ଚନ୍ଦ୍ରଶେଖରପୁର: ବାରଙ୍ଗ, ରଙ୍ଗମାଟିଆ, ଗାଡ଼କଣ, ପଟିଆ ଓ ଡମଣା ଆଦି ଅଞ୍ଚଳରେ ସପ୍ତାହେ ହେଲା ଉପଦ୍ରବ କରୁଥିବା ଏକ ହନୁକୁ ଆଜି ବନବିଭାଗ କାବୁ କରିଛି। ଆଜି ମଧ୍ୟାହ୍ନରେ ହନୁଟି ଗାଡ଼କଣ ଅଞ୍ଚଳରେ ଥିବା ଖବର ପାଇ ବନ ବିଭାଗ କର୍ମଚାରୀମାନେ ଯନ୍ତା ଓ ଜାଲ ବସାଇଥିଲେ। କିନ୍ତୁ ଧରା ନ ଦେବାରୁ ନନ୍ଦନକାନନର ଟ୍ରାଙ୍କୁଲାଇଜର୍ ମ୍ୟାନ୍ ରାମଚନ୍ଦ୍ର କାଣ୍ଡି ହନୁକୁ ଟ୍ରାଙ୍କୁଲାଇଜ୍ କରିଥିଲେ। ପରେ ହନୁଟି ଚେତା ହରାଇ ତଳେ ପଡ଼ିଯିବାରୁ ବନବିଭାଗ କର୍ମଚାରୀମାନେ ତାକୁ କାବୁ କରିନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାକୁ ଚନ୍ଦକା ଅଭୟାରଣ୍ୟରେ ଛାଡ଼ି ଦିଆଯିବ ବୋଲି ଜଣାଯାଇଛି।
ପାଖାପାଖି ଏକ ସପ୍ତାହ ହେବ ହନୁଟି ବାରଙ୍ଗ, ରଙ୍ଗମାଟିଆ, ଗାଡ଼କଣ, ପଟିଆ ଓ ଡମଣା ଅଞ୍ଚଳରେ ଉତ୍ପାତ କରୁଥିଲା। ବିନା କାରଣରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଥିଲା। ସାତ ଦିନ ମଧ୍ୟରେ ଏହି ହନୁ କାମୁଡ଼ାରେ ପାଖାପାଖି ୧୪ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ବନ ବିଭାଗ ହନୁଟିକୁ ଧରି ନ ପାରିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା। ହନୁଟି ଘୂରି ବୁଲୁଥିବା ସ୍ଥାନରେ ଯନ୍ତା ଓ ଜାଲ ବିଛାଇଥିଲା। କିନ୍ତୁ ଚାଲାକ୍ ହନୁ ସ୍ଥାନ ପରିବର୍ତ୍ତନ କରି ଅନ୍ୟତ୍ର ଚାଲି ଯାଉଥିଲା। ଆଜି ସେ ଗାଡ଼କଣ ଅଞ୍ଚଳରେ ଥିବା ଖବର ପାଇ ତାକୁ ଟ୍ରାଙ୍କୁଲାଇଜ୍ କରି ଧରା ଯାଇଥିଲା।
ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ବାରଙ୍ଗ ଅଞ୍ଚଳରେ ହନୁଟି କିଛି ପଶୁଙ୍କ ସମେତ ୪ଜଣ ଯୁବକଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଥିଲା। ପରେ ସେଠାରୁ ମଞ୍ଚେଶ୍ବର ପଳାଇ ଆସି ପାଖାପାଖି ୫ଜଣଙ୍କୁ କାମୁଡ଼ି ଆହତ କରିଥିଲା। ପରେ ପରେ ପଟିଆ, ଡ଼ମଣା ଓ ଗାଡ଼କଣ ଅଞ୍ଚଳରେ ବୁଲିବୁଲି ଲୋକଙ୍କୁ କାମୁଡ଼ିଥିଲା। ଏଥିରେ ଗାଡ଼କଣର ୩ଜଣ ଓ ଡ଼ମଣାର ଜଣେ ସମେତ ପଟିଆର ଦୁଇଜଣ ଗୁରୁତର ଆହତ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/monkey.jpg)