ବାପାର ଦୁଇଟି କିଡ଼ନି ନଷ୍ଟ; ବଡ଼ପୁଅ ଫୁସଫୁସ ଆକ୍ରାନ୍ତ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅଧୀନ ସାହେବନଗର ଗ୍ରାମର କାହ୍ନୁ ଭୋଇ (୬୦) ଦୀର୍ଘ ଅଢ଼େଇ ବର୍ଷ ହେଲା କିଡ଼ନି ରୋଗରେ ପୀଡ଼ିତ । ତାଙ୍କର ଦୁଇଟି ଯାକ କିଡ଼ନି ନଷ୍ଟ ହୋଇଯାଇଛି । ଫୁସଫୁସ ଓ ଖାଦ୍ୟନଳୀ ନଷ୍ଟ ହୋଇଯିବା ଯୋଗୁ ଦୁଇଥର ଅପରେସନ ପରେ ବି ବଡ଼ପୁଅ ବିକ୍ରମ ଭୋଇଙ୍କ ସ୍ବାସ୍ଥ୍ୟ ଅବସ୍ଥା ସୁଧୁରି ଦାହିଁ । ଉଭୟ ବାପା ପୁଅ ଏବେ ଶଯ୍ୟାଶାୟୀ ।

ପରିବାରର ଏହି ଦୁର୍ଦିନ ସମୟରେ ସାନପୁଅ ଅଭିରାମ ହିଁ ଏକମାତ୍ର ସାହା ଭରସା । ହେଲେ ଅଭିରାମ ବିବାହିତ ହୋଇଥିବାରୁ ଦିନମଜୁରିଆ କାମ କରି ଜାହା କିଛି ରୋଜଗାର ହୁଏ ସେଥିରେ ତାଙ୍କ ପତ୍ନୀଙ୍କ ସହିତ ପିଲାଛୁଆଙ୍କ  ଖର୍ଚ୍ଚ ବୁଝିବା ସହ ବାପାଙ୍କ ଚିକିତ୍ସା ଖର୍ଚ୍ଚ ବୁଝିବା କଷ୍ଟକର ହୋଇପଡ଼େ । ଏଭଳି ସ୍ଥିତିରେ କାହ୍ନୁଙ୍କ ଚିକିତ୍ସାରେ ଅର୍ଥ ସା‌ଜିଛି ବାଧକ । ପରିବାରରେ ଦୁଇଜଣ ରୋଜଗାରିଆ ଲୋକ ରୋଗାକ୍ରାନ୍ତ ହୋଇପଡ଼ିବା ପରେ ପତ୍ନୀ ବାସନ୍ତୀ ଭୋଇ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ।

ଘରେ ଥିବା ପିତ୍ତଳ ବାସନ କୁସନ , ଧାନ ଚାଉଳ , ଛେଳି ମେଣ୍ଢା , ସବୁ ବିକ୍ରି କରି ସ୍ବାମୀ ଓ ପୁଅକୁ ସୁସ୍ଥ କରିବା ପାଇଁ ଖର୍ଚ୍ଚ କରିସାରିଲେଣି । ସାନପୁଅ ଅଭିରାମ ରୋଜଗାର ଅର୍ଥରେ ୧୦ ପ୍ରାଣୀ ପେଟକୁ ଦାନା ଯୋଗାଡ଼ କରିବା କଷ୍ଟକର ହୋଇପଡ଼ୁଥିବା ବେଳେ ସ୍ବାମୀଙ୍କର ଚିକିତ୍ସା ପାଇଁ ଅର୍ଥ କେଉଁଠୁ ଆସିବ ବୋଲି ସେହି ଚିନ୍ତା ବାସନ୍ତୀଙ୍କୁ ଘାରିଛି । ସରକାରଙ୍କ ପକ୍ଷରୁ ଖାଦ୍ୟ ନିରାପତ୍ତା ଯୋଜନାରେ ରାସନ ସାମଗ୍ରୀକୁ ଛାଡ଼ିଦେଲେ ପକ୍କାଘର କିମ୍ବା ଅନ୍ୟ କୌଣସି ସରକାରୀ ସୁବିଧା ଏଯାଏ ମିଳିପାରି ନାହିଁ । ଯଦି କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଚାହୁଁଥାନ୍ତି , ତା ’ହେଲେ ମୋବାଇଲ ନମ୍ବର (୬୩୭୨୦୪୬୭୩୩) ରେ ଯୋଗାଯୋଗ କରିବାକୁ ଅନୁରୋଧ ।

ସମ୍ବନ୍ଧିତ ଖବର