ଭୁବନେଶ୍ବର: ଆମକୁ ଯେଭଳି ଜ୍ବର ହୁଏ, ମହାପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ସେହିଭଳି ଜ୍ବର ହୁଏ। ଆମ ପରିବାର ମଧ୍ୟରେ ଯେପରି କଳି ଲାଗେ, ଜଗନ୍ନାଥଙ୍କ ପରିବାରରେ ମଧ୍ୟ କଳି ହୁଏ। ଏହି ଦିବ୍ୟ ମାନବୀୟ ଲୀଳା ଆଧାରରେ ଇଂରାଜୀ ପୁସ୍ତକ ‘ମନୋଲଗ୍ସ ଅଫ୍ ମହାଲକ୍ଷ୍ମୀ’ ଉଭୟ ରାଜ୍ୟ ଓ ଦେଶ ବିଦେଶରେ ଜନାଦୃତ ହେବ ବୋଲି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି। ୮୮ ପୃଷ୍ଠା ସମ୍ବଳିତ ଏହି ପୁସ୍ତକର ପ୍ରସଙ୍ଗଗୁଡ଼ିକ ଭାଗ ଭାଗ ହୋଇ ବର୍ଣ୍ଣିତ ହୋଇଛି। ଜଗନ୍ନାଥ ଓ ରାଜ୍ୟର ସଂସ୍କୃତି ବିଷୟରେ ଜାଣିବାକୁ ଚାହୁଁଥିବା ଲୋକେ ଏହି ପୁସ୍ତକ ଦ୍ବାରା ଅବଗତ ହୋଇପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସମ୍ବାଦର ‘ଫିଚର୍’ ସଂପାଦକ ଗୌରହରି ଦାସ ୯ମାସ ବ୍ୟବଧାନରେ ପୁରୀ ଶ୍ରୀମନ୍ଦିର ଖୋଲୁଥିବାରୁ ଆଜିର ଦିନକୁ ଶୁଭ ବୋଲି କହିଥିଲେ। ଅପରପକ୍ଷରେ ଏହାର ପ୍ରଚାର ପ୍ରସାର ଉପରେ ଗୁରୁତ୍ବ ଦେବା ପାଇଁ ସେ କହିଥିଲେ। ବିହାରସ୍ଥିତ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସେଣ୍ଟ୍ରାଲ୍ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ସଂସ୍କୃତ ବିଷାରଦ ପ୍ରଫୁଲ୍ଲ କୁମାର ମିଶ୍ର ଲକ୍ଷ୍ମୀପୁରାଣର ମାହାତ୍ମ୍ୟ ଏବଂ ଦୁଇ ମହାପ୍ରଭୁ କିପରି ଜାତିକୁ ନେଇ ଲକ୍ଷ୍ମୀଛଡ଼ା ହୋଇଥିଲେ ସେ ବିଷୟରେ ଆଲୋକପାତ କରିଥିଲେ। ପୁସ୍ତକର ଲେଖକ ନିହାର ଶତପଥୀ ପୁସ୍ତକର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।

Advertisment

ଆସନ୍ତାକାଲି ‘ମହାଲକ୍ଷ୍ମୀ କେ ଆତ୍ମକାଲ୍’ ପୁସ୍ତକ ରାଜମଙ୍ଗଲ୍ ପ୍ରକାଶନୀ ପକ୍ଷରୁ ହିନ୍ଦୀ ଭାଷାରେ ନୂଆଦିଲ୍ଲୀରେ ପ୍ରକାଶିତ ହେବ। ପକ୍ଷୀଘର ପ୍ରକାଶନୀର ପ୍ରକାଶକ ବନୋଜ କୁମାର ତ୍ରିପାଠୀ ସଭାରେ ଅଧ୍ୟକ୍ଷତା କରିଥିଲେ। ଅକ୍ସଫୋର୍ଡ ପକ୍ଷରୁ ଏହାକୁ ଭୁବନେଶ୍ବର, ଦିଲ୍ଲୀ, କୋଲ୍‌କାତା, ରାଞ୍ଚି ଭଳି ୬ ସହରରେ ବିକ୍ରି କରିବାକୁ ଆଗ୍ରହ ଦେଖାଇଥିବା କହିଥିଲେ। ଏହା ମଧ୍ୟ ଆସନ୍ତା ସୋମବାରରୁ ଅନ୍‌ଲାଇନରେ ଉପଲବ୍ଧ ହେବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ। ଏହି ସଭାରେ ଆମେରିକା ପ୍ରବାସୀ ଧୀରେନ୍ଦ୍ର କର, ଅମରେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ଲେଖକ ଉପସ୍ଥିତ ଥିଲେ।