ଭୁବନେଶ୍ବର: ଠିକ୍ ମାସକ ତଳେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ବନ୍ଧ ଗାଁ ଜଙ୍ଗଲ ଭିତରୁ କ୍ରାଇମବ୍ରାଞ୍ଚ ୬ଜଣିଆ ସାଇବର ଅପରାଧ ଗ୍ୟାଙ୍ଗକୁ ଧରିଥିଲା। ଏହି ଗ୍ୟାଙ୍ଗ୍ ନିକଟରୁ ପୁଲିସ ୫ ଲକ୍ଷ ଟଙ୍କା ମୂଲ୍ୟର ସିମ୍ ବକ୍ସ, ୩ ହଜାର ସିମ୍, ୭ଟି ଲାପଟପ୍ ଜବତ କରିଥିଲା। ସାଇବର ଅପରାଧୀମାନେ ସିମ୍ ବକ୍ସର ବ୍ୟବହାର କରି ସାରା ଦେଶରେ ଠକେଇ ସାମ୍ରାଜ୍ୟ ଚଳାଇଥିଲେ। ଯଦିଓ ସାଇବର ଅପରାଧୀମାନେ ସିମ୍ ବକ୍ସ ବ୍ୟବହାର କରିବା ନୂଆ ନୁହେଁ, କିନ୍ତୁ ଓଡ଼ିଶାରୁ ଏହା ଜବତ ହେବା ପରେ କ୍ରାଇମ ବ୍ରାଞ୍ଚ ଏହାକୁ ଗୁରୁତ୍ବର ସହିତ ନେଇଥିଲା। ଜଙ୍ଗଲ ଭିତରେ ସେମାନଙ୍କ ଆଡ଼ା ଉପରେ ଚଢ଼ଉ କରି କ୍ରାଇମବ୍ରାଞ୍ଚ ବିଶାଲ ଖେଣ୍ଡଲୱାଲ, ତାପସ କୁମାର ପାତ୍ର, ନିଗମ ପାତ୍ର, ସୁଧାଂଶୁ ଦାସ, ଅଜୁ ଦାସ, ଅଜୟ କୁମାର ପାତ୍ର ପ୍ରମୁଖଙ୍କୁ ଗିରଫ କରିଥିଲା। କିନ୍ତୁ କିଏ ଏମାନଙ୍କୁ ସିମ୍ ବକ୍ସ ଓ ଆଗୁଆ ଆକ୍ଟିଭ୍ ହୋଇଥିବା ୩ହଜାର ସିମ୍ ଯୋଗାଇଥିଲା, ତାହା ଉପରୁ ଏଯାଏ ପରଦା ହଟିପାରିନାହିଁ। କିଏ ଏହି ଗ୍ୟାଙ୍ଗ୍କୁ ସହଯୋଗ କରୁଥିଲା ଅଥବା ପୂରା ଘଟଣାର ମାଷ୍ଟର୍ମାଇଣ୍ଡ କିଏ ଯାଏ ଏଯାଏ ପୁଲିସ ଜାଣିପାରିନାହିଁ।
ସୂଚନା ଥାଉକି, ଓଡ଼ିଶାରେ ସାଇବର ଅପରାଧୀମାନେ ସିମ୍ ବକ୍ସ ବ୍ୟବହାର କରୁଥିବା ନେଇ କେନ୍ଦ୍ର ସରକାରଙ୍କ ଯୋଗାଯୋଗ ମନ୍ତ୍ରଳାୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖା ଯାଇଥିଲା। ଚିଠି ପାଇବା ପରେ ରାଜ୍ୟ ସରକାର ଘଟଣାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅନୁସନ୍ଧାନ ଆରମ୍ଭ କରାଯାଇଥିଲା। ଫୋନ୍ ନମ୍ବର ଟ୍ରାକିଂ ପରେ ଏହା ଝାଡ଼ଖଣ୍ଡ ଓ ବିହାରରୁ ଅପରେଟ୍ ହେଉଥିବା ଜଣାପଡ଼ିଥିଲା। କିନ୍ତୁ ସେଠାରେ କ୍ରାଇମବ୍ରାଞ୍ଚ ଚଢ଼ଉ କରିଥିଲେ ହେଁ କୌଣସି ପ୍ରମାଣ ପାଇ ନଥିଲା। କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା କି, ମୟୂରଭଞ୍ଜର ଏକ ଜଙ୍ଗଲ ଭିତରେ ସିମ୍ ଅପରେଟ୍ କରୁଛି ବୋଲି। ଗତ ମାସ ୧୩ ତାରିଖରେ ଏକ ୧୦ ଜଣିଆ ଟିମ୍ ବନ୍ଧ ଗାଁ ଜଙ୍ଗଲ ଭିତରେ ଅପରେସନ୍ ଆରମ୍ଭ କରିଥିଲେ। ଜଙ୍ଗଲ ଭିତରେ ଥିବା ଆଜବେଷ୍ଟସ୍ ଘରୁ ଏହି ଗ୍ୟାଙ୍ଗ ସଦସ୍ୟମାନେ ସାରା ଦେଶରେ ଠକେଇ ନେଟୱର୍କ ଚଳାଇଥିଲେ। ବିଭିନ୍ନ ନମ୍ବରରୁ ଜାଲ ଏସ୍ଏମଏସ୍ ପଠାଇ ସାଧରଣଲୋକଙ୍କୁ ଚୂନ ଲଗାଉଥିଲେ। ସିମ୍ ବକ୍ସ ମାଧ୍ୟମରେ ନେଟୱର୍କକୁ ଅନ୍ଧାରରେ ରଖି ତଦନ୍ତକାରୀ ସଂସ୍ଥାକୁ ଭୂଆଁ ବୁଲାଉଥିଲେ।
ନିୟମ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ନାଁରେ ଅତି ବେଶୀରେ ୧୦ଟି ସିମ୍ ଆକ୍ଟିଭ୍ କରାଯାଇ ପାରିବ। ତାହା ପୁଣି ଆବଶ୍ୟକ କାଗଜପତ୍ର ଦାଖଲ ପରେ। କିନ୍ତୁ ଏହି ଗ୍ୟାଙ୍ଗର ୬ ଜଣ ସଦସ୍ୟଙ୍କଠାରୁ ଏକାବେଳକେ ୩ହଜାର ପ୍ରି-ଆକ୍ଟିଭେଟ୍ ସିମ୍ ଜବତ ହୋଇଥିଲା। ସେହିପରି ସିମ୍ ବକ୍ସ ବ୍ୟବହାର କରିବା ପାଇଁ ଟେଲିକମ୍ ସଂସ୍ଥାଠାରୁ ଅନୁମତି ନେବାର ନିୟମ ରହିଛି। କିନ୍ତୁ ଏମାନଙ୍କ ନିକଟରୁ ୭ଟି ସିମ୍ ବକ୍ସ ଜବତ ହୋଇଥିଲା। ଫଳରେ ସେମାନେ ଏକ ଘଣ୍ଟା ଭିତରେ ୫୫ହଜାର ଲୋକଙ୍କୁ ଏସଏମଏସ୍ ପଠାଇ ପାରୁଥିଲେ। ସିମ୍ ବକ୍ସ ଓ ଆଗୁଆ ଆକ୍ଟିଭ ହୋଇଥିବା ସିମ୍ ବ୍ୟବହାର ଦେଶଦ୍ରୋହ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଥିବାରୁ କେନ୍ଦ୍ର ସରକାର ଏହାକୁ ଗୁରୁତ୍ବର ସହ ନେଉଛନ୍ତି। ଏଭଳି ସ୍ଥିତିରେ ଯେଉଁମାନେ ନିୟମ ଖିଲାପ କରିବେ, ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ୫୦ ହଜାର ଟଙ୍କା ଜରିମାନା ଓ ୬ ମାସ ଜେଲ ଦଣ୍ଡର ନିୟମ ରହିଛି।
ସରକାରୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଟେଲିକମ୍ କର୍ମଚାରୀ ଏହି ରୢାକେଟ୍ ସହ ସଂପୃକ୍ତ ବୋଲି କ୍ରାଇମବ୍ରାଞ୍ଚ ସନ୍ଦେହ କରିଥିଲା। ଖୁବ୍ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା। ଘଟଣାକୁ ଏକ ମାସରୁ ଅଧିକ ସମୟ ହୋଇଗଲାଣି। କିନ୍ତୁ ଏହି ସାଇବର ଅପରାଧୀମାନଙ୍କୁ କିଏ ସିମ୍ ବକ୍ସ ଓ ଆଗୁଆ ଆକ୍ଟିଭ୍ ସିମ୍ କାର୍ଡ ଯୋଗାଇଥିଲା, ତାହା ଏଯାଏ ଜଣାପଡ଼ିନାହିଁ। ଏ ସମ୍ପର୍କରେ କ୍ରାଇମ୍ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କୌଣସି ମତାମତ ଦେବେ ନାହିଁ ବୋଲି କହିଛନ୍ତି।