କାଲିଠୁ ଉଠାଦୋକାନୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ପ୍ରଥମ ପର୍ଯ୍ୟାୟରେ ୧୧,୯୨୨ ଉଠାଦୋକାନୀ ପାଇବେ ସହାୟତା
ଅଣପଞ୍ଜୀକୃତ ଉଠାଦୋକାନୀ ବି ସହାୟତା ପାଇବେ

ଭୁବନେଶ୍ବର : କରୋନା ଜନିତ ଲକ୍‌ଡାଉନ୍ ଯୋଗୁଁ ବ୍ୟବସାୟ ହରାଇଥିବା ହଜାର ହଜାର ଉଠାଦୋକାନୀଙ୍କୁ ବିଏମ୍‌ସି ପକ୍ଷରୁ ସୋମବାରଠାରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ‌େଘାଷଣା ଆନୁଯାୟୀ, ଯୋଗ୍ୟ ଉଠା ଦୋକାନୀଙ୍କୁ ତିନି ହଜାର ଟଙ୍କା ଲେଖାଏଁ ଦିଆଯିବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୧,୯୨୨ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ତିନି ହଜାର ଟଙ୍କା ଲେଖାଏଁ ଜମା କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ଗତବର୍ଷ ୧୪,୭୫୨ଜଣ ଉଠାଦୋକାନୀ ପଞ୍ଜୀକୃତ ହୋଇଥିଲେ। ସେମାନଙ୍କୁ କରୋନାର ପ୍ରଥମ ଲହର ସମୟରେ ତିନି ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। କିନ୍ତୁ ଏଥର ବାକି ୨୮୩୦ଜଣ ଉଠାଦୋକାନୀଙ୍କ ବ୍ୟାଙ୍କ ଆକା‌ଉଣ୍ଟ ବିଏମ୍‌ସି ପାଖରେ ଥିଲେ ହେଁ ସେମାନଙ୍କର ଆଇଏଫ୍‌ଏସ୍‌ସି କୋଡ୍ ବଦଳି ଯାଇଥିବାରୁ ନୂଆ ଆଇଏଫ୍‌ଏସ୍‌ସି କୋଡ୍ ଦେବାକୁ କୁହାଯାଇଛି। ସେମାନେ ଏହା ଜମା କଲେ ତୁରନ୍ତ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଏଥିପାଇଁ ଗତ ୧୬ତାରିଖରୁ ଆଇସିଆଇସିଆଇ ବ୍ୟାଙ୍କକୁ ୩କୋଟି ୫୭ଲକ୍ଷ ୬୬ହଜାର ଟଙ୍କା ଦିଆଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସେହିପରି ଅଣପଞ୍ଜୀକୃତ ତଥା ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ବିଏମ୍‌ସିର ଜୋନ୍ ଅଧିକାରୀଙ୍କ ସ୍ବୀକୃତିପ୍ରାପ୍ତ ସାର୍ଟିଫିକେଟ୍ ପାଇଥିବା ୧୩,୩୦୦ଜଣ ଉଠା ଦୋକାନୀ ଅଛନ୍ତି। ସେମାନଙ୍କୁ ବି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପ୍ରଧାନ କରାଯିବ। ଏଥିପାଇଁ ସେମାନଙ୍କୁ ନିକଟସ୍ଥ ୱାର୍ଡ ଅଫିସରେ ବ୍ୟାଙ୍କର ନାମ, ଶାଖାର ନାମ, ଆକାଉଣ୍ଟ ନମ୍ବର, ଆଇଏଫ୍ଏସ୍‌ସି କୋଡ୍ ଓ ଆଧାର କାର୍ଡ ନମ୍ବର ସହ ଜେରକ୍ସ କପି ଦେବାକୁ ହେବ। ୱାର୍ଡ ଅଫିସରମାନେ ସମସ୍ତ ତଥ୍ୟ ଦେବା ପରେ ଉଠା ଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା‌ ପଠାଯିବ ବୋଲି ବିଏମ୍‌ସିର ଡେପୁଟି କମିସନର (ମାର୍କେଟ୍) ପ୍ରମୋଦ କୁମାର ପୃଷ୍ଟି କହିଛନ୍ତି।

ସମ୍ବନ୍ଧିତ ଖବର