ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ବାଗଲପୁର ଗ୍ରାମରେ ମାଙ୍କଡ଼ ଆତଙ୍କ ଦେଖାଦେଇଛି। ସପ୍ତାହେରୁ ଊର୍ଦ୍ଧ୍ବ ହେଲା ୨୦ରୁ ୩୦ ଟିକିଆ ମାଙ୍କଡ଼ ପଲ ଗାଁରେ ଡେରା ପକାଇଛନ୍ତି। ଗ୍ରାମବାସୀଙ୍କ ବାଡ଼ି‌ରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି। ୭ ଦିନ ଭିତରେ ୭ରୁ ଊର୍ଦ୍ଧ୍ବ ଗ୍ରାମବାସୀ ମାଙ୍କଡ଼ କାମୁଡ଼ାର ଶିକାର ହୋଇ ଲହୁଲୁହାଣ ହୋଇସାରିଲେଣି। ଆଜି ସକାଳୁ ଗ୍ରାମର ମଂଜୁଲତା ମିଶ୍ର ମନ୍ଦିରକୁ ଯାଉଥିବା ବେଳେ ଗୋଟିଏ ମାଙ୍କଡ଼ ତାଙ୍କୁ ଆକ୍ରମଣ କରି ତାଙ୍କ ପେଣ୍ଡାରୁ ପୁଳାଏ ମାଂସ କାମୁଡ଼ି ନେଇଥିଲା। ପରିବାରଲୋକ ତାଙ୍କୁ ପ୍ରଥମେ ବାଲିପାଟଣା ହସ୍ପିଟାଲ ଓ ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ତାଙ୍କ ଗୋଡ଼ରେ ଗଭୀର କ୍ଷତ ହୋଇଛି। ଏହାକୁ ନେଇ ଗାଁରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରୁ ଆଜି ବନ ବିଭାଗର ଏକ ଟିମ୍‌ ଗାଁକୁ ଆସି ମାଙ୍କଡ଼ଙ୍କ ଗତିବିଧି ଦେଖିଥିଲା। ଖୁବ୍‌ଶୀଘ୍ର ମାଙ୍କଡ଼ଗୁଡ଼ିକୁ ଘଉଡ଼ାଇ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ସପ୍ତାହକରେ ୭ ଆହତ
ଗ୍ରା‌ମବାସୀଙ୍କ ମଧ୍ୟ‌ରେ ତୀବ୍ର ଅସନ୍ତୋଷ
ଟ୍ରାଙ୍କୁଲାଇଜ୍‌ କରିବ ବନ ବିଭାଗ

ସୂଚନା ଅନୁସାରେ, ଏହି ମାଙ୍କଡ଼ ପଲ ଭିତରେ ଥିବା ଗୋଟିଏ ଗେଧ ମାଙ୍କଡ଼ ପାଗଳ ପ୍ରାୟ ହୋଇଯାଇଛି। ସେ ହିଁ ଗ୍ରାମବାସୀଙ୍କୁ ଅତର୍କିତ ଆକ୍ରମଣ କରୁଛି ବୋଲି ଗ୍ରାମବାସୀମା‌ନେ ଅଭିଯୋଗ କରିଛନ୍ତି। ଗତ ମଙ୍ଗଳବାର ଗାଁର ଶିଶିର ମିଶ୍ର ମାଙ୍କଡ଼ କାମୁଡ଼ାରେ ଗୁରୁତର ହୋଇଥିଲେ। ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲ। ସେହିପରି ବାବାଜୀ ମଲ୍ଲିକ, ମଙ୍ଗୁଳି ଭୋଇ ମଧ୍ୟ ମାଙ୍କଡ଼ କାମୁଡ଼ାର ଶିକାର ହୋଇଥିବା ଜଣାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଗତକାଲି ସ୍ଥାନୀୟ ବିଦ୍ୟାଳୟରେ ପାଖାପାଖି ୨୦ମାଙ୍କଡ଼ ଆତଙ୍କ ଖେଳାଇଥିଲେ। ପିଲାଙ୍କୁ ଆକ୍ରମଣ ପାଇଁ ଗୋଡ଼ାଇଥିଲେ। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍କୁଲ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। କ୍ଲାସ୍‌ ରୁମ୍‌ କବାଟ କିଳି ପିଲା ଓ ଶିକ୍ଷକ ଭିତରେ ରହିଥିଲେ। ଏଥିପାଇଁ ସ୍କୁଲରେ ପ୍ରାୟ ୨ ଘଣ୍ଟା ବିଳମ୍ବରେ ପିଲା ମଧ୍ୟାହ୍ନ ଭୋଜନ ଖାଇଥିଲେ।

ଅପରପକ୍ଷେ, ଆଜି ବାଲିପାଟଣା ବନାଞ୍ଚଳ ଅଧିକାରୀ ମାନସ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର୍‌ ଅକ୍ଷୟ ନାୟକ, କର୍ମଚାରୀ ସମ୍ବିତ ସୁବୁଦ୍ଧି, ବିଜୟ ମହାନ୍ତି, ବ୍ରଜବନ୍ଧୁ ଡାଳୁଅ ପ୍ରମୁଖ ବାଗଲପୁର ଗାଁରେ ପହଞ୍ଚି ମାଙ୍କଡ଼ ଗତିବିଧି ଓ କାର୍ଯ୍ୟକଳାପ ଠାବ କରିଛନ୍ତି। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସାହାଯ୍ୟରେ ମାଙ୍କଡ଼ମାନଙ୍କୁ ଟ୍ରାଙ୍କୁଲାଇଜ୍‌ କରାଯିବା ଶ୍ରୀ ମହାନ୍ତି କହିଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ତଳେ ମହୁଖଣ୍ଡା ଗ୍ରାମରେ ମାଙ୍କଡ଼ କାମୁଡ଼ାରେ ବହୁ ଲୋକ ଗୁରୁତର ଆହତ ହୋଇଥିଲେ। ସେଠାରୁ ସେମାନଙ୍କୁ ଘଉଡ଼ାଯିବାରୁ ସେମାନେ ଏବେ ବାଗଲପୁର ଗାଁରେ ଉପଦ୍ରବ କରୁଥିବା ଚର୍ଚ୍ଚା ହେଉଛି।