ଭୁବନେଶ୍ୱର : ଆସନ୍ତାକାଲି (ମଙ୍ଗଳବାର)ଠାରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ଏଥିପାଇଁ କମିସନରେଟ୍‌ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ପୁଲିସ ଡିଜି ଅଭୟ ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଧାନସଭା ପରିସର ଓ ପାର୍ଶ୍ବର ବିଭିନ୍ନ ଜାଗା ବୁଲିବା ସହ ସୁରକ୍ଷା ବ୍ୟବସ୍ଥା‌ରେ ଯେପରି ଅବହେଳା ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ଅଧିକାରୀମାନଙ୍କୁ କହିଛନ୍ତି। ତାଙ୍କ ସହ ପୁଲିସ୍‌ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ, ଗୁଇନ୍ଦା ଆଇଜି ଅନୁପ ନାୟକ, ଡିସିପି ଉମାଶଙ୍କର ଦାଶ, ଡିସିପି (ଟ୍ରାଫିକ୍‌) ସୌମ୍ୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ଏହି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପାଇଁ ୯୦ ଅଫିସର୍‌ ଓ ୨୫ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ହୋଇଛନ୍ତି। ୩ଟି ଫାଟକର ସୁରକ୍ଷା ବ୍ୟବସ୍ଥା କମିସନରେଟ୍‌ ପୁଲିସ ହାତରେ ରହିଥିବା ବେଳେ ବିଧାନସଭା ଭିତରର ସୁରକ୍ଷା ଗୁଇନ୍ଦା ବିଭାଗ ହାତରେ ରହିଛି। ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳଙ୍କୁ ଗାର୍ଡ-ଅଫ୍-ଅନର୍‌ ଦିଆଯିବ। ଏଣୁ ଏହି ବ୍ୟବସ୍ଥା ଯେଭଳି ଶୃଙ୍ଖଳାର ସହ ସଂପନ୍ନ ହେବ, ସେଥିପାଇଁ ଆଜି ଏହାର ରିହର୍ସାଲ କରାଯାଇଥିଲା। ସେହିପରି ଅନୁସନ୍ଧାନୀ କୁକୁରଙ୍କ ସହାୟତାରେ ବୋମା ନିଷ୍କ୍ରିୟକାରୀ ଦଳ ବିଧାନସଭା ପରିସର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଛାନ୍‌ଭିନ୍‌ କରିଥିଲେ।

ଅପରପକ୍ଷେ ଲୋୟର ପିଏମ୍‌ଜିରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ଏହି ସମୟରେ ଏଠାରେ ଶୋଭାଯାତ୍ରା, ଧାରଣା, ବିକ୍ଷୋଭ ଅନୁଷ୍ଠିତ ହେଉଥିବାରୁ ଏହାକୁ ପରିଚାଳନା କରିବା ପାଇଁ ତିନୋଟି ସମନ୍ବିତ ଅସ୍ଥାୟୀ ନିୟନ୍ତ୍ରଣ କକ୍ଷ ନିର୍ମାଣ ହୋଇଛି। ୧୭ସିସିଟିଭି କ୍ୟାମେରା ସହାୟତାରେ ସମଗ୍ର ଗାନ୍ଧୀ ମାର୍ଗ ଉପରେ ୨୪ ଘଣ୍ଟା ନଜର ରଖିବାକୁ ବ୍ୟବସ୍ଥା ହୋଇଛି। ବିଧାନସଭା ଚାଲିଥିବା ବେଳେ ଯେଭଳି କେହି ୧୪୪ ଧାରା ଅଞ୍ଚଳକୁ ପ୍ରବେଶ ନ କରିବେ, ସେଥିପାଇଁ କଡ଼ା ନଜର ରଖାଯାଇଛି। ଯଦିଓ ଅଦ୍ୟାବଧି କେହି ଧାରଣା ଓ ଶୋଭାଯାତ୍ରା‌ ପାଇଁ ଆବେଦନ କରିନାହାନ୍ତି, ତେବେ ଅନ୍‌ଲକ୍‌ ୪ ନିର୍ଦ୍ଦେଶାବଳୀ ଅନୁଯାୟୀ ଧାରଣା ପାଇଁ ସ୍ବୀକୃତି ଦିଆଯାଇପାରିବ ବୋଲି କମିସନର୍‌ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।