ଏଟିଏମ୍‌ରେ ତାଲା, ଟଙ୍କା ଚିନ୍ତା ବଢ଼ିଲା : ବ୍ୟାଙ୍କ, ସରକାର ହାତବାନ୍ଧି ବସିଛନ୍ତି

ଭୁବନେଶ୍ୱର: ରାଜ୍ୟର ଏଟିଏମ୍‌ଗୁଡ଼ିକରେ ଟଙ୍କା ଅଭାବଜନିତ ସମସ୍ୟା ଉତ୍କଟ ହେବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହରରେ ପରିସ୍ଥିତି ସାଂଘାତିକ ହେଲାଣି। ଆଜି ଅଧିକାଂଶ ଏଟିଏମ୍‌ରେ ସଟର୍‌ ପଡ଼ିଯାଇଛି। ଯାହା କିଛି ଖୋଲା ଅଛି ସେଗୁଡ଼ିକରେ ଟଙ୍କା ନାହିଁ। ଫଳରେ ଲୋକେ ଟଙ୍କା ଉଠାଇବା ପାଇଁ ଗୋଟିଏରୁ ଆଉ ଗୋଟିଏ ଏଟିଏମ୍‌କୁ ଧାଉଁଛନ୍ତି। ଗ୍ରାମାଞ୍ଚଳରୁ ସହରକୁ ଜରୁରୀ କାମରେ ଆସିଥିବା ଲୋକମାନେ ଏହାଦ୍ୱାରା ଖୁବ୍‌ ପ୍ରଭାବିତ ହୋଇଛନ୍ତି। ବିଶେଷକରି ଆଜି ଓଜେଇଇ ପରୀକ୍ଷା ଚାଲିଥିବାରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ସହରକୁ ଆସିଥିଲେ। ଏଟିଏମ୍‌ରେ ଟଙ୍କା ନମିଳିବା ଯୋଗୁଁ ସେମାନେ ମାତ୍ରାଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଏତଦ୍‌ବ୍ୟତୀତ ଆସନ୍ତା ମଙ୍ଗଳବାର ସାବିତ୍ରୀ। ଆଜି ରବିବାର ଥିବାରୁ ଲୋକମାନେ ସାବିତ୍ରୀ ପାଇଁ ଫଳ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ଲାଗି ଆଜି ବଜାରକୁ ବାହାରିଥିଲେ। ବାଟରେ ଏଟିଏମ୍‌ରୁ ଟଙ୍କା ଉଠାଇ କିଣାକିଣି କରିଥାନ୍ତେ। କିନ୍ତୁ ଏଟିଏମ୍‌ରେ ଟଙ୍କା ନମିଳିବା ଯୋଗୁଁ ଅନେକ ବ୍ୟକ୍ତି ନିରାଶ ହୋଇ ଘରକୁ ଫେରିଛନ୍ତି। ଟଙ୍କା ପାଇଁ ଲୋକ ଡହଳବିକଳ ହେଉଥିବାବେଳେ ବ୍ୟାଙ୍କ କିମ୍ବା ପ୍ରଶାସନ ଏ ନେଇ କିଛି ବି ପଦକ୍ଷେପ ନେଉନାହାନ୍ତି। ଏଟିଏମ୍‌ରେ ମୁଖ୍ୟତଃ ଦୁଇଟି କାରଣ ପାଇଁ ଟଙ୍କା ମିଳୁ ନାହିଁ ବୋଲି ବରିଷ୍ଠ ବ୍ୟାଙ୍କ ଅଧିକାରୀମାନେ ମତ ଦେଉଛନ୍ତି। ସେଥିରୁ ପ୍ରମୁଖ କାରଣଟି ହେଲା ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପାଇଁ ଆବଶ୍ୟକ ପରିମାଣର ଅର୍ଥ ବ୍ୟାଙ୍କ ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଉ ନାହିଁ। ବିଶେଷକରି ଦୁଇ ହଜାର ଟଙ୍କିଆ ନୋଟ୍‌ ପ୍ରାୟତଃ ଏଟିଏମ୍‌ରୁ ଗାଏବ୍‌ ହୋଇଯାଇଛି। ଦୁଇ ହଜାର ଟଙ୍କିଆ ନୋଟ୍‌ର ଅଭାବ ଯୋଗୁଁ ଏଟିଏମ୍‌ରେ କେବଳ ୫୦୦, ୨୦୦ ଏବଂ ୧୦୦ ଟଙ୍କିଆ ନୋଟ ରଖାଯାଉଛି। ଏଥିଯୋଗୁଁ ଏଟିଏମ୍‌ରେ ଥିବା ୪ଟି କ୍ୟାସେଟ୍‌ ମଧ୍ୟରୁ ଦୁଇ ହଜାର ଟଙ୍କିଆ ରହୁଥିବା କ୍ୟାସେଟଟି ଫାଙ୍କା ରହୁଛି। ଫଳରେ ବ୍ୟାଙ୍କରେ କେବଳ କମ୍‌ ସଂଖ୍ୟକ ନୋଟ୍‌ ନୁହେଁ କମ୍‌ ମୂଲ୍ୟର ଟଙ୍କା ମଧ୍ୟ ରହୁଛି। ଏଥିଯୋଗୁଁ ଟଙ୍କା ଶୀଘ୍ର ସରି ଯାଉଛି। ଏତଦ୍‌ବ୍ୟତୀତ ଅନ୍ୟ ଏକ ପ୍ରମୁଖ କାରଣ ହେଲା ବ୍ୟାଙ୍କଗୁଡ଼ିକ ଏଟିଏମ୍‌ର ଠିକ୍‌ ପରିଚାଳନା କରୁନାହାନ୍ତି। ଏଟିଏମ୍‌ରେ ଟଙ୍କା ଶେଷ ହେବା ପୂର୍ବରୁ ବ୍ୟାଙ୍କ ଅଧିକାରୀଙ୍କ ନିକଟରେ ବାର୍ତ୍ତା ପହଞ୍ଚିବାର ବ୍ୟବସ୍ଥା ରହିଛି। କିନ୍ତୁ ଏହି ବାର୍ତ୍ତା ପାଇବା ପରେ ସେମାନେ ଟଙ୍କା ଭର୍ତ୍ତି କରିବା ଲାଗି ତତ୍ପରତା ପ୍ରକାଶ କରୁନାହାନ୍ତି। ଏଥିପାଇଁ ଉଭୟ ବ୍ୟାଙ୍କ ଶାଖା ପରିସରରେ ଏବଂ ବାହାରେ ଥିବା ଏଟିଏମ୍‌ରେ ଟଙ୍କା ମିଳୁନାହିଁ। ଅଫ୍‌ସାଇଟ୍‌ ଏଟିଏମ୍‌ ପରିଚାଳନା ଦାୟିତ୍ୱ ବ୍ୟାଙ୍କଗୁଡ଼ିକ ପ୍ରାୟତଃ ଘରୋଇ କମ୍ପାନି ହାତରେ ଟେକି ଦେଇଛନ୍ତି। ଫଳରେ ସେମାନେ ଠିକ୍‌ ସମୟ ମଧ୍ୟରେ ଏଟିଏମ୍‌ରେ ଟଙ୍କା ଭର୍ତ୍ତି ନକରିଲେ ମଧ୍ୟ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହାନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି। ଟଙ୍କା ଅଭାବ ପାଇଁ କେତେଜଣ ବ୍ୟାଙ୍କ ଅଧକାରୀ କେନ୍ଦ୍ର ସରକାରଙ୍କ ନୀତିକୁ ମଧ୍ୟ ଦାୟୀ କରିଛନ୍ତି। ସରକାର ନଗଦ ଅର୍ଥ କାରବାରକୁ ନିରୁତ୍ସାହିତ କରିବା ସହିତ ଡିଜିଟାଲ୍‌ କାରବାରକୁ ପ୍ରୋତ୍ସାହନ ଦେବା ଲାଗି ଟଙ୍କା ଯୋଗାଣ ହ୍ରାସ କରିଛନ୍ତି। ଏଥିଯୋଗୁଁ ଏଟିଏମ୍‌ରେ ଟଙ୍କା ଅଭାବ ସମସ୍ୟା ସୃଷ୍ଟି ହୋଇଛି ବୋଲି ଜଣେ ବ୍ୟାଙ୍କ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ସୂଚନା ଅନୁଯାୟୀ ରାଜ୍ୟରେ ପାଖାପାଖି ୬ ହଜାର ଏଟିଏମ୍‌ ରହିଛି। ଏଥିରୁ ପ୍ରାୟ ଅଧାଅଧି ଏଟିଏମ୍‌ ଷ୍ଟେଟ୍‌ ବ୍ୟାଙ୍କ ଅଧୀନରେ ରହିଛି। ତେଣୁ ଆଜି ଷ୍ଟେଟ ବ୍ୟାଙ୍କର ଅଧିକାଂଶ ଏଟିଏମ୍‌ରେ ସଟର୍‌ ପଡ଼ିଯାଇଥିବା ଦେଖିବାକୁ ମିଳିଛି। ଷ୍ଟେଟ ବ୍ୟାଙ୍କର ଜଣେ ବରିଷ୍ଠ ଅଧକାରୀଙ୍କ କହିବାନୁଯାୟୀ, ଗତକାଲି ଥିଲା ମାସର ଦ୍ୱିତୀୟ ଶନିବାର। ଆଜି ହେଉଛି ରବିବାର। ଦୁଇ ଦିନ ବ୍ୟାଙ୍କ ଛୁଟି ରହିବା ଯୋଗୁଁ ଏଟିଏମ୍‌ରୁ ଟଙ୍କା ଖାଲି ହୋଇଯାଇଛି। ଏତଦ୍‌ବ୍ୟତୀତ ଏମିତି ଦେଖିବାକୁ ଗଲେ ବ୍ୟାଙ୍କକୁ ଟଙ୍କା ଯୋଗାଣ ମଧ୍ୟ କମ୍‌ ରହିଛି। ଆବଶ୍ୟକ ପରିମାଣର ଟଙ୍କା ବ୍ୟାଙ୍କକୁ ମିଳୁ ନାହିଁ। ତେବେ ଏଟିଏମ୍‌ରେ ଦେଖାଦେଇଥିବା ନୋଟ୍‌ ଅଭାବଜନିତ ସମସ୍ୟା ଦୂର ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଛି। ରବିବାର ସନ୍ଧ୍ୟା ସୁଦ୍ଧା ଏଟିଏମ୍‌ ସ୍ଥିତି ସ୍ୱାଭାବିକ ହୋଇଯିବ ବୋଲି ଅଧିକାରୀଜଣକ କହିଛନ୍ତି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ଏଟିଏମ୍‌ରେ ଟଙ୍କାର ଅଭାବ ରହିଛି ସେଗୁଡ଼ିକୁ କେବଳ ଆଜି ସନ୍ଧ୍ୟା ସୁଦ୍ଧା ଠିକ୍‌ କରାଯାଇ ପାରିବ। କିନ୍ତୁ କାଳବୈଶାଖୀ ପ୍ରଭାବ ବା ଘଡ଼ଘଡ଼ି ପଡ଼ି ଯେଉଁ ଏଟିଏମ୍‌ ମେସିନ୍‌ ଖରାପ ହୋଇଛି ସେଗୁଡ଼ିକୁ ଠିକ୍‌ କରିବା ଲାଗି ସମୟ ଲାଗିବ ବୋଲି ଅଧିକାରୀଜଣକ କହିଛନ୍ତି।

ସମ୍ବନ୍ଧିତ ଖବର