ମନୋରେଲ୍‌ ଯୋଜନା ଫେଲ୍‌ ମାରିଛି, ଘୋଷଣାରେ ରହିଯିବନି ତ ମେଟ୍ରୋ!

ଭୁବନେଶ୍ବର : ମେଟ୍ରୋ ଚଳାଚଳ ପାଇଁ ପ୍ରାୟ ୩୦ଲକ୍ଷ ଲୋକ ରହୁଥିବା ଜନବସତି ଆବଶ୍ୟକ। ଏଥିରେ ମେଟ୍ରୋ ଯେଉଁ ରୁଟ୍‌ରେ ଯିବ, ସେଥିରେ ଗୋଟିଏ ଘଣ୍ଟାରେ ୫ରୁ ୮ହଜାର ଲୋକ ଯାତାୟାତ କରୁଥିବା ଦରକାର। ତେବେ ଯାଇ ମେଟ୍ରୋ ଟ୍ରେନ୍ ଚଲାଇବା ସମ୍ଭବ ହେବ। ହେଲେ କଟକ-ଭୁବନେଶ୍ବର ସହରରେ ୩୦ଲକ୍ଷ ଜନବସତି ନ ଥିବାରୁ ଏହି ରୁଟ୍‌ରେ ମେଟ୍ରୋ ଚଳାଇବା ଲାଭଜନକ ହେବନି। ଯାହାକୁ ଅଧାର କରି ମନୋରେଲ୍‌ ପ୍ରକଳ୍ପ ତିନି ବର୍ଷ ତଳେ କାଟ୍‌ ଖାଇଥିଲା। ପରବର୍ଦ୍ଧିତ ଅଞ୍ଚଳକୁ ନେଇ ନୂ୍ଆ ଡିପିଆର୍ ପ୍ରସ୍ତୁତ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ଆଜି ଯାଏ ତାହା ହୋଇପାରିନି। ନଗର ଉନ୍ନୟନ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟ ସରକାର ପ୍ରାୟ ୮ବର୍ଷ ତଳେ ଯୋଜନା କରିଥିଲେ ଯେ ଭୁବନେଶ୍ବର-କଟକ ମଧ୍ୟରେ ୨୦୨୦ ସୁଦ୍ଧା ମନୋରେଲ୍‌ ‌େସବା ବା ଏମ୍‌ଆରଟିଏସ୍‌ ଆରମ୍ଭ ହେବ। କିନ୍ତୁ ଏ ନେଇ ଡିପିଆର୍ ପ୍ରସ୍ତୁତ ହେଲା ବେଳକୁ ଯାତ୍ରୀ ହାର ନୈରାଶ୍ୟଜନକ ରହିଥିଲା। କେଉଁ ରୁଟ୍‌ରେ ମନୋରେଲ୍‌ ଯାତାୟାତ କରିବ, ତାହା ନିଷ୍ପତ୍ତି ହୋଇ ନ ପାରିବାରୁ ଏହି ଡିପିଆର୍‌ କାଟ୍‌ ଖାଇଗଲା। ହାଇଦ୍ରାବାଦର ବାଲାଜୀ ରେଲ୍‌ ରୋଡ୍‌ ସିଷ୍ଟମ୍‌ ଲିମିଟେଡ୍‌ ସ˚ସ୍ଥା ଯେଉଁ ଡିପିଆର‌୍‌ ପ୍ରସ୍ତୁତ କରିଥିଲା, ତାହାକୁ ପରିବହନ ବିଭାଗ କମିସନରଙ୍କ ଅଧୢକ୍ଷତାରେ ଗଠିତ କମିଟି ବାତିଲ୍‌ କରି ଦେଇଥିଲା।

