ଭୁବନେଶ୍ୱର : ଗୋଧି ଯୌନାଙ୍ଗକୁ ସିନ୍ଦୂର ଲଗାଇ ଘରେ ରଖିଲେ, ବହୁ ଉପକାର ମିଳେ। ସହଜରେ ଅନ୍ୟକୁ ବଶୀଭୂତ କରିବା, ମାଲିମକଦ୍ଦମାରେ ବିଜୟୀ ହେବା, ଘରକୁ ଲକ୍ଷ୍ମୀ ଆସିବା ଭଳି ଅନେକ ବଡ଼ ବଡ଼ ଉପକାର ମିଳେ। ଏଭଳି ଏକ ଅନ୍ଧବିଶ୍ବାସ ଆଜି ବି ଲୋକଙ୍କ ମୁଣ୍ଡରେ ବସା ବାନ୍ଧି ରହିଛି। ଏହାର ଫାଇଦା ଉଠାଉଛନ୍ତି ମାଫିଆମାନେ। ଗୋଧିମାନଙ୍କୁ ମାରି ସେମାନଙ୍କ ଯୌନାଙ୍ଗକୁ ଖରାରେ ଶୁଖାଇ ବିକ୍ରି କରାଯାଉଛି। କିନ୍ତୁ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ପାଇଁ ଖୋଲା ବଜାରରେ ଏହି କାରବାର ସମ୍ଭବ ହେଉ ନଥିବାରୁ ଏବେ ମାଫିଆମାନେ ଅନ୍ଲାଇନ୍କୁ ମାଧ୍ୟମ କରିଛନ୍ତି। ପୁଣି ସିଧାସଳଖ ଗୋଧି ଯୌନାଙ୍ଗ ନ କହି ଏକ ଛଦ୍ମନାମରେ ବିକ୍ରି କରୁଛନ୍ତି। ଶୁଖି ଯାଇଥିବା ଗୋଧି ଯୌନାଙ୍ଗ ଗଛର ଚେର ଭଳି ଦେଖା ଯାଉଥିବାରୁ ତାହାକୁ ପବିତ୍ର ହାତଯୋଡ଼ି ଗଛର ଚେର ବୋଲି କହୁଛନ୍ତି। ବିକିଲାବାଲା ଓ କିଣିଲାବାଲା ପ୍ରକୃତରେ ତାହା ଗୋଧି ଯୌନାଙ୍ଗ ବୋଲି ଜାଣୁଥିଲେ ହେଁ ଅନ୍ୟମାନେ ସହଜରେ ଧରି ପାରୁନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ନେକ୍ ହେଲ୍ପ ଲାଇନ୍ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏବେ ଏହି କାରବାର ବାବଦରେ କିଛି ତଥ୍ୟ ପଦାକୁ ଆଣିଛନ୍ତି। ସେ ଗୋଧି ଯୌନାଙ୍ଗ ବ୍ୟବସାୟରେ ରୋକ୍ ଲଗାଇବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଅତିରିକ୍ତ ନିର୍ଦେଶକ ତିଳୋତ୍ତମ ବର୍ମାଙ୍କୁ ଏ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି। ୟୁ-ଟ୍ୟୁବ୍ରେ ଚାଲିଥିବା ଏହି ଅସାଧୁ ବ୍ୟବସାୟରେ ଅଙ୍କୁଶ ଲଗାଇବାକୁ ସେ ଦାବି କରିଛନ୍ତି। ତେଣୁ ୟୁ-ଟ୍ୟୁବ୍ କମ୍ପାନିର ଭାରତୀୟ ମୁଖ୍ୟଙ୍କୁ ଏଭଳି ପ୍ରୋତ୍ସାହନ ଦେବା ଅଭିଯୋଗରେ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି। ତାଙ୍କ କହିବା କଥା, ୨୦୧୭ ମସିହାରେ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ହସ୍ତକ୍ଷେପ ଯୋଗୁଁ ଆମାଜନ ଓ ଫ୍ଲିପ୍କାର୍ଟ ଭଳି ଅନ୍ଲାଇନ୍ ମାର୍କେଟିଙ୍ଗ ସଂସ୍ଥା ‘ହାତଯୋଡ଼ି’ ନାମରେ ଚାଲିଥିବା ଗୋଧି ଯୌନାଙ୍ଗର ବିକ୍ରିବଟାରେ ରୋକ୍ ଲଗାଇଥିଲା। ମାତ୍ର ଏବେ ପୁଣି କିଛି ଅସାଧୁ ବେପାରୀ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ୟୁ-ଟ୍ୟୁବ୍କୁ ବଜାର ଭାବେ ଆପଣେଇ ଏହି କାରବାର ଚଳାଇଛନ୍ତି। ମାଫିଆମାନେ ନିଜର ଫୋନ୍ ନମ୍ବର ଓ ହ୍ବାଟ୍ସଆପ ନମ୍ବର ଦେଇ ଏହି କଳା କାରବାର ଚଳାଇ ଥିବାରୁ ସେମାନଙ୍କୁ ଠାବ କରିବା ସହଜ ହେବ ବୋଲି ସେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଗୋଧି ଭାରତୀୟ ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍ ୧୯୭୨ର ଅନ୍ତର୍ଭୁକ୍ତ। ମାତ୍ର ଗୋଧି ଶିକାରରେ ରୋକ୍ ଲାଗି ପାରୁନାହିଁ। ବନ ବିଭାଗ ଗୋଧି ଶିକାରକୁ ଗୁରତ୍ବର ସହ ନେଉନାହିଁ। ତେଣୁ ଏମିତି ଶିକାର ଚାଲିଲେ, ଗୋଧି ବଂଶ ଲୋପ ପାଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଶିକାରୀମାନେ ଗୋଧିକୁ ମାରି ଚମଡ଼ା ଉତାରିବା ପରେ ଲାଞ୍ଜର ଉଭୟ ପାର୍ଶ୍ବରେ ଥିବା ୨ଟି ହେମି ପେନିସ୍କୁ ଯତ୍ନର ସହ ବାହାର କରିଦିଅନ୍ତି। ସେଥିରେ ଶୁଖିଲା କାଠି ଭର୍ତି କରି ଖରାରେ ଶୁଖାଇ ଦିଆଯାଏ। ଶୁଖିଯିବା ପରେ ଏହା ଗଛର ଚେର ସଦୃଶ ଦେଖାଯାଏ। ପରେ ଗନ୍ଧକୁ ଏଡ଼ାଇବା ପାଇଁ ସେଥିରେ ଅତର ଓ ସିନ୍ଦୂର ବୋଳି ଡବାରେ ରଖାଯାଏ। ଫଳରେ ବଜାରରେ ବିକ୍ରି ବେଳେ ସାଧାରଣ ଲୋକେ ଏହାକୁ ଚିହ୍ନି ପାରନ୍ତି ନାହିଁ। କିନ୍ତୁ ସ୍ବତନ୍ତ୍ର ଗ୍ରାହକମାନେ ଏହାକୁ ଖୋଜି ଖୋଜି କିଣିଥାନ୍ତି।