ଦିରୁ ଆରମ୍ଭ କରି ପ୍ରମୁଖ ରାସ୍ତା ପର୍ଯ୍ୟନ୍ତ ସବୁକୁ ଚକଚକ୍ କରାଯାଏ। ଏଥିପାଇଁ ବିଏମ୍‌ସି ପକ୍ଷରୁ ପ୍ରତି ୱାର୍ଡ ପିଛା ୫ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। କିନ୍ତୁ ଏଥରର ଦଶହରାରେ ଖାଲଖମା ରାସ୍ତାରେ କଟିଗଲା। ଏୟା ନୁହେଁ ଯେ ବିଏମ୍‌ସି ପକ୍ଷରୁ ପ୍ରତି ୱାର୍ଡକୁ ଟଙ୍କା ଦିଆଯାଇନି। ଗତ କିଛି ବର୍ଷ ଭଳି ଏଥର ବି ପ୍ରତି ୱାର୍ଡ ପାଇଁ ୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ଏଥିରେ କାମ ହୋଇପାରିଲାନି। ପୂଜା ପୂର୍ବରୁ ରାସ୍ତାଘାଟ ଯେମିତି ଖାଲଖମା ଥିଲା ଏବେ ବି ସେମିତି ଅଛି ପୂଜା ପୂର୍ବରୁ ରାଜଧାନୀର କୌଣସି ରାସ୍ତା ମରାମତି ହୋଇନପାରିବା ନେଇ ବିଏମ୍‌ସିର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ (ପୂର୍ତ୍ତ) ଅମରେଶ ଜେନାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ପ୍ରତିବର୍ଷ ଭଳି ଚଳିତବର୍ଷ ଦଶହରା ପୂର୍ବରୁ ବିଏମ୍‌ସିର ବସିଥିବା କାଉନସିଲ୍ ବୈଠକରେ ପ୍ରତି ୱାର୍ଡ ପିଛା ୫ ଲକ୍ଷ ଲେଖାଏଁ ଦେବାକୁ ନିଷ୍ପତ୍ତି ହେଲା। କିନ୍ତୁ ସବୁ କାମ ଟେଣ୍ଡର କରି କରିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଟେଣ୍ଡର ଡକାଯାଇଥିବାରୁ କାମ ଆରମ୍ଭ ହୋଇପାରିନି।

ଶ୍ରୀ ଜେନାଙ୍କ କହିବାନୁଯାୟୀ, ତୁରନ୍ତ ମରାମତି ହେବାକୁ ଥିବା ରାସ୍ତା, ଡ୍ରେନ୍ ଆଦି ପାଇଁ କୌଣସି ବର୍ଷ ଟେଣ୍ଡର ହୁଏ ନାହିଁ। କିନ୍ତୁ ଏଥର ଟେଣ୍ଡର ହେଲା। ନିୟମ ଅନୁଯାୟୀ ଟେଣ୍ଡର ଖୋଲା ହୋଇ କାର୍ଯ୍ୟାଦେଶ ଦେଇ କାମ ଆରମ୍ଭ କରିବାକୁ ଦୁଇରୁ ତିନି ମାସ ଲାଗିଯିବ। ତେଣୁ ଏଥର ପୂଜା ପୂର୍ବରୁ ହେବାକୁ ଥିବା କାମ ପୂଜା ପରେ ହେବ। କର୍ପୋରେଟରମାନେ ଯଦିଓ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି କିନ୍ତୁ କିଛି କରିପାରୁନାହାନ୍ତି। ସେମାନଙ୍କ ପାଖରେ ତ ଟଙ୍କା ନାହିଁ କାମ କେମିତି କରିବେ। କେବଳ ଏତିକି ନୁହେଁ, ଜୁଲାଇରେ ହୋଇଥିବା ବର୍ଷାରେ ରାଜଧାନୀର ପ୍ରାୟ ସମସ୍ତ ନଷ୍ଟ ହୋଇଯାଇଥିଲା। କେବଳ ରାସ୍ତା ନୁହେଁ, ଡ୍ରେନ୍ ପାଚେରି ବି ଭୁଶୁଡ଼ି ଯାଇଥିଲା। ଏହାର ତୁରନ୍ତ ମରାମତି କରିବା ପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ମରାମତି ଖର୍ଚ୍ଚର ଆକଳନ କରି ରିପୋର୍ଟ ଦିଆଯାଇଥିଲା। ବିଏମ୍‌ସି ଏସ୍‌ଆରସିଙ୍କୁ ୧୫ କୋଟି ଟଙ୍କା ଏଥିପାଇଁ ମାଗିଥିଲା। କିନ୍ତୁ ତିନି ମାସ ପରେ ବି ଟଙ୍କାଟିଏ ମିଳିଲାନି। ବିଏମ୍‌ସି ନିଜ ଅର୍ଥରେ କେଉଁଠି ବାଲି ବସ୍ତା ପକାଇଛି ତ କେଉଁଠି ରାସ୍ତା ଖୋଳି ଛାଡ଼ି ଦେଇଛି। କର୍ତ୍ତୃପକ୍ଷ ଅପେକ୍ଷା କରିଛନ୍ତି କେବେ ଏସ୍‌ଆରସି ଟଙ୍କା ଦେବେ, କାମ ହେବ। ତିତ୍‌ଲି ବ‌ର୍ଷା ପରେ ସ୍ଥିତି ଆହୁରି ସଙ୍ଗିନ୍ ହୋଇଯାଇଛି। ଯାହା ବି କିଛି ଖଣ୍ଡିଆଖାବରା ଅଛି, ସବୁ ହକି ବିଶ୍ବକପ୍ ପୂର୍ବରୁ ମରାମତି ହେବ ବୋଲି ଶ୍ରୀ ଜେନା କହିଛନ୍ତି। କର୍ତ୍ତୃପକ୍ଷ ହକି ବିଶ୍ବକପ୍‌କୁ ନଜରରେ ସମସ୍ତ ନିର୍ମାଣ ଓ ମରାମତି କାର୍ଯ୍ୟ କରୁଥିବାରୁ ଏଥରର ପାର୍ବଣ ରାଜଧାନୀବାସୀଙ୍କ ପାଇଁ ଯନ୍ତ୍ରଣାଦାୟକ ପାଲଟି ଯାଇଛି। ପୂର୍ତ୍ତ ବିଭାଗ ବି ତାହା ଅଧୀନରେ ଥିବା ରାସ୍ତାଗୁଡ଼ିକର ମରାମତି ପାଇଁ ବିଳମ୍ବ‌େର ଟେଣ୍ଡର ଡାକିଥିବାରୁ ଏହାର ମରାମତି ଶେଷ ହେଲା ବେଳକୁ ନଭେମ୍ବର ୧୫ ହୋଇଯିବ ‌େବାଲି ଜଣାପଡ଼ିଛି। ବର୍ତ୍ତମାନ ରାଜଧାନୀର ସ୍ଥିତି ଦେଖି ରାଜଧାନୀବାସୀ କହୁଛନ୍ତି ପ୍ରଶାସନ ହକି ବିଶ୍ବକପ୍ ମାୟାରେ ସବୁ ଉନ୍ନତିମୂଳକ କାର୍ଯ୍ୟକୁ ବିଳମ୍ବ କରିଦେଇଛି।

ସମ୍ବନ୍ଧିତ ଖବର