ଏହି ଡିପିଆର୍‌ରେ ପ୍ରଥମେ ଭୁବନେଶ୍ବରରୁ କଟକ ମଧ୍ୟରେ ମନୋରେଲ୍‌ ବିଛାଇବା ପାଇଁ ଭୁବନେଶ୍ବର-କଟକ ଜାତୀୟ ରାଜପଥ କଡ଼ କିମ୍ବା ଭୁବନେଶ୍ବର-କଟକ ଦେଇ ଯାଇଥିବା ରେଳ ଲାଇନ୍ କଡ଼ରେ ଏମ୍‌ଆରଟିଏସ୍ କରିବାକୁ ଯୋଜନା ହୋଇଥିଲା। ହେଲେ ଏହି ରୁଟ୍‌ରେ ଏମ୍‌ଆରଟିଏସ୍‌ ହେଲେ ଯାତ୍ରୀ ହେବାର ସମ୍ଭାବନା କମ୍‌ ଥିବାରୁ ଏବଂ ସହର ମଧ୍ୟ ଦେଇ ନେବାର ଯୋଜନା ହେବାରୁ ଏହାର ରୁଟ୍‌ ବଦଳିଥିଲା।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରଥମ ଡିପିଆର୍ ରଦ୍ଦ ହେବା ପରେ ଦ୍ବିତୀୟ ଥର ପାଇଁ ଜଟଣୀରୁ ଚୌଦ୍ବାର ପର୍ଯ୍ୟନ୍ତ ମନୋରେଲ୍‌ ଗଡ଼ାଇବାକୁ ଯୋଜନା ହୋଇଥିଲା। ଏଥିରେ ମନୋରେଲ୍‌ ପାଇଁ ସ୍ବତନ୍ତ୍ର ଟ୍ରାକ୍‌ ଜଟଣୀରୁ ବାହାରି ସୁନ୍ଦରପଦା, ରାଜମହଲ ହୋଇ ଏଜି ଛକକୁ ଆସିଥାନ୍ତା। ଏଜି ଛକରୁ ସଚିବାଳୟ, ପାଵାର ହାଉସ୍‌ ଛକ ଦେଇ ବରମୁଣ୍ତା ପର୍ଯ୍ୟନ୍ତ ଏହି ରୁଟ୍‌ ଯାଇଥାନ୍ତା। ବରମୁଣ୍ତାରୁ ଜୟଦେବବିହାର ଛକ ଦେଇ ନନ୍ଦନକାନନ ପର୍ଯ୍ୟନ୍ତ ରୁଟ୍‌ ନିର୍ମାଣ କରାଯାଇଥାନ୍ତା। ଏହି ରୁଟ୍‌ କଟକରେ ସହର ମଧୢ ଦେଇ ଚୌଦ୍ବାରରେ ପହଞ୍ଚିଥାନ୍ତା। କିନ୍ତୁ ଏହାର ବାସ୍ତବ ଚିତ୍ର ଦେଖିଲା ବେଳକୁ ଅସମ୍ଭବ ଲାଗିବାରୁ ଏହା ହୋଇପାରି ନ ଥିଲା। କ୍ରୁଟ୍‌ ଅଧୀନରେ ଚୌଦ୍ବାରରୁ ଭୁବନେଶ୍ବର, ଖୋର୍ଦ୍ଧା, ଜଟଣୀ ହୋଇ ପୁରୀ ପର୍ଯ୍ୟନ୍ତ ରହୁଥିବାରୁ ଏହି ରୁଟ୍‌ରେ ମେଟ୍ରୋ ଚଳାଇବାକୁ ଯୋଜନା କଲେ ହୁଏତ ୩୦ଲକ୍ଷ ଲୋକଙ୍କୁ ନଜରରେ ରଖି ଏହା କାର୍ଯ୍ୟକାରୀ ହୋଇପାରିବ। ଏହି ରୁଟ୍‌ରେ ମେଟ୍ରୋ ଚାଲିଲେ ଘଣ୍ଟାକରେ ଲୋକ ପୁରୀରୁ ବାହାରି ଚୌଦ୍ବାରରେ ପହଞ୍ଚିଯିବେ। କିନ୍ତୁ ପ୍ରାୟ ୮୦କିମିର ଏହି ରୁଟ୍‌ ପାଇଁ ରାଜ୍ୟ ସରକାରଙ୍କୁ କେତେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ଏବଂ କିପରି ହେବ ତାହାର ଡିପିଆର୍ ପ୍ରଥମେ ପ୍ରସ୍ତୁତ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର