ସ୍ତ୍ରୀ କିଡ୍‌ନି ରୋଗରେ ମୃତ, ସ୍ବାମୀ ଓ ପୁଅ ପକ୍ଷାଘାତରେ ଆକ୍ରାନ୍ତ : ପରିବାର ଉପରେ ଦୁଃଖର ପାହାଡ଼, ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ

ଧଉଳି : ଦୀର୍ଘଦିନ ଧରି କିଡ୍‌ନି ରୋଗରେ ପୀଡ଼ିତ ହୋଇ ସ୍ତ୍ରୀଙ୍କ ଜୀବନ ଗଲା। ଏବେ ପୁଅ ସହ ନିଜେ ପକ୍ଷାଘାତରେ ଆକ୍ରାନ୍ତ। ଘରେ ଏକାକୀ ଅବିବାହିତ ଝିଅ। ଏଭଳି ପରିସ୍ଥିତିରେ ଅତି ଦୁର୍ବିସହ ଜୀବନ ବିତାଉଛନ୍ତି ଉତ୍ତରା ଫାଣ୍ଡି ଅଧୀନ ଚନ୍ଦନପୁର-କଣାସ ବ୍ରାଞ୍ଚ କେନାଲ ବନ୍ଧରେ ରହୁଥିବା ଏକ ପରିବାର। ପରିବାର ଉପରେ ସତେ ଯେପରି ଦୁଃଖର ପାହାଡ଼ ଉଜାଡ଼ି ହୋଇ ପଡ଼ିଛି। ଏଭଳି ପରିସ୍ଥିତିରେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି।

କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁର ଶିକାର ହୋଇଥିବା ମହିଳା ହେଲେ ଶୈଳବାଳା ବାରିକ (୬୦)। ଶୈଳବାଳାଙ୍କ ମୃତ୍ୟୁର କିଛିମାସ ପରେ ତାଙ୍କ ସ୍ବାମୀ ବସନ୍ତ କୁମାର ବାରିକ (୬୫) ଓ ପୁଅ ଅସୀମ ଅମିତାଭ ବାରିକ (୨୯) ଏବେ ପକ୍ଷାଘାତ ରୋଗରେ ଆକ୍ରାନ୍ତ। ସେମାନେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପକ୍ଷାଘାତ ସହିତ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଯିବା ଯୋଗୁଁ ଅସୀମଙ୍କ ଅସ୍ତ୍ରୋପଚାର ପାଇଁ ଲକ୍ଷାଧିକ ଟଙ୍କା ଦରକାର ବୋଲି ଡାକ୍ତର କହିଛନ୍ତି। ଏପଟେ ଘରେ ସୁସ୍ଥ ଥିବା ପରିବାରର ଏକମାତ୍ର ସଦସ୍ୟ ଅବିବାହିତ ଝିଅ ବୈଜୟନ୍ତୀମାଳା ବାରିକ (୩୨)। ଏଭଳି ପରିସ୍ଥିତିର କିଭଳି ସାମ୍‌ନା କରିବେ ସେ ଚିନ୍ତାରେ ତାଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ବାପା ଓ ସାନ ଭାଇର ଚିକିତ୍ସା ଖର୍ଚ୍ଚ ପାଇଁ ଏତେ ଟଙ୍କା କେଉଁଠୁ ଆଣିବେ ସେହି ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି। ବାପା ଓ ଭାଇକୁ ସୁସ୍ଥ କରାଇବା ପାଇଁ ଯାହାକୁ ଯେଉଁଠି ଦେଖୁଛନ୍ତି ନେହୁରା ହୋଇ ସାହାଯ୍ୟ ମାଗି ୧୦ ହଜାର ଟଙ୍କା ଯୋଗାଡ଼ କରିସାରିଲେଣି। ଡାକ୍ତର କହିଛନ୍ତି ସପ୍ତାହକ ମଧ୍ୟରେ ଅସ୍ତ୍ରୋପଚାର ନହେଲେ ସବୁଦିନ ପାଇଁ ଭାଇ ସ୍ମୃତିଶକ୍ତି ହରାଇ ବସିବ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏହି ପରିବାରକୁ ସହାୟତାର ହାତ ବଢ଼ାଇବା ପାଇଁ ଆଗ୍ରହୀ ବଦାନ୍ୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମୋବାଇଲ ନଂ. ୭୮୯୪୫୬୬୬୦୯ରେ ଯୋଗାଯୋଗ କରିବାକୁ ବୈଜୟନ୍ତୀ ଅନୁରୋଧ କରିଛନ୍ତି। ଏଥିସହିତ ପୁରୀ ଜିଲ୍ଲା ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେ ଗୁହାରି କରିଛନ୍ତି।

ସୂଚନାଯୋଗ୍ୟ ବସନ୍ତଙ୍କ ନିଜ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଧୀନ ତରାସ ଗ୍ରାମରେ। ସେ ଦୀର୍ଘ ୩୦ ବର୍ଷ ହେଲା ଏଠାରେ ରହୁଛନ୍ତି। ଫନିରେ ସରକାରୀ ଜାଗାରେ କରିଥିବା ଝୁମ୍ପୁଡ଼ି ଘର ଭାଙ୍ଗିଯିବା ପରେ ସେବେଠାରୁ ପରଘରେ ଆଶ୍ରୟ ନେଇଛନ୍ତି।

ସମ୍ବନ୍ଧିତ ଖବର