ବାରଙ୍ଗ: ମାଙ୍କଡ଼ ଆକ୍ରମଣରେ ବୃଦ୍ଧା ମୃତ, ୧୦ ଆହତ

ବାରଙ୍ଗ: ଅଣ୍ଡିରା ମାଙ୍କଡ଼ (ଗେଧ) ଆକ୍ରମଣରେ ଦାଢ଼ା ପଞ୍ଚାୟତ ଖୈରାପଡ଼ା ଗ୍ରାମର ବୃଦ୍ଧା ହର୍ଷ ଦାସ (୬୭)ଙ୍କର ମୃତ୍ୟୁ ହୋଇଛି। ମାଙ୍କଡ଼ ଆକ୍ରମଣରେ କିଛିଦିନ ମଧ୍ୟରେ ୧୦ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଫରେଷ୍ଟର ରାମଚନ୍ଦ୍ର କାଣ୍ତି ଗେଧକୁ ଟ୍ରାଙ୍କୁଲାଇଜ୍ କରି ଧରିବା ପରେ ଚନ୍ଦକା ଜଙ୍ଗଲରେ ଛାଡ଼ିଛନ୍ତି। ଭୁବନେଶ୍ବର ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତ ଓ ଦାଢ଼ା ପଞ୍ଚାୟତର ଗଣ୍ତରପୁର, ଖୈରାପଡ଼ା, କଣ୍ଟୁଣିଆ, ବାଲିପଡ଼ା, କେନ୍ଦୁପାଟଣା ଗ୍ରାମରେ ଉକ୍ତ ମାଙ୍କଡ଼ଟି ଉତ୍ପାତ କରୁଥିଲା। ଆଜି ସକାଳେ ହର୍ଷ କେନାଲ ବନ୍ଧରୁ ଫୁଲ ତୋଳିବା ବେଳେ ମାଙ୍କଡ଼ଟି ତାଙ୍କୁ କାମୁଡ଼ିବା ସହ ଧକ୍କା ଦେଇ ତଳେ ପକାଇ ଦେଇଥିଲା। ପୁଅ ଶୁକ ଦାସ ମା’ଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ବୃଦ୍ଧାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ମୃତା ବୃଦ୍ଧାଙ୍କ ପରିବାରକୁ କ୍ଷତିପୂରଣ ଓ ପାଗଳ ମାଙ୍କଡ଼କୁ ଧରି ଜଙ୍ଗଲରେ ଛାଡ଼ିବାକୁ ମଞ୍ଚେ‌ଶ୍ବର ସଟି ଫରେଷ୍ଟ ଡିଭିଜନ ନିକଟରେ ସ୍ଥାନୀୟ ବାସିନ୍ଦା ଦାବି କରିଥିଲେ। ରେଞ୍ଜ ଅଫିସର ଗୌର ଗୋପାଳ ସି କର୍ମଚାରୀଙ୍କ ସହ ଖୈରାପଡ଼ା ଗ୍ରାମକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ମାଙ୍କଡ଼କୁ ଧରାଯାଇ ଚନ୍ଦକା ଜଙ୍ଗଲରେ ଛଡ଼ାଯାଇଛି। ମାଙ୍କଡ଼ ଆକ୍ରମଣରେ ସପନା ପଢିଆରି, ଗଙ୍ଗା ରାଉତ ଓ ସୋନୁ ପରିଡ଼ାଙ୍କ ସମେତ ୧୦ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର