ଭୁବନେଶ୍ବର: ‘ଉତ୍କଳ ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଘ’ର ମାସିକ ବୈଠକ ଆଜି ସ୍ଥାନୀୟ ‘ପକ୍ଷୀଘର ପ୍ରକାଶନୀ’ କାର୍ଯ୍ୟାଳୟ ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ କମିଟିର ଏହି ବୈଠକରେ ରାଜ୍ୟର ପ୍ରକାଶକ ଓ ଲେଖକଙ୍କ ସମସ୍ୟା ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ ପ୍ରକଶକଙ୍କ ଏକତା ବୃଦ୍ଧି ଓ ବହିର ପ୍ରଚାର ପ୍ରସାର ପାଇଁ ସଂଘ ନିଜର ଆଗାମୀ ପଦକ୍ଷେପ ସ୍ଥିର କରିଛି। ବର୍ତ୍ତମାନ ୪୦ରୁ ଅଧିକ ଏହି ସଂଘରେ ସଦସ୍ୟ ଥିବାବେଳେ ନୂତନ ସଦସ୍ୟତା ପାଇଁ ଆଗ୍ରହୀ ଦେଖାଇଥିବା ପ୍ରକାଶକଙ୍କ ଆବେଦନ ଉପରେ ଆଜି ଆଲୋଚନା ହୋଇଥିଲା।

Advertisment

ଆସନ୍ତା ମାସରେ ହେବାକୁ ଥିବା ବୈଠକରେ ଏ ନେଇ ବିଚାର କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ସଂଘର ସଭାପତି ତଥା ଅପୂର୍ବା ପ୍ରକାଶନୀର ମୁଖ୍ୟ କ୍ଷୀରୋଦ ଚନ୍ଦ୍ର ପତି ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠାନର ସଂପାଦକ ତଥା ଲେଖାଲେଖି ପ୍ରକାଶନୀର ସଂସ୍ଥାପକ ପ୍ରଦୀପ୍ତ ବେହୁରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପକ୍ଷୀଘର ପ୍ରକାଶନୀର ସଂସ୍ଥାପକ ବନୋଜ ତ୍ରିପାଠୀ, ଟାଇମ୍‌ ପାସ୍‌ ପ୍ରକାଶନୀର ନିର୍ଦ୍ଦେଶକ ସରୋଜ ବଳ ଓ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ‘ଜ୍ଞାନଯୁଗ’ ପ୍ରକାଶନୀ ତରଫରୁ ତୁଷାରକାନ୍ତି ସାହୁ ବୈଠକରେ ଯୋଗ ଦେଇଥିବାବେଳେ ଚିତ୍ରୋତ୍ପଳା ପ୍ରକାଶନୀର ମୁଖ୍ୟ ସଦାଶିବ ଦାଶ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ।