ମାସେ ହେଲା ସଂସ୍କୃତି ବିଭାଗ ଡେସ୍କ ଅଫିସର ନିଖୋଜ

ପତ୍ନୀ କହିଲେ ଅଫିସରେ ପଡ଼ୁଥିଲା ଚାପ, ବାଣୀବିହାର ଛକରେ ଫୋନ୍ ସୁଇଚ୍ ଅଫ୍, ପାଉନି ପୁଲିସ

ଭୁବନେଶ୍ବର : ରାଜଧାନୀରରୁ ଜଣେ ସରକାରୀ ଅଧିକାରୀ ମାସେ ହେଲା ନିଖୋଜ ହୋଇଯିବା ଘଟଣା ଗଭୀର ଆଲୋଡ଼ନ ସୃଷ୍ଟି କରିଛି। ଅଧିକାରୀ ଜଣକ ହେଲେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅଞ୍ଚଳର ସନ୍ତୋଷ କୁମାର ଦଳବେହେରା। ସେ ଲୋକସେବା ଭବନରେ ସଂସ୍କୃତି ବିଭାଗର ଡେସ୍କ ଅଫିସର। ମାସେ ହେଲା ସନ୍ତୋଷଙ୍କର ପତ୍ତା ମିଳୁ ନ ଥିବାରୁ ତାଙ୍କ ପରିବାର ଲୋକ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି। ସନ୍ତୋଷଙ୍କ ପତ୍ନୀ ମଞ୍ଜୁଲତା ନାୟକଙ୍କ ଅଭିଯୋଗ ଆଧାରରେ ସହିଦନଗର ଥାନା ପୁଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ମଧ୍ୟ ତାଙ୍କ ପତ୍ତା ପାଇପାରିନାହିଁ। ଏପଟେ କୁଆଖାଇ ନଦୀପଠାରୁ ମିଳିଥିବା ମୃତଦେହ ସହ ସନ୍ତୋଷଙ୍କ ଚେହେରା ମେଳ ଖାଉଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ପତ୍ନୀ ମଞ୍ଜୁଲତା ଏହାକୁ ଖଣ୍ଡନ କରିଛନ୍ତି। ପୁଲିସ ମଧ୍ୟ ମନା କରି ଦେଇଛି।

ମଞ୍ଜୁଲତାଙ୍କ କହିବା ଅନୁସାରେ, ତାଙ୍କ ସ୍ବାମୀ ସନ୍ତୋଷ ୟୁନିଟ୍-୯ ଆନନ୍ଦ ବଜାର ନିକଟସ୍ଥ ସରକାରୀ କ୍ବାର୍ଟର୍ସରେ ରହୁଥିଲେ। ମଞ୍ଜୁଲତା ଭଞ୍ଜନଗରରେ ସରକାରୀ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି। ଜୁନ୍ ୨୬ ତାରିଖ ସକାଳେ ସ୍ବାମୀଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ। କିନ୍ତୁ ଏହା ପରଠାରୁ ତାଙ୍କର ମୋବାଇଲ ଫୋନ୍ ସୁଇଚ୍ ଅଫ୍ ରହିଥିଲା। ସାଙ୍ଗସାଥୀ, ସମ୍ପର୍କୀୟଙ୍କ ଘରକୁ ମଧ୍ୟ ପଚାରି ବୁଝିଥିଲେ। କିନ୍ତୁ ସ୍ବାମୀଙ୍କର କୌଣସି ସନ୍ଧାନ ପାଇ ନ ଥିଲେ। ଏହା ପରେ ଜୁନ୍ ୩୦ ତାରିଖରେ ସରକାରୀ କ୍ବାର୍ଟର୍ସକୁ ଆସିଥିଲେ। ସେଠାରେ କିଛି ନ ପାଇ ତାଙ୍କ ଅଫିସର କର୍ମଚାରୀଙ୍କୁ ପଚାରି ବୁଝିଥିଲେ। ସେମାନେ ମଧ୍ୟ କିଛି ଜାଣି ନ ଥିବା କହିଥିଲେ ବୋଲି ମଞ୍ଜୁଲତା ଅଭିଯୋଗରେ ଦର୍ଶାଇଛନ୍ତି।

ପୁଲିସର ବୟାନ ରେକର୍ଡ ସମୟରେ ମଞ୍ଜୁଲତା କହିଛନ୍ତି ସେ ଅନେକ ସମୟରେ ମାନସିକ ଚାପରେ ରହୁଥିଲେ। ଅଫିସରେ ପ୍ରବଳ ଚାପ ଯୋଗୁଁ ମାନସିକ ଅଶାନ୍ତି ରହୁଥିଲା। ଯାହା ସେ ତାଙ୍କୁ ଅନେକ ସମୟରେ ଫୋନରେ କଥାବାର୍ତ୍ତା ସମୟରେ କହୁଥିଲେ। ସେଥିପାଇଁ ସେ କେଉଁଆଡ଼େ ଚାଲି ଯାଇଥିବା ଅନୁମାନ କରୁଛନ୍ତି। ପୁଲିସର ସୂଚନା ଅନୁସାରେ, ଅଫିସ କାମକୁ ନେଇ ସେ ମାନସିକ ଅଶାନ୍ତିରେ ରହୁଥିଲେ। ସେହି କାରଣରୁ ଚାଲି ଯାଇଥିବା ସନ୍ଦେହ କରାଯାଉଛି। ବାଣୀବିହାରରେ ଶେଷ ଥର ପାଇଁ ତାଙ୍କର ମୋବାଇଲ୍ ଫୋନ୍ ଲୋକେସନ୍ ଦେଖାଇଥିଲା। ଏହା ପରଠାରୁ ଫୋନ୍ ସୁଇଚ୍ ଅନ୍ ହୋଇ ନାହିଁ। ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଇଛି। କିନ୍ତୁ ସେଥିରୁ କିଛି ସୁରାକ୍ ମିଳିପାରି ନାହିଁ। ତଥାପି ଖୋଳତାଡ୍‌ ଜାରି ରହିଛି। ସ୍ବାମୀଙ୍କୁ ତୁରନ୍ତ ଖୋଜି ଆଣିବା ପାଇଁ ପତ୍ନୀ ମଞ୍ଜୁଲତା ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